ରାଜ୍ୟ

କଂପାନି ସେକ୍ରେଟାରିମାନଙ୍କ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ନୂଆଦିଲ୍ଲୀ(୦୧/୯) : ଏକବିଂଶ ଶତାବ୍ଦୀ ହେଉଛି ଏସିଆର। ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିରେ ଏସୀୟ ରାଷ୍ଟ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ବିଶ୍ୱ ସ୍ତରୀୟ ନିବେଶ ପାଇଁ ଭାରତ ପସନ୍ଦର ସ୍ଥାନ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ମେ’ଫେୟାର୍‌ କନ୍‌ଭେନ୍‌ସନ୍‌ରେ ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଂପାନି ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ୍‌) ଦ୍ୱାରା ଆୟୋଜିତ କଂପାନି ସେକ୍ରେଟାରିମାନଙ୍କ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ କହିଲେ, ଭାରତର ବିକାଶ ଧାରାକୁ କେହି ଅଟକାଇ ପାରିବେ ନାହିଁ। ଏହା ଆଗକୁ ବଢ଼ିଚାଲିବ। ଦେଶର ବିକାଶରେ କଂପାନି ସେକ୍ରେଟାରିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସେ କହିଛନ୍ତି ଯେ, ନୂତନ ଭାରତ ଗଠନରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ପୂର୍ବ ଭାରତର ପ୍ରୟୋଗଶାଳା ହେବ। ପାରାଦୀପ ବନ୍ଦର ଏବେ ଦେଶରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ତାହା ଶ୍ରେଷ୍ଠ ବନ୍ଦର ଭାବେ ଉଭା ହେବ। ଏନ୍‌ଡିଏ ସରକାରଙ୍କ ସଫଳତା ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ବିଗତ ୪ ବର୍ଷରେ ୧୧.୫ କୋଟି ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଛି ଓ ବିଜୁଳି ନଥିବା ୧୮ ଲକ୍ଷ ଗ୍ରାମକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି। ଏହି ଅବସରରେ ସେ (ଆଇସିଏସ୍‌ଆଇ)ର ନୂଆ ସାର୍ଟିଫାଏଡ୍‌ ସିଏସ୍‌ଆର୍‌ ପ୍ରଫେସନାଲ୍‌ ପାଠ୍ୟକ୍ରମକୁ ଉନ୍ମୋଚନ କରିଛନ୍ତି। ଏହା ସିଏସ୍‌ଆର୍‌ କ୍ଷେତ୍ରର ଗୁଣାତ୍ମକ ମାନବ ସମ୍ବଳ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ଆଇସିଏସ୍‌ଆଇର ସଭାପତି ମକରନ୍ଦ ଲେଲେ, ଉପସଭାପତି ଭି ଆହାଲାଦ ରାଓ, ରାଜେଶ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

କଂପାନି ସେକ୍ରେଟାରିମାନେ ପରିବାରର ଡାକ୍ତର ଭଳି।  ଡାକ୍ତରମାନେ ଯେଭଳି ପରିବାରର ସ୍ୱାସ୍ଥ୍ୟାବସ୍ଥାର ଦେଖାଶୁଣା କରନ୍ତି, କଂପାନି ସେକ୍ରେଟାରିମାନେ ମଧ୍ୟ ଦେଶ ପାଇଁ ସେଭଳି ଭୂମିକା ନିର୍ବାହ କରିବା ଦରକାର ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। କଂପାନି ସେକ୍ରେଟାରିମାନଙ୍କ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିବସରେ ଆୟୋଜିତ ଏକ ଅଧିବେଶନରେ ଅତିଥି ଭାବେ ଯୋଗ ଦେଇ ସେ କହିଲେ, ଦେଶର ପରିବର୍ତ୍ତିତ ଅର୍ଥନୈତିକ ଦୃଶ୍ୟପଟ୍ଟରେ କଂପାନି ସେକ୍ରେଟାରିମାନେ ନିରବ ରହିଲେ ଚଳିବ ନାହିଁ। ସେମାନଙ୍କୁ ନିଜର ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ। କଂପାନି ସେକ୍ରେଟାରି ବୃତ୍ତିରେ ୩୬୦ଂ ପରିବର୍ତ୍ତନ ସମ୍ପର୍କିତ ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, କ’ଣ ଠିକ୍‌ ଓ କ’ଣ ଭୁଲ ତାହା ସେମାନଙ୍କୁ ଜଣାଇବାକୁ ହେବ। ସେମାନେ କାମ କରୁଥିବା କଂପାନି ବଦଳରେ ନିଜ ବୃତ୍ତି ପ୍ରତି ଅଧିକ ନିଷ୍ଠା ପ୍ରଦର୍ଶନ କରିବା ଦରକାର। କଂପାନି ସ୍ୱାର୍ଥ କଥା ଚିନ୍ତା କରିବା ବେଳେ ଦେଶର ସ୍ୱାର୍ଥକୁ ମଧ୍ୟ ନଜରର ରଖିବାକୁ ହେବ ବୋଲି ସେ କହିଛନ୍ତି। ଏହି  ଅବସରରେ  ଆଇସିଏସ୍‌ଆଇର ରଞ୍ଜିତ୍‌ ପାଣ୍ଡେ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ସିଏସ୍‌ ନାରାୟଣ ଶଙ୍କର, ଆର୍‌ଜେକେ ବିଜ୍‌ନେସ୍‌ ଆଡ୍‌ଭାଇଜରି ସର୍ଭିସେସ୍‌ର ଅଧ୍ୟକ୍ଷ ରବିନ୍ଦ୍ର କାସ୍ତିଆ, ଆଦିତ୍ୟ ବିର୍ଲାର ସିଏସ୍‌ ଗୀତିକା ଆନନ୍ଦ ଆଇସିଏସ୍‌ଆଇର ଭିଜନ୍‌-୨୦୨୨କୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। କଂପାନି ସେକ୍ରେଟାରି ଗୋପୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବିମୁଦ୍ରୀକରଣ ଦେଶର ଏକ ବଡ଼ ଦୁର୍ନୀତି ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗତକାଲି ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ସେ କହିଲେ, ବିମୁଦ୍ରୀକରଣ ଯୋଗୁ ଆଲମିରା, ତକିଆ ତଳେ ଓ ଚଟାଣ ତଳେ ଯେଉଁ ସବୁ ଟଙ୍କା ଲୁଚି ରହିଥିଲା ତାହା ବ୍ୟାଙ୍କକୁ ଫେରି ଆସିଛି। ଯେଉଁମାନେ ସେସବୁ ଟଙ୍କା ଲୁଚାଇ ରଖିଥିଲେ ତାଙ୍କୁ ବିମୁଦ୍ରୀକରଣ ଅଧିକ କଷ୍ଟ ଦେଇଛି। ବିମୁଦ୍ରୀକରଣ ଯୋଗୁ ୧୮ ଲକ୍ଷ ବ୍ୟାଙ୍କ ଖାତା ସନ୍ଦେହ ମଧ୍ୟରୁ ଆସିଛି। ୩ ଲକ୍ଷ ଜାଲ୍‌ କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପୂର୍ବ ସରକାର ଅମଳରେ ଏଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ ହେଉଥିବା ବୃଦ୍ଧି ସମ୍ପର୍କରେ ସେ କହିଲେ, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବଢ଼ୁଥିବାରୁ ଦେଶ ଭିତରେ ତେଲ ଦର ବଢ଼ୁଛି। ଆମେରିକା ନିଜକୁ ସୁହାଇବା ଭଳି ନୀତିରେ କାମ କରୁଥିବାରୁ ଅନ୍ୟ ଦେଶଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଆମେରିକାର ଡଲାର ମଜବୁତ ହୋଇଥିବା ବେଳେ ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ହୋଇଛି। ଏହା ଦ୍ୱାରା ଭାରତୀୟ ଟଙ୍କା ମଧ୍ୟ ପ୍ରଭାବିତ ହୋଇଛି। ତେଲ ଦର ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button