May 19, 2024

ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇ ଜବାବ ମାଗିଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Target-Naveen-Patnaik-Aajira-Odisha

ଆଓରି-ଭୁବନେଶ୍ଵର(୨୬/୧୨) : ଜୋର ଧରିଛି ପ୍ରଶ୍ନ ରାଜନୀତି । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଶ୍ନ-ଜବାବ-ପ୍ରଶ୍ନ ରାଜ୍ୟ ରାଜନୀତିକୁ ସରଗମ କରିଛି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଓଡ଼ିଶା ଆସି ବିଜେଡ଼ି ସରକାର ଉଦ୍ଦେଶ୍ୟରେ ୮ଟି ପ୍ରଶ୍ନ ବାଣ ଛାଡ଼ିଥିଲେ । ଏନେଇ ସମସ୍ତଙ୍କ ନଜର ରହିଥିଲା ମୁଖ୍ୟମନ୍ତ୍ରୀଙ୍କ ଜବାବ ଉପରେ  । ଏଣେ ମୁଖ୍ୟମନ୍ତ୍ରୀ ମଧ୍ୟ ଠିକଣା ସମୟକୁ ଅପେକ୍ଷା କରିଥିଲେ । ମାନେ, ଆଜି ହେଉଛି ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ । ମୋଦିଙ୍କ ୮ ପ୍ରଶ୍ନର ଉତ୍ତର ନବୀନ ଦେବେ ବୋଲି ଆଶା କରାଯାଉଥିଲା । ତେବେ ନବୀନ କିନ୍ତୁ ଉତ୍ତର ନଦେଇ ପାଲଟା ୯ଟି ପ୍ରଶ୍ନର ତୀର ମାରି କେନ୍ଦ୍ରକୁ ଘାଇଲା କରିବାକୁ ଚେଷ୍ଟା କରିଥିଲେ ।

ଅନ୍ୟପଟେ ବିଜେଡି ପ୍ରତିଷ୍ଠା ଦିବସ ସାଙ୍ଗକୁ ସେପଟେ ସ୍ଥାନୀୟ ବରମୁଣ୍ଡା ପଡିଆରେ ବିଜେପି ଯୁବମୋର୍ଚ୍ଚା ଆୟାଜନ କରିଥିଲା ‘ଜବାବ ମାଗୁଛି ଓଡିଶା’ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ତେବେ ନବୀନଙ୍କ ପାଲଟା ୯ ପ୍ରଶ୍ନ କଥା ଯେତେବେଳେ ଶ୍ରୀ ପ୍ରଧାନ ଜାଣିଲେ ସେ କଡ଼ା ଭାଷାରେ ନବୀନଙ୍କ ପ୍ରଶ୍ନର ଉତ୍ତର ଗଣମାଧ୍ୟମ ସମ୍ମୁଖରେ ରଖିଥିଲେ । ଧର୍ମେନ୍ଦ୍ର ଏହାମଧ୍ୟ କହିଥିଲେ ଯେ, ଯେଉଁ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି, ତା’ର ଉତ୍ତର ଦୁଇ କେନ୍ଦ୍ରମନ୍ତ୍ରୀ ଦେବୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରେଳବାଇ ଯୋଜନାରେ କେନ୍ଦ୍ର ଅବହେଳା ପ୍ରଶ୍ନର ଉତ୍ତର ରଖିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀଙ୍କ ଯଦି ସତସାହାସ ଅଛି ତେବେ ସେ ଦୁଇ ଘଣ୍ଟା ମଧ୍ୟରେ ଜବାବ ଦିଅନ୍ତୁ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ମୁଖ୍ୟମନ୍ତ୍ରୀ କେତେ ଜାଗା ଅଧିଗ୍ରହଣ କରି ଯୋଗାଇ ଦେଇଛନ୍ତି ? ତାଳଚେର-ବିମଳାଗଡ଼ ରେଳଲାଇନ ପାଇଁ କେତେ ଏକର ଜାଗା ପୂର୍ଣ୍ଣାଙ୍ଗ ଦେଇଛନ୍ତି ?” ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଅଛି ଜବାବ ରଖନ୍ତୁ, ହରିଦାସପୁର-ପାରାଦୀପ ରେଳ ଲାଇନର କାର୍ଯ୍ୟକୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାନ୍ଦା ଆଦାୟ କରି କାହିଁକି ଅଟକାଇ ରଖିଛନ୍ତି ? କେନ୍ଦ୍ର ରେଳମନ୍ତ୍ରୀଙ୍କ ଅନୁରୋଧ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି ଅସହଯୋଗ କରିଛନ୍ତି ? ବୌଦ୍ଧ, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କେତେ ପୂର୍ଣ୍ଣାଙ୍ଗ ଜାଗା ଦେଇଛନ୍ତି ?

ସେହିପରି ମୁଖ୍ୟମନ୍ତ୍ରୀଙ୍କ, ମହିଳାଙ୍କ ପାଇଁ ୩୩ ପ୍ରତିଶତ କ୍ୟାବିନେଟ୍‌ରେ ସଂରକ୍ଷଣ ନେଇ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, “ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କନ୍ଦୁଛନ୍ତି ମୁଖ୍ୟମନ୍ତ୍ରୀ । ଯିଏ ମହିଳାଙ୍କୁ ସମ୍ମାନ ସହକାରେ ବଞ୍ଚିବାକୁ ଦେଉନାହାନ୍ତି, ସେ ମହିଳାଙ୍କ ସଂରକ୍ଷଣ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ, ଆପଣଙ୍କ କ୍ୟାବିନେଟ୍‌ରେ କେତେ ଜଣ ମହିଳା ସଦସ୍ୟ ଅଛନ୍ତି ? ମୁସଲମାନ ମହିଳାଙ୍କ ଦୟନୀୟ ଅବସ୍ଥା ସୁଧାରିବାକୁ କେନ୍ଦ୍ରମନ୍ତ୍ରୀ ଯେତେବେଳେ ଟ୍ରିପଲ ତଲାକ୍ ଆଇନ ଆଣିଲେ, ବିଜେଡି ଏମପି କାହିଁକି ବିରୋଧ କଲେ? ” ଏହାସହ କୁନ୍ଦୁଲି ପୀଡ଼ିତା, ଇତିଶ୍ରୀ ସ୍ୱର୍ଗରେ ଥାଇ ନ୍ୟାୟ ମାଗୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।

ପୁଣି ପେଟ୍ରୋଲ ଦର ନେଇ ମୁଖ୍ୟମନ୍ତ୍ରୀ ଯେଉଁ କେନ୍ଦ୍ରକୁ ବାଣ ଛାଡି ଥିଲେ, ତାର କଡା ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ । ବିଗତ 2ମାସ ଭିତରେ ତେଲ ଦର ୨୦ ଟଙ୍କା କମିଲାଣି, କିନ୍ତୁ  ରାଜ୍ୟ ସରକାର ଟିକସ କମାଉ ନଥିବାରୁ ରାଜ୍ୟରେ ତେଲ ଦର କମୁନାହିଁ । ବିଜେପି-ଅଣ ବିଜେପି ରାଜ୍ୟଗୁଡିକ ମଧ୍ୟ ପେଟ୍ରୋଲ ଟ୍ୟାକ୍ସ କମାଇଥିବା ବେଳେ ଓଡ଼ିଶା ସରକାର ପେଟ୍ରୋଲ ଟ୍ୟାକ୍ସ କାହିଁକି କମାଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହାସହ ଧାନର ସହାୟକ ମୂଲ୍ୟ ଏବଂ ଉଜ୍ୱଳା ରିଫିଲ୍ ପ୍ରସଙ୍ଗ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ୍ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଯେ, ଧାନ କ୍ୱିଣ୍ଟାଲ ପିଛା ୧୫୫୦ରୁ ୧୭୫୦ ଟଙ୍କା କେନ୍ଦ୍ର ସରକାର ବୃଦ୍ଧି କରିବା ପରେ ମଧ୍ୟ କାହିଁକି ଚାଷୀଙ୍କୁ ତାଙ୍କ ଟଙ୍କା ଦିଆଯାଉନାହିଁ ? ନିର୍ବାଚନ ପାଣ୍ଠି ଆଦାୟ ପାଇଁ କାହିଁକି ମିଲରଙ୍କ ସହ ମଧୂଚନ୍ଦ୍ରିକା ଚାଲିଛି ? କାହିଁକି ଓଡ଼ିଶାର ଧାନ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ବିକ୍ରି ହେଉଛି ? ରାଜ୍ୟରେ ୩୫ଲକ୍ଷ ଗରିବଙ୍କ ଘରେ ଉଜ୍ୱଳା ଯୋଜନା ପହଁଚିଛି । ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀ  ହିଞ୍ଜିଳି ଗଲେ ଉଜ୍ୱଳା ଯୋଜନାର ସଫଳତାର ପ୍ରମାଣ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ଜବାବ ଦେଇଛନ୍ତି । ଏପରିକି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ୨୦୧୮ରେ ୧୮୫୦ ଟଙ୍କାରେ ଉଜ୍ୱଳା ଯୋଜନାର ସବ୍‌ସିଡି ନେଇଥିବା କେନ୍ଦ୍ରମନ୍ତ୍ରୀ ମନେପକାଇଛନ୍ତି ।

ସର୍ବ ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ବିତର୍କ ପାଇଁ ଆହ୍ୱାନ ଦେବା ସହ କଡ଼ା ପ୍ରଶ୍ନ ପଚାରିଛନ୍ତି । ଧର୍ମେନ୍ଦ୍ର ପଚାରିଛନ୍ତି ଯେ, ଚିଟଫଣ୍ଡ, ଖଣି ଦୁର୍ନୀତି ଓ ପିସି ଦାନବକୁ ଦାନା କିଏ ଦେଉଛି ? ଭଡ଼ାଟିଆଙ୍କୁ ଲଗାଇ ନୁହେଁ ବରଂ ନିଜେ ମୁଖ୍ୟମନ୍ତ୍ରୀ ଜବାବ ରଖନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହାସହ ତୃତୀୟ ମହଲାକୁ ଇଙ୍ଗିତ କରି ମଧ୍ୟ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଭ୍ରଷ୍ଟାଚାର ରୂପୀ ଦାନବର ଏକ ଛୋଟ ଉଦାହରଣ ସରୋଜ ସାହୁ କିଏ ? କାହା ପାଇଁ ସେ କାମ କରୁଛନ୍ତି ? କାହା ତରଫରୁ ସେ ଦସ୍ତଖତ କରନ୍ତି ? ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ସହ ସମ୍ପର୍କ କଣ ?

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.