March 28, 2023

ନୂଆ ଓଡ଼ିଶା ଧର୍ମପଦ ଡାଏଲଗ୍ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଯୁବପୀଢିଙ୍କୁ ପ୍ରେରଣା ଦେଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmapad-Dilogue-Aajira-Odisha

ଆଓରି-ଭୁବନେଶ୍ଵର(୨୬/୦୨) : ଯୁବପୀଢିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମର୍ପିତ କେନ୍ଦ୍ର ସରକାରଙ୍କ ନୂଆ ଓଡ଼ିଶା ଧର୍ମପଦ ଡାଏଲଗ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି  । ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୂଚନା ଯୋଗ୍ୟ, କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୪୩୦ଟି ସ୍ଥାନରେ ଗୋଟିଏ ସମୟରେ ପରାମର୍ଶ କେନ୍ଦ୍ର ଲାଗିବା ସହ ପ୍ରାୟ ୨ ଲକ୍ଷକୁ ଅଧିକ ଯୁବପୀଢିଙ୍କୁ ପରାମର୍ଶ ଦିଆଯିବା ସହ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ସହ ଯୋଡିବାକୁ ଉଦ୍ୟମ କରାଯିବ । ଏହି କାର୍ଯ୍ୟକ୍ରମରେ ସୋମବାର ସ୍ଥାନୀୟ ରେଲଓ୍ୱେ ଅଡିଟୋରିୟମ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଯୁବପୀଢି ସହ କଥାବାର୍ତ୍ତା ହୋଇ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଅବସରରେ ବୁଦ୍ଧିମତା, କୌଶଳ ଓ ସାହାସ ତିନୋଟି ଗୁଣ ଓଡିଆ ଯୁବପୀଢିଙ୍କ ପାଖରେ ଭରପୁର ଅଛି । ଏହି ତିନୋଟି ଗୁଣକୁ ପାଥେୟ କରି ଓଡିଆ ପିଲାମାନେ ଏକବିଂଶ ଶତାବ୍ଦିରେ ପୃଥିବୀର ଏକ ଅଗ୍ରଣୀ ଅଂଚଳ ଭାବେ ଆମ ରାଜ୍ୟକୁ ତିଆରି କରିବାରେ ସଫଳ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶରେ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ନୂଆ ଭାରତ ଅଭିଯାନ ପାଇଁ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନୂଆ ଓଡିଶା ବିନା ନୂଆ ଭାରତ ଅସମ୍ଭବ । ନୂଆ ଓଡିଶା ତିଆରି କରିବା ପାଇଁ ହେଲେ ଯୁବକ ମାନଙ୍କର ନୂଆ ବିଚାର, ନୂଆ ନେତୃତ୍ୱ ,ନୂଆ ଉତ୍ସାହ ସହିତ ଅସମ୍ଭବକୁ ସମ୍ଭବ କରିବାକୁ ପଡିବ ।ଧର୍ମପଦ ଡାଏଲଗରେ ବିଶେଷ ନିମନ୍ତ୍ରିତ ୫ ଯୁବକ ଯୁବତୀଙ୍କୁ ନୂଆ ଓଡିଶାର ବ୍ରାଣ୍ଡ୍ ଆମ୍ବାସେଡର କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେର୍ନ୍ଦ୍ର ପ୍ରଧାନ ।

ଭାରତୀୟ ବାୟୁସେନାର ଅଫିସର ଓଡିଆ ଝିଅ ପଲ୍ଲବୀ ମହାପାତ୍ର ନିକଟ ଅତୀତରେ ଯୁଦ୍ଧ ବିମାନରୁ  କ୍ଷେପଣାସ୍ତ୍ର ଉତ୍‌ଧେପଣ କରି ଇତିହାସ ରଚିଛନ୍ତି । ଶତ୍ରୁକୁ ମାତ୍  ଦେଇପାରୁଥିବା ଏବଂ ଦେଶବାସୀଙ୍କୁ ଗର୍ବିତ କରିଥିବା ବ୍ୟକ୍ତିତ୍ୱର ନାଁ ହେଲା ଓଡିଆ ଝିଅ ପଲ୍ଲବୀ ।  ସାମାନ୍ୟ ଘରର ପିଲାକୁ ଯଦି ସୁଯୋଗ ମିଳେ ସେ ଅମରେନ୍ଦ୍ର ସାହୁ ଭଳି ନୂଆ ଷ୍ଟାଟଅପ୍ ଘର ଭଡାର ଏଗ୍ରିଗେଟର ବନି ୬୫୦ କୋଟି ଟଙ୍କାର ବ୍ୟବସାୟ କରେ  । କଳାହାଣ୍ଡିର ସାଧାରଣ ଘରର ପିଲା ଯୋଗବ୍ୟାସ ଭୋଇ ଦୃଢ ଇଚ୍ଛାଶକ୍ତି ଫଳରେ ପୃଥିବୀର ସବୁ ଉଚ୍ଚତମ ପାହାଡକୁ ଚଢି ରେକର୍ଡ କରିପାରେ । ଚିତରଞ୍ଜନ ମହାନ୍ତି ବଡ କମ୍ପାନୀ ଛାଡି ଏବେ କୃଷି କ୍ଷେତ୍ରରେ କାମ କରି ଏକ ନୂଆ ପରମ୍ପରା ସୃଷ୍ଟି କରୁଛନ୍ତି । ଉତ୍ତରପ୍ରଦେଶର ବିଶୋଇ ସିଂହ ଆଇଆଇଟିରେ ପାଠ, ବୃତିରେ ଚରମ ସଫଳତାକୁ ଛାଡି ସମାଜର ମଙ୍ଗଳ ପାଇଁ କାମ କରିବାକୁ ଅଣ୍ଟା ଭିଡି ବାହାରିଛନ୍ତି । ଓଡିଶାରେ ଜୈବିକ କୃଷି କ୍ଷେତ୍ରରେ ଏକ ନୂଆ ବିପ୍ଲବ ଆଣିବା ପାଇଁ ତାଙ୍କ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

ଏହି ୫ ଜଣ ଯୁବ ବ୍ୟକ୍ତିତ୍ୱ ମଧ୍ୟରୁ କେହି ଜଣେ ବି ସୁପରଷ୍ଟାର ଅମିତାଭ୍ ବଚ୍ଚନ ଠାରୁ କମ ନୁହଁନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ସଫଳ ଯୁବବ୍ୟକ୍ତିତ୍ୱଙ୍କ ଉପସ୍ଥିତିର ସୁଯୋଗ ଓ ଅନୁଭୂତି ଗୁଡିକୁ ପରସ୍ପର ଭିତରେ ଆଦାନପ୍ରଦାନ କରି ନୂଆ ଆତ୍ମବିଶ୍ୱାସ ସହ ଏ ଅତ୍ୟନ୍ତ ସାହାସୀ ଜାତିକୁ ଏକବିଂଶ ଶତାବ୍ଦୀରେ ପୁନର୍ବାର ଦୁନିଆର ଏକ ଅଗ୍ରଣୀ ସମାଜ ଭାବେ ଗଢି ତୋଳିବାରେ ଧର୍ମପଦ ଡାଏଲଗର ମୂଳ ଉଦ୍ଦେଶ୍ୟ  । ଏହି ଉଦ୍ୟମକୁ ଆଗାମୀ ଦିନରେ ଏକ ସକରାତ୍ମକ ଜନଆନ୍ଦୋଳନ ଭାବେ ପରିଣତ କରିବାର ଅଭିଯାନ ଜାରି ରହିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ,  ଓଡିଆ ଜାତିର ଡିଏନଏରେ ଅତ୍ୟନ୍ତ ବୁଦ୍ଧିମତା ଅଛି । ଓଡିଆ ଗୋଟିଏ ଚିନ୍ତା କରୁଥିବା  ଜାତି । ଓଡିଆ ଜାତି ଭିତରେ ଅନେକ ସଫଳତାର ଇତିହାସ, ସାହାସ ଓ ଶକ୍ତି  ଭରି ରହିଛି । ଆଜିଠୁ ହଜାର ବର୍ଷ ପୂର୍ବେ ଓଡିଆ ଜାତି କୋଣାର୍କ, ପୁରୀ ବଡ ଦେଉଳ ଓ ଲିଙ୍ଗରାଜ ମନ୍ଦିର ତିଆରି କରିଥିଲା । ବିଜ୍ଞାନକୁ ପଢି ବୁଝି ଏହାର ବ୍ୟବହାରରେ ଏପରି ଭବ୍ୟ ନିର୍ମାଣ ଓଡିଆ ଜାତି ହିଁ କରିଦେଖାଇଥିଲା ।

ଓଡିଆ ଜାତି ଦିଗବିଜୟୀ ସମ୍ରାଟ ଖାରବେଳଙ୍କର ଜାତି । ରାଜା ନଥିବା ପରେ ବି କଳିଙ୍ଗ ଯୁଦ୍ଧରେ ଅଶୋକଙ୍କୁ ଥକି ଯାଇ ଚଣ୍ଡାଶୋକରୁ ଧର୍ମାଶୋକ ହେବାକୁ ବାଧ୍ୟ କରିଥିଲା । ଏହି ନୂଆ ଓଡିଶା ଧର୍ମପଦ ଡାଏଲଗରେ ଓଡିଆ ଯୁବ ଉଦ୍ୟୋମୀ ଅମରେନ୍ଦ୍ର ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତକାରରେ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ଓଡିଶାର  କୋଣ ଅନୁକୋଣରୁ ଭିଡିଓ କନଫରେନ୍ସିଂ ଯୋଗେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।ସମାଜକୁ ବଦଳେଇବାକୁ ହେଲେ ମଣିଷକୁ ମନ ବଳେଇବାକୁ ପଡିବ । ଫଳରେ ବଡ ପରିବର୍ତ୍ତନ ହୋଇପାରିବ । ଓଡିଆ ପିଲାଙ୍କୁ ପାଠ ପଢାଇବାର ସୁଯୋଗ ଦେଲେ ସେମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇବେ । ଓଡିଆ ପିଲାଙ୍କ କାନ୍ଧ ଉପରେ ହାତ ରଖିଲେ ସେମାନେ ଆଗକୁ ଯାଇପାରିବେ ।

ଏହାସହ ଧର୍ମପଦ ଏ ଜାତି ଓ ଯୁବକର ପରିଚୟ ।  ଯେ ବୁଦ୍ଧିମାନ ଥିଲା, କୌଶଲ୍ୟରେ ଭରପୁର ଏବଂ ସାହାସୀ ଥିଲା । ଯେ ନିଜ ଜୀବନକୁ ବଳିଦାନ ଦେଇ ସମାଜର ମୂଲ୍ୟବୋଧକୁ ପ୍ରତିଷ୍ଠା କରିପାରିଥିଲା, ଏହାଠୁ ସାହାସୀ ଆଉ କିଏ ହୋଇପାରେ । କୋଣାର୍କର ମୁଣ୍ଡି ମାରିଥିବା ଧର୍ମପଦ ଠାରୁ କୌଶଲ୍ୟ ପିଲା  ଆଉ କିଏ ହୋଇପାରେ । ଧର୍ମପଦ ବୁଦ୍ଧିଆ ଥିବାରୁ ୧୨୦୦ ବଢେଇଙ୍କର ଦାୟିତ୍ୱ ନେଇଥିଲା । ସେଥିପାଇଁ ଧର୍ମପଦ ଓଡିଆ ଯୁବକର ପ୍ରତୀକ । ସେଥିପାଇଁ ଧର୍ମପଦ ଡାଇଲଗର ଆୟୋଜନ କରାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.