ରାଜ୍ୟ

କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୪/୦୯) : ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍ ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଭେଟି ପାଇଁ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ପ୍ରଧାନ ।

୪ କୋଟି ଟଙ୍କା ବ୍ୟୟରେ କଟକ, ଭୁବନେଶ୍ୱର ୮ଟି କେଭିର ୧୮୪ଟି ଶ୍ରେଣୀଗୃହ ଓ ସାରା ଦେଶରେ ମୋଟ ୮ କୋଟି ଟଙ୍କା ବ୍ୟୟରେ ପ୍ରାୟ ୪୦୦ଟି ଶ୍ରେଣୀଗୃହ ଓଏନଜିସି ସହାୟତାରେ ଇ-କ୍ଲାସରୁମ ଭାବରେ ଲୋକାର୍ପଣ ହୋଇପାରିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ଏହାକୁ ଲୋକାର୍ପଣ କରାଯାଇଥିବାରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏବଂ ଓଏନଜିସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରୋର ନିର୍ଦ୍ଦେଶକ କେ.ଶିବନ୍ ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରିଥିବା ବେଳେ ସେମାନେ ସମସ୍ତଙ୍କ ପାଖରେ ଦାରିଦ୍ର‌୍ୟ ଓ ଅଭାବ, ଅନାଟନ ଭିତରେ ଜୀବନ ସଂଘର୍ଷ କରି ନିଜର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିଥିଲେ ବୋଲି କହିଛନ୍ତି ।କଟକ, ଭୁବନେଶ୍ୱର ଓ ଜଟଣୀର କେଭିର ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସ୍‌ ରୁମ ଓ ଅନ୍ୟାନ୍ୟ ସୁବିଧା ଆଧାରରେ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାରେ ସଫଳ ହେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚା’ ବିକାଳିର ପୁଅ ସାଧାରଣ ସ୍କୁଲରେ ଗୁଜୁରାଟି ଭାଷାରେ ପାଠ ପଢି କେବଳ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ବରଂ ବିଶ୍ୱର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସେହିପରି ଜଣେ ମାଛ ବିକାଳୀର ପୁଅ ସ୍ୱର୍ଗତ ଏପିଜେ ଅବଦୁଲ କଲାମ ସାଧାରଣ ସ୍କୁଲରୁ ପଢି ଦେଶର ବଡ଼ ବୈଜ୍ଞାନିକ ହୋଇପାରିଥିଲେ । ଅନୁରୂପ ଭାବେ ଦେଶର ଏବେ ଚର୍ଚ୍ଚିତ ଚେହେରା ଚାଷୀର ପୁଅ ଇସ୍ରୋର ଅଧ୍ୟକ୍ଷ କେ.ଶିଭନଙ୍କୁ ବିଶ୍ୱ ସ୍ୱୀକୃତି ଦେଉଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button