Uncategorizedରାଜ୍ୟ

ପିପିଲି ପୀଡ଼ିତା ପାଇଁ ଧର୍ମେନ୍ଦ୍ରଙ୍କ ସିବିଆଇ ତଦନ୍ତ ଦାବି

ଆଓରି-ଭୁବନେଶ୍ଵର(୨୭/୧୨) : ପିପିଲିର ଦଳିତ ନାବାଳିକା ଝିଅ ଦୁଷ୍କର୍ମ ମାମଲାରେ ପ୍ରମାଣ ଅଭାବରୁ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ଘଟଣାରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ସମ୍ପୃକ୍ତ ଘଟଣାରେ ପୀଡିତାକୁ ନ୍ୟାୟ ମିଳିଲା ବୋଲି ମନ୍ତ୍ରୀ ପ୍ରଦୀପ ମହାରଥୀ କହିବା ଦୁଃଖ ଦାୟକ ଓ ହୃଦୟ ବିଦାରକ।

ଧର୍ମେନ୍ଦ୍ର ଅଭିଯୋଗ କରି କହିଛନ୍ତି, ୨୫ କିଲୋମିଟର ଦୂରରେ ଗଣଦୁଷ୍କର୍ମ ପରେ ମୃତ୍ୟୁ ଘଟିଥିବା ଝିଅର ଦୋଷୀକୁ ଦଣ୍ଡ ଦେବାରେ ରାଜ୍ୟ ସରକାର ଯୋଜନାବଦ୍ଧା ଭାବେ ତଥ୍ୟ ପ୍ରମାଣ ଉପସ୍ଥାପନ ନକରି ଖସାଇ ଦେଇଛନ୍ତି। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବାବେଳେ ବେବିନା ୩୩ ପ୍ରତିଶତ ମହିଳାଙ୍କ ଭିତରୁ ଆସୁଛନ୍ତି କି ନାହିଁ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ବେବିନା ମାମଲାରେ ମହାରଥୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବାହାର କରିଥିଲେ। ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଅବହେଳା ପାଇଁ ନିଲମ୍ବିତ ହୋଇଥିଲେ। ଏବେ ବି ସାକ୍ଷ୍ୟ ପ୍ରମାଣ ନଦେଇ ଦୋଷୀକୁ ଖଲାସ କରିବାରେ ସରକାର ସହଯୋଗ କରିଥିବା କଥା ପୀଡ଼ିତାର ପରିବାର ଗଣମାଧ୍ୟମ ଆଗରେ ଅଭିଯୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କ ପ୍ରତି ସାମାନ୍ୟ ସମ୍ମାନ ଥିଲେ ମାମଲାର ତଦନ୍ତ ସିବିଆଇକୁ ତୁରନ୍ତ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button