May 19, 2024

ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୨୫/୧୧) : ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୋପାଳରୁ ଏକ ଭିଡିଓ ବାର୍ତା ମାଧ୍ୟମରେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଧର୍ମେନ୍ଦ୍ର । ମୁଖ୍ୟମନ୍ତ୍ରୀ ଉପରକୁ ସହନଶୀଳ ମାତ୍ର ତାଙ୍କ ସହ ଅସହମତି ରଖୁଥିବା ଓ ସମାଲୋଚନା କରୁଥିବା ବ୍ୟକ୍ତିବିଶେଷଙ୍କୁ ଅପମାନିତ କରିବାରେ ତାଙ୍କୁ ଆନନ୍ଦ ମିଳେ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦେଶକଙ୍କ ସହ କଥା ହୋଇ ସେ ତାଙ୍କର ପ୍ରତିବାଦ ଜଣାଇଛନ୍ତି । ନବୀନ ପଟ୍ଟନାୟକଙ୍କ ସହ ଅସହମତ ହେଉଥିବା ଲୋକମାନଙ୍କୁ ଡରାଇ ଧମକାଇ ଚୁପ କରିବା ପାଇଁ ସେ ଏପରି କରୁଛନ୍ତି କି ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୀତିରେ ସହମତି, ଅସହମତି, ଆଲୋଚନା ଓ ପର୍ଯ୍ୟାଲୋଚନା ଗଣତାନ୍ତ୍ରିକ ପ୍ରକ୍ରିୟାର ଅଙ୍ଗ । ଖାରବେଳ ସ୍ୱାଇଁ ଓଡିଶା ପାଇଁ ଗୌରବ ଆଣିଛନ୍ତି । ଶ୍ରୀ ସ୍ୱାଇଁଙ୍କର ଓ ଅନ୍ୟାନ୍ୟ ବିରୋଧୀ ମାନଙ୍କର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାର ଅଧିକାର ଅଛି । ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ସମସ୍ତଙ୍କୁ ସମାଲୋଚନା କରିବାର ସମାନ ଅଧିକାର ରହିଛି । ମାତ୍ର ଓଡିଶାର ଟିକସଦାତା ମାନଙ୍କର ଅର୍ଥରେ ଗଢା ହୋଇଥିବା ବିଜୁ ଯୁବ ବାହିନୀକୁ ବ୍ୟବହାର କରି ଆକ୍ରମଣ କରିବା ନେଇ ଦୃଢ ପ୍ରତିବାଦ କରିଛନ୍ତି ଶ୍ରୀ ପ୍ରଧାନ ।

ପୋଲିସ ଜଣଙ୍କୁ ଗିରଫ କରିବା ଘଟଣାରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର । ଘଟଣାସ୍ଥଳରେ ଗୁଡିଏ ଯୁବକ ଉପସ୍ଥିତ ଥିଲେ । ଜଣେ ଫୋନ କରି ‘ପାଂଚ-ଛଅ ଜଣ ଆସି ଯାଅ, ପିଟିକି ବିଦା କରି ଦେବା’ ବୋଲି କହୁଥିବା ଭିଡିଓରେ ଶୁଣା ଯାଉଛି । ପୋଲିସ କି ପ୍ରକାର କଠୋର କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ସେ କହିଛନ୍ତି । ସଭା କରିବା ପୂର୍ବରୁ ଶ୍ରୀଯୁକ୍ତ ସ୍ୱାଇଁ ଥାନାକୁ ଯାଇ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଏହି ସଭା ସ୍ଥାନକୁ କୌଣସି ପୋଲିସ କର୍ମଚାରୀ ଆସିଲେ ନାହିଁ କାହିଁକି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଆପଣ ବହୁତ ଜନପ୍ରିୟ ବୋଲି ଆପଣଙ୍କ ପାଖରେ ଦମ୍ଭ ଅଛି । ମାତ୍ର ଜଣେ ପୂର୍ବତନ ସାଂସଦ ସମାଲୋଚନା କଲେ, କ୍ଷମତା ଚାଲି ଯିବା ଡରରେ ଓଡିଆ ଲୋକଙ୍କ ଝାଳବୁହା ଅର୍ଥରେ ଲୋକଙ୍କୁ ମାଡପିଟ କରି ମୁହଁ ବନ୍ଦ କରାଇବା ପାଇଁ ବିଜୁ ଯୁବ ବାହିନୀକୁ ଗୁଣ୍ଡା ଭାବରେ ବ୍ୟବହାର କରିବା କ’ଣ ଠିକ୍ ? ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ମାନେ କ୍ରୁର ହେଲେଣି । କଳାପାହାଡ ମାନଙ୍କ ଘେରରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଉ କିଛି ମାସ ପରେ ନିର୍ବାଚନ ହେବ । ମୁଖ୍ୟମନ୍ତ୍ରୀ ଲୋକଙ୍କ ମତାମତ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ଓ ନିଜର ବଚସ୍କର ମାନଙ୍କୁ ବିରୋଧୀଙ୍କ ବିରୁଦ୍ଧରେ ହିଂସାରୁ ନିବୃତ ରଖନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.