ରାଜ୍ୟ

୧୦୮ ଓଏମଆର ସିଟ୍ ଗାଏବ ହେବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୦୩/୦୩) : ରାଜ୍ୟରେ ପରିଚାଳିତ ହେଉଥିବା ମାଟ୍ରିକ ପରୀକ୍ଷାରେ ପ୍ରତିଦିନ ପ୍ରଶ୍ନପତ୍ର ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । କେଉଁଠି ପ୍ରଶ୍ନପତ୍ର ଭାଇରାଲ୍‌ ହେଉଛି ତ ଆଉ କେଉଁଠି ଗ୍ରାମବାସୀ ପାଚେରି ଡେଇଁ ପିଲାଙ୍କୁ କପି ଯୋଗାଉଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟର  ପିଲାମାନଙ୍କ ଭବିଷ୍ୟତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଣି ଆଜି ମାଲକାନଗିରିର ଗୋଟେ ସେଣ୍ଟରରେ ୧୦୮ ଓଏମଆର ସିଟ୍ ଗାଏବ ହେବା ଘଟଣା ରାଜ୍ୟରେ ଚହଳ ପକାଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ରାଜ୍ୟରେ ଚାଲୁଥିବା ମାଟ୍ରିକ ପରୀକ୍ଷା ପରିଚାଳନାରେ ବିଭ୍ରାଟ ରାଜ୍ୟବାସୀଙ୍କୁ ଅସହ୍ୟ କଲାଣି । ପରୀକ୍ଷା ଆରମ୍ଭ ଦିନରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ନାହିଁ ଯେଉଁଦିନ ପ୍ରଶ୍ନପତ୍ର ଭାଇରାଲ ହେଉନାହିଁ ବୋଲି ସାମାଜିକ ଗଣମାଧ୍ୟମରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଥରେ ବି ପ୍ରଶ୍ନପତ୍ର ଭାଇରାଲ ହେବା ବି ଉଚିତ୍ ନୁହେଁ । ମାତ୍ର ଥରେ ଭାଇରାଲ ହେବା ପରେ ଓ ଏହା ଉପରେ କଡା ନଜର ରଖି ଯେପରି ଏଭଳି ତ୍ରୁଟି ନହୁଏ ସେଥିପାଇଁ ଯତ୍ନବାନ ହେବା ପାଇଁ ସରକାର ଓ କର୍ତୃପକ୍ଷଙ୍କ ଦୃଢ ପ୍ରତିଶ୍ରୁତି ସତ୍ୱେ ବି ବାରମ୍ବାର ପ୍ରଶ୍ନ ପତ୍ର ଭାଇରାଲ ହେବାରେ ଲାଗିଛି । ଆଜି ଆଉ ଏକ ନୂଆ ପ୍ରକାର ଅବ୍ୟବସ୍ଥା ସାମ୍ନାକୁ ଆସିଛି । ମାଲକାନଗିରିର ଗୋଟେ ସେଂଟରରେ ୧୦୮ ଓଏମଆର ସିଟ୍ ଗାଏବ ହେବା ଭଳି ଘଟଣା ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ଲେଖିଛନ୍ତି ଯେ ମାଟ୍ରିକ ପରୀକ୍ଷା ଆମ ରାଜ୍ୟର ସାଧାରଣ ପରିବାରର ପିଲାମାନଙ୍କ ପାଇଁ ଭବିଷ୍ୟତ ଗଢିବା ପାଇଁ ବଡ ପରୀକ୍ଷା । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ସବୁଦିନ ବିଭ୍ରାଟର ପରିସ୍ଥିତିକୁ ନବୀନ ପଟ୍ଟନାୟକଙ୍କ ସରକାରର ସ୍ଥାଣୁତା ଓ ଅପାରଗତା କୁହାଯିବନାହିଁ ତ ଆଉ କଣ କୁହାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ।

ନବୀନ ବାବୁଙ୍କୁ ସ୍ଥାଣୁ, ଅପାରଗ ଓ ସମ୍ବେଦନହୀନ କହିଲେ ରାଜ୍ୟ ଶାସକ ଦଳକୁ ଚେଙ୍କ ଲାଗେ । ସେମାନେ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି । ସରକାର ତ ପ୍ରଶାସନିକ ବ୍ୟବସ୍ଥାକୁ ପିଲାଙ୍କ ଭବିଷ୍ୟତ ଗଢୁଥିବା ପରୀକ୍ଷାର ପରିଚାଳନାରେ ନଲଗାଇ ରାଜନୈତିକ କାମରେ ଲଗାଇଛନ୍ତି । ପିଲାଙ୍କ ଭବିଷ୍ୟତ ପଛେ ଚୂଲିକୁ ଯାଉ ମାତ୍ର ନବୀନ ପଟ୍ଟନାୟକଙ୍କ ରାଜନୈତିକ ସ୍ୱାର୍ଥ ସୁରକ୍ଷିତ ରହୁ ସେଥିପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ଅବ୍ୟବସ୍ଥା କାରଣରୁ ଅରାଜକ ପରିସ୍ଥିତି ସୃଷ୍ଟି ହୋଇଛି ।

ଚଳିତ ମାଟ୍ରିକ ପରୀକ୍ଷାରେ ପାଖାପାଖି ୬ ଲକ୍ଷ ପିଲା ପରୀକ୍ଷା ଦେଉଛନ୍ତି । ଏହି ପରୀକ୍ଷାରେ ଅରାଜକତା, ଏହି ପିଲା ତାଙ୍କର ପରିବାର ଉପରେ ଯେଉଁ ମାନସିକ ଚାପ ତିଆରି କରୁଛି ଓଡିଶାର ମୁଖ୍ୟମନ୍ତ୍ରୀ ତାହାକୁ ବୁଝିପାରିବେନି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । କେବଳ ରାଜନୈତିକ ସ୍ୱାର୍ଥ ଓ ନିର୍ବାଚନ ସର୍ବସ୍ୱ ନହୋଇ ଓଡିଆ ପିଲାଙ୍କ ଭବିଷ୍ୟତ କଥା ମୁଖ୍ୟମନ୍ତ୍ରୀ ଟିକେ ଗୁରୁତ୍ୱର ସହ ନିଅନ୍ତୁ । ଗରିବ, ସାଧାରଣ ପରିବାରର ଓଡିଆ ପିଲାଙ୍କ ମେଧାଶକ୍ତି ହିଁ ଓଡିଶାର ମୂଳ ସମ୍ବଳ ।

ମାଟ୍ରିକ ପରୀକ୍ଷା ଆମ ରାଜ୍ୟର ମୂଳ ପୁଞ୍ଜିଙ୍କ ଭବିଷ୍ୟତ ଗଢିବାର ପ୍ରଥମ ପାହାଚ । ମୁଖ୍ୟମନ୍ତ୍ରୀ ଲକ୍ଷ ଲକ୍ଷ ପିଲା ଓ ପରିବାର ପ୍ରତି ସମ୍ବେଦନହୀନ ହେବା ବଦଳରେ ପରୀକ୍ଷା ପରିଚାଳନାକୁ ସଠିକ୍ ମାର୍ଗରେ ନେବା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button