ନୂଆଦିଲ୍ଲୀ ଠାରେ ଆୟୋଜିତ ବ୍ଲୁମବର୍ଗ ଏନ୍ଇଏଫ୍ ସମ୍ମିଳନୀରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୦୨/୦୮) : ଭାରତରେ ଆଗକୁ ବଢୁଥିବା ଉର୍ଜା କ୍ଷେତ୍ର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଥିବା ବେଳେ ଦେଶର ଉର୍ଜା ସୁରକ୍ଷା ଏବଂ ସ୍ଥାୟୀ ଉର୍ଜା ଉବିଷ୍ୟକୁ ସନିଶ୍ଚିତ କରିବା ପାଇଁ ଉଭୟ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଦେଶକୁ ସ୍ୱାଗତ ବୋଲି ନୂଆଦିଲ୍ଲୀ ଠାରେ ଆୟୋଜିତ ବ୍ଲୁମବର୍ଗ ଏନ୍ଇଏଫ୍ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଭାରତର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ସୁଦୃଢ ହୋଇପାରିଛି । ଦେଶରେ ମଜବୁତ୍ ଘରୋଇ ଅର୍ଥ ବ୍ୟବସ୍ଥା ଏବଂ ପରିବେଶ ସହାୟକ ନୀତି ଯୋଗୁଁ ଭାରତ ସରକାର ଦେଶର ଆର୍ଥିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
ପରିବେଶ ପ୍ରଦୂଷଣ ଆମ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଦେଶରେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ବିଏସ-୬ ମାନର ଇନ୍ଧନକୁ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଗତବର୍ଷ ଏପ୍ରିଲରୁ ବିଏସ-୬ ମାନର ଇନ୍ଧନର ବ୍ୟବହାର ଆରମ୍ଭ ହୋଇଛି । ସେହିପରି ରିଫାଇନାରୀ ସଂସ୍ଥା ଗୁଡିକ ବିଏସ-୬ ଗୁଣବତା ବିଶିଷ୍ଟ ଇନ୍ଧନ ଉତ୍ପାଦନ ଏବଂ ଏହାକୁ ୨୦୨୦ ଏପ୍ରିଲରୁ ସାରା ଦେଶରେ ଯୋଗାଇବା ପାଇଁ ପ୍ରାୟ ୩୦, ୦୦୦ କୋଟି ଅର୍ଥ ପୁଞ୍ଜିନିବେଶ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଥିବାବେଳେ ନିକଟ ଭବିଷ୍ୟତରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ତଥା ଭାରତକୁ ସୁରକ୍ଷିତ ରଖିବା ପାଇଁ ଦେଶର ୧.୩ ବିଲିୟନ ଲୋକଙ୍କ ପାଖରେ ଉର୍ଜା ପହଁଚାଇବାର ଆବଶ୍ୟକତା ରହିଛି । ଅପରପକ୍ଷରେ ଦେଶରେ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାଇଡ୍ରୋକାର୍ବନ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇ ବିକଳ୍ପ ଉର୍ଜା ବାହାର କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ୭.୫ କୋଟି ଗରିବ ଲୋକଙ୍କୁ ଏଲପିଜି ଗ୍ୟାସ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ଯୋଗାଇ ସେମାନଙ୍କ ଜୀବନଶୈଳିକୁ ପରିବର୍ତନ କରିଛି । ଏଲପିଜି ବ୍ୟବହାର କ୍ଷେତ୍ରରେ ୨୦୧୪ରେ ୫୬ ପ୍ରତିଶତରୁ ବୃଦ୍ଧି ପାଇଁ ଏବେ ଏହା ୯୫ ପ୍ରତିଶତରେ ପହଁଚିଛି । ୱାର୍ଲଡ୍ ବ୍ୟାଙ୍କ୍ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ର୍ୟାଙ୍କିଂରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।