ଉଜ୍ଜଳା ଯୋଜନାରେ ୫୦ ହଜାର ହିତାଧିକାରୀଙ୍କ ସହ କଥାହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ସ୍ମୃତି ଇରାନୀ
1 min read
ଆଓରି-ଭୁବନେଶ୍ଵର(୦୧/୦୨) : ଉଜ୍ଜଳା ଯୋଜନାରେ ୫୦ ହଜାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ । ଏହି ଅବସରରେ କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ଜଳା ଯୋଜନାର ଉପକାରିତା ବିଷୟରେ କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଆଜି ମହିଳାଙ୍କ ସମ୍ମାନ ବଢାଇଛି । ଦେଶର ୬ କୋଟି ଗରିବ ମା, ଭଉଣୀମାନେ ଉଜ୍ଜଳା ଗ୍ୟାସ ପାଇଥିବା ବେଳେ ଓଡିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଁଚିଛି । ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜଳା ଗ୍ୟାସ ପହଁଚିପାରିବ ଏନେଇ ପ୍ରୟାସ ଜାରି ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଆଜି ରାଜ୍ୟରେ ୨୮ଟି ସ୍ଥାନରେ ଅନୁଷ୍ଠିତ ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଭିଡିଓକନଫରେନସିଂ ମାଧ୍ୟମରେ ୫୦ ହଜାରରୁ ଉର୍ଦ୍ଧ୍ୱ ଲାଭାର୍ଥୀ ମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିକଳ୍ପନାରେ ଆଜି ଦେଶର ୬ କୋଟି ଗରିବ ମା, ଭଉଣୀ ମାନେ ଉଜ୍ଜଳା ଗ୍ୟାସ ପାଇପାରିଛନ୍ତି । ରାଷ୍ଟ୍ରପତି ମଧ୍ୟ ଏହି ଉଜ୍ଜଳା ଗ୍ୟାସର ସଫଳତାକୁ ପ୍ରଂଶସା କରିଥିବା କହିଛନ୍ତି ଶ୍ରୀ ପ୍ରଧାନ।
ଆସନ୍ତାକାଲି ଏଲପିଜି ଦର କମିବ । ମା, ଭଉଣୀ ମାନେ କିପରି ଶସ୍ତାରେ ଏଲପିଜି କିଣିପାରିବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ ଘରେ ଜନ୍ମ ନେଇ ନିଜ ଗୋଡରେ ଠିଆ ହେବା ପରେ ଗରିବ ପରିବାରର ଦୁଃଖକଷ୍ଟ ସେ ବୁଝିପାରିଛନ୍ତି । ତାଙ୍କ ସରକାର ଗରିବ ମହିଳାଙ୍କ ପାଇଁ ସମର୍ପିତ ବୋଲି କହିଥିଲେ । ତାହା ସାଢେ ୪ ବର୍ଷରେ କାମରେ କରି ଦେଖାଇଲେ । ଉଜ୍ଜଳା ଯୋଜନା ପ୍ରଧାନମନ୍ତ୍ରୀଙ୍କର ଏକ ମହତ୍ୱାଙ୍କାକ୍ଷୀ ଯୋଜନା ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ସେହିପରି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଗରିବ ଲୋକମାନଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଲୋକମାନଙ୍କୁ ତାଙ୍କ ହକ୍ରୁ ରାଜ୍ୟ ସରକାର ବଂଚିତ କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତ କରିଛନ୍ତି।
ଏହି ଅବସରରେ ସ୍ମୃତି ଇରାନୀ କହିଛନ୍ତି ଯେ, ମା ଓ ଭଉଣୀ ମାନେ ଦୁଇଓଳି ରୋଷାଇ କରିବା ପାଇଁ ବହୁ କଷ୍ଟ କରିବାକୁ ପଡୁଥିଲା । ଧୂଆଁରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିଲା । ଉଜ୍ଜଳା ଯୋଜନା ଆରମ୍ଭ କରି ଏହି ସମସ୍ୟାର ସମାଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ପରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ କାହିଁକି ଲାଗୁ କରାଯାଇନାହିଁ ବୋଲି ରାଜ୍ୟ ସରକାରଙ୍କୁ ଜବାବ ମାଗିବା ପାଇଁ ସେ ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ଧର୍ମଗଡ, ଢେଙ୍କାନାଳ, ପଦ୍ମପୁର, ଏରମ, ବ୍ରହ୍ମଗିରି ପରି ଅଂଚଳରେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କ ସହ ଉଭୟ ମନ୍ତ୍ରୀ ସିଧାସଳଖ ଆଲୋଚନା କରିଥିଲେ । ହିତାଧିକାରୀ ମାନେ କହିଥିଲେ ଯେ, ଉଜ୍ଜଳା ଗ୍ୟାସ ପାଇବା ଦ୍ୱାରା ସେମାନେ ଭଲରେ ଅଛନ୍ତି । ନିଜ ପରିବାର ସହ ପିଲାମାନଙ୍କୁ ସମୟ ଦେବା ସହ ନିଜେ ମଧ୍ୟ ଆତ୍ମ ନିରର୍ଭରଶୀଳ ହୋଇପାରିଛନ୍ତି । ଉଜ୍ଜଳା ଗ୍ୟାସ୍ ସେମାନଙ୍କୁ ସମ୍ମାନ ଦେଇଥିବା କଥା ହିତାଧିକାରୀ ମାନେ କହିଛନ୍ତି ।