ଜାତୀୟ

ବରିଷ୍ଠ ବିଜେପି ନେତା କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଆଓରି-ନୂଆଦିଲ୍ଲୀ(୧୨/୧୧) : କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିବା କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କର ସୋମବାର ପ୍ରତ୍ୟୁଷରେ ଦେହାନ୍ତ ହେବା ପରେ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ତାଙ୍କ ମୃତ୍ୟୁ ଖବର ସୋମବାର ସକାଳେ ପ୍ରଚାରିତ ହେବା ପରେ ସବୁ ରାଜ ନୈତିକ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟର୍‌ ଜରିଆରେ ସେମାନଙ୍କ କ୍ଷୋଭ ଓ ଦୁଃଖ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି କୋବିନ୍ଦ ଲେଖିଛନ୍ତି: କେନ୍ଦ୍ର ମନ୍ତ୍ରୀ ଏବଂ ବର୍ଷିୟାନ୍‌ ସାଂସଦ ଶ୍ରୀ ଏଚ୍‌. ଏନ୍‌. ଅନନ୍ତ କୁମାରଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ। ଆମ ଦେଶର ସର୍ବସାଧାରଣଙ୍କ ଜୀବନ ନିମନ୍ତେ ଏହା ଗୋଟାଏ ବିୟୋଗାନ୍ତ କ୍ଷତି ଏବଂ ବିଶେଷ ଭାବେ କର୍ଣ୍ଣାଟକବାସୀଙ୍କ ପାଇଁ। ତାଙ୍କ ପରିବାର, ସହକର୍ମୀ ଏବଂ ଅସୁମାରି ସହଯୋଗୀଙ୍କ ପ୍ରତି ମୋର ସମ୍ବେଦନା।Aajira-Odisha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଛନ୍ତି: ମୋର ମୂଲ୍ୟବାନ ସହଯୋଗୀ ଏବଂ ବନ୍ଧୁ ଶ୍ରୀ ଅନନ୍ତ କୁମାର ଜୀଙ୍କ ଦେହାନ୍ତ ଯୋଗୁଁ ମୁଁ ଖୁବ୍‌ ଦୁଃଖୀ। ସେ ହେଉଛନ୍ତି ତରୁଣ ବୟସରେ ସର୍ବସାଧାରଣଙ୍କ ଜୀବନରେ ପ୍ରବେଶ କରି ଚରମ ଆଗ୍ରହ ଓ ପ୍ରେମରେ ସମାଜର ସେବା କରିଥିବା ଜଣେ ବିଚକ୍ଷଣ ନେତା। ତାଙ୍କର ଉତ୍ତମ କାମ ଲାଗି ସେ ଚିର ସ୍ମରଣୀୟ ହୋଇ ରହିବେ। ଅନେକ ବିଭାଗର ମନ୍ତ୍ରୀ ହୋଇଥିବା ଅନନ୍ତ କୁମାର ଜୀ ଥିଲେ ଜଣେ ଦକ୍ଷ ପ୍ରଶାସକ ଏବଂ ବିଜେପି ସଂଗଠନର ବଡ଼ ସମ୍ବଳ। କର୍ଣ୍ଣାଟକରେ, ବିଶେଷ ଭାବେ ବେଙ୍ଗାଲୁରୁ ଏବଂ ଏହାର ଚର୍ତୁପାର୍ଶ୍ୱ ଅଞ୍ଚଳରେ ଦଳକୁ ଦୃଢ଼ କରିବାକୁ ସେ କଠିନ ପରିଶ୍ରମ କରିଥିଲେ। ନିର୍ବାଚନ ମଣ୍ଡଳୀର ଲୋକମାନଙ୍କ ନିମନ୍ତେ ସେ ସହଜରେ ମିଳିପାରୁଥିଲେ। ମୁଁ ତାଙ୍କର ପତ୍ନୀ ଡାକ୍ତର ତେଜସ୍ୱୀନି ଜୀଙ୍କୁ କଥା କହି ଅନନ୍ତ କୁମାର ଜୀଙ୍କ ମୃତ୍ୟୁ ନିମନ୍ତେ ସମ୍ବେଦନା ଜଣାଇଛି। ଏଇ ଦୁଃଖଦ ବେଳରେ ତାଙ୍କ ପରିବାରବର୍ଗ, ବନ୍ଧୁ ଏବଂ ସମର୍ଥକଙ୍କ ସହ ମୋର ଭାବନା ରହିଛି। ଓଁ ଶାନ୍ତି।

 

ରାହୁଳ ଗାନ୍ଧୀ କହିଛନ୍ତି: ଆଜି ପ୍ରତ୍ୟୁଷରେ ବେଙ୍ଗାଲୁରୁରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଜୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖୀତ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ମୋର ସମ୍ବେଦନା। ତାଙ୍କ ଆତ୍ମା ଶାନ୍ତି ଲାଭକରୁ। ଓଁ ଶାନ୍ତି।

ନିର୍ମଳା ସୀତାରମଣ ଲେଖିଛନ୍ତି: ଶ୍ରୀ ଅନନ୍ତ କୁମାର ଆଉ ଆମ ଗହଣରେ ନାହାନ୍ତି ଶୁଣି ଖୁବ୍‌ ଦୁଃଖିତ। ବିଜେପି ଭାରତ ଏବଂ ବିଜେପି କର୍ଣ୍ଣାଟକରେ ସେ ଆଜୀବନ ସେବା କରିଛନ୍ତି। ଚିରକାଳ ବେଙ୍ଗାଲୁରୁ ଥିଲା ତାଙ୍କର ମନ ଓ ହୃଦୟ। ଏ କ୍ଷତି ସହିବାକୁ ତାଙ୍କ ପରିବାରକୁ ଈଶ୍ୱର ଶକ୍ତି ଦିଅନ୍ତୁ। ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ଅନନ୍ତ କୁମାର ଅକ୍ଟୋବର ମାସରେ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବେସ୍‌ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ଅଳ୍ପ କିଛି ଦିନ ତଳେ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ୬ ଥର ଲାଗି ସେ ବେଙ୍ଗାଲୁରୁ ଦକ୍ଷିଣ ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରିଥିଲେ। ଅନନ୍ତ କୁମାର କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାର ତୁଲାଇ ଥିଲେ।

ବେଙ୍ଗାଲୁରୁରେ ୧୯୫୯ ମସିହାରେ ଜୁଲାଇ ୨୨ ତାରିଖରେ ଜନ୍ମିତ କୁମାର ଓକିଲାତି ପାସ୍‌ କରିଥିଲେ। ହୁବୁଲିର କେଏସ୍‌ ଆର୍ଟସ୍‌ କଲେଜରୁ କଳାରେ ସ୍ନାତକ କରିବା ପରେ ଜେଏସ୍‌ଏସ୍‌ ଲ’ କଲେଜରୁ ଏଲ୍‌ଏଲ୍‌ବି କରିଥିଲେ। ତାଙ୍କର ଐଶ୍ୱର୍ଯ୍ୟା ଏବଂ ବିଜେତା ନାମ୍ନା ଦୁଇ ଝିଅ ଓ ପତ୍ନୀ ତେଜସ୍ୱୀନି ଅଛନ୍ତି। ପରିବାର ଲୋକେ ଶ୍ରଦ୍ଧାଞ୍ଜଳି ଦେବାକୁ ଅନନ୍ତ କୁମାରଙ୍କ ଶବ ଲାଲବାଗ ରୋଡ୍‌ସ୍ଥିତ ତାଙ୍କ ଘର ସୁମେରାରେ ସକାଳ ୮ଟା ଯାଏଁ ରଖାଯାଇଥିଲା। ପରେ ତାହାକୁ ନେସ୍‌ନାଲ୍‌ କଲେଜ ଗ୍ରାଉଣ୍ଡକୁ ନିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button