March 22, 2023

ଉଜ୍ଜଳା ଯୋଜନା ଭାରତୀୟ ମହିଳାମାନଙ୍କୁ ଏକ ନୂଆ ପରିଚୟ ଦେଇଛି ; ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ନୂଆଦିଲ୍ଲୀ(୨୨/୦୨) : ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଭାରତୀୟ ମହିଳାମାନଙ୍କୁ ଏକ ନୂଆ ପରିଚୟ ଦେଇଛି । ଗରିବ ପରିବାରରୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବର ଦୁଃଖ ବୁଝିଛନ୍ତି । ଏହାସହ ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀ ଠାରେ ଭିଡିଓ କନଫରେନସିଂ ମାଧ୍ୟମରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ସହ ଓଡିଶାର ୩୦ଟି ଜିଲ୍ଲାରେ ଆୟୋଜିତ ପଂଚମ ‘ଉଜ୍ଜ୍ଵଳା ସ୍ୱାଭିମାନ ଉତ୍ସବ’ରେ ୬୦ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜ୍ଵଳା ଲାଭାର୍ଥୀ ମାଆ ଭଉଣୀଙ୍କ ସହ ଯୋଗାଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଉଜ୍ଜଳା ଘରକୁ କେବଳ ଗ୍ୟାସ ସିଲିଣ୍ଡର ଦେଇ ନାହିଁ, ବରଂ ମହିଳାଙ୍କୁ ସଶକ୍ତିକରଣ କରୁଛି ବୋଲି କହିଛନ୍ତି ସୁଷମା ସ୍ୱରାଜ । ପୂର୍ବରୁ ମହିଳାମାନେ କାଠ ଦ୍ୱାରା ରୋଷେଇ କରୁଥିବା କାରଣରୁ ତାଙ୍କର ଅଧା ସମୟ ରୋଷେଇରେ ହିଁ ଯାଉଥିଲା । କାଠ ଦ୍ୱାରା ରୋଷେଇ କଲେ ମହିଳାଙ୍କ ଆଖି ଖରାପ ହେବା ସହ ଘର ଧୂଆଁରେ କଳା ପଡିଯାଉଥିଲା ଏବଂ ପରିବାର ଲୋକମାନେ ମଧ୍ୟ ରୋଗଗ୍ରସ୍ତ ହେଉଥିଲେ । କିନ୍ତୁ ଏବେ ଘରକୁ ଗୋଟେ ଗ୍ୟାସ ସିଲିଣ୍ଡର ଆସିବା କାରଣରୁ ଏ ସମସ୍ତ ଅସୁବିଧାରୁ ମହିଳାଙ୍କୁ ମୁକ୍ତି ମିଳିଛି ବୋଲି ମଧ୍ୟ କହିଛନ୍ତି ସୁଷମା ସ୍ୱରାଜ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସୁଷମାଙ୍କ ମାର୍ଗଦର୍ଶନ ଏକ ବଡ ପଦକ୍ଷେପ ନେବାରେ ସାହାଯ୍ୟ କରିଛି । ପୂର୍ବରୁ ଦେଶରେ ଏଲ୍ପିଜି ବିତରକ ସଂଖ୍ୟା ୧୩ ହଜାର ଥିବା ବେଳେ ଆଜି ଏହି ସଂଖ୍ୟା ବଢି ୨୩ ହଜାର ହେଲାଣି । ଏହାସହ ବିତରଣ କେନ୍ଦ୍ରକୁ ଆହୁରି ବୃଦ୍ଧି କରିବା ପାଇଁ  କମନ ସର୍ଭିସ୍ ସେଣ୍ଟର ସହ ମଧ୍ୟ ଯୋଡାଯାଇଛି । ଏହାସହ ୨ ଦିନ ପରେ ପ୍ରଧାନମନ୍ତ୍ରୀ ଦୁନିଆର ସବୁଠୁ ବଡ ଲମ୍ବା ଏଲପିଜି ପାଇପଲାଇନର ଶୁଭାରମ୍ଭ କରିବେ  । ଗୁଜୁରାଟରୁ ଉତ୍ତରପ୍ରଦେଶର ଗୋରଖପୁର ଯିବା ପାଇପ୍‌ ଲାଇନର କାମ ଆରମ୍ଭ କରାଯିବ । ଆଜି ଏଲପିଜି ଉଜ୍ଜଳା ଭାରତରେ ଏକ ନୂଆ କ୍ରାନ୍ତି ଆଣିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ବାଲେଶ୍ୱର ଅଂଚଳର ଭୋଗରାଇ ବ୍ଲକର ଉଜ୍ଜଳା ଲାଭାର୍ଥୀ ସ୍ୱର୍ଣ୍ଣଲତା ଗିରି କହିଥିଲେ ଯେ ଉଜ୍ଜଳା ଦ୍ୱାରା ତାଙ୍କ ସମୟ ବଞ୍ଚିଛି । ଯାହାଫଳରେ ସେ ବଳକା ସମୟରେ ଅନ୍ୟକାମ କରି ରୋଜଗାର କରିପାରୁଛନ୍ତି । ପୂର୍ବରୁ ସେମାନେ ଚୂଲାରେ କାଠ ସାହାଯ୍ୟରେ ରୋଷେଇ କରୁଥିବା ବେଳେ ଗ୍ୟାସ ଆସିବା ପରେ ସେମାନେ ସବୁ ସମସ୍ୟାରୁ ମୁକ୍ତି ହୋଇପାରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ଯଶିପୁରର ଚମ୍ପାବତୀ ସେଠୀ କହିଛନ୍ତି ଯେ ଉଜ୍ଜଳା ଗ୍ୟାସ୍ ଆମକୁ ଖୁସି ଦେଇଛି । ୨୦୧୬ରେ ଘରକୁ ଗ୍ୟାସ ଆସିବା ଫଳରେ ସେ ସ୍ୱାମୀଙ୍କୁ ଚାଷବାସ କାମରେ ସାହାଯ୍ୟ କରିପାରିଛନ୍ତି । ପୂର୍ବରୁ ଗାଈର ଗୋବରକୁ ଜାଳେଣୀରେ ବ୍ୟବହାର କରୁଥିଲେ । ମାତ୍ର ଗ୍ୟାସ ଆସିବା ପରେ ସେ ଗୋବରକୁ ଚାଷରେ ଲଗାଇପାରୁଛନ୍ତି ଏବଂ ଘରର ଆମଦାନୀ ମଧ୍ୟ ବଢିଛି ।

କୋରାପୁଟ ଜିଲ୍ଲାର ନିଶାଣିମୁଣ୍ଡା ଗାଁର ମୀନାକ୍ଷୀ ନାୟକ କହିଥିଲେ ଯେ ପୂର୍ବରୁ ସେ କାଠ ଜାଳେଣୀ ସାହାଯ୍ୟରେ ରୋଷେଇ କରୁଥିଲେ । କିନ୍ତୁ ଏବେ ଗ୍ୟାସ ଆସବା ଫଳରେ ସେ ପରିବାର ଲୋକଙ୍କ ଯତ୍ନ ନେବା ସହ ବାହାରକୁ ଯାଇ ରୋଜଗାର କରିପାରଥିବା କହିଥିଲେ । ସେହିଭଳି ଉଜ୍ଜଳା ଯୋଜନାର ଯାଜପୁର ଜିଲ୍ଲାର କଂଟାବଣିଆ ଗାଁର ଅନ୍ୟତମ ଲାଭାର୍ଥୀ ରହିମା ବିବି ଉଜ୍ଜଳାରେ ଗ୍ୟାସ ଆସିବା ପରେ ନିଜ ଅନୁଭବକୁ ବ୍ୟକ୍ତ କରି କହିଥିଲେ ଯେ ଉଜ୍ଜଳା ଯୋଜନାରେ ଗ୍ୟାସ ଆସିବା ଆମକୁ ଖୁସି ଦେଇଛି । ଗ୍ୟାସ ଆସିବା ଦ୍ୱାରା ସମୟ ବଂଚିବା ସହ ସେହି ସମୟରେ ସେ ପିଲାଙ୍କୁ ପାଠ ପଢାଇ ପାରୁଛନ୍ତି ବୋଲି କହିଥିଲେ ।

ସମସ୍ତ ଲାଭାର୍ଥୀ ମାନଙ୍କ  ସହ ସିଧାସଳଖ କଥାବାର୍ତ୍ତା ହେବା ପରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ସାରା ଦୁନିଆରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଧମାଲ୍ ମଚାଇଛି । ମହିଳାଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିଛି ଏବଂ ସେମାନେ ସ୍ୱାବଲମ୍ବି ହୋଇପାରିବା ସହ ଘରେ ଆମଦାନୀ ମଧ୍ୟ ବଢୁଥିବା ସେ ପରିପ୍ରକାଶ କରିଛନ୍ତି । ଏହି ଯୋଜନା ପାଇଁ ଶ୍ରୀମତି ସୁଷମା ସ୍ୱରାଜ ଲାଭାର୍ଥୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀ ପ୍ରଧାନଙ୍କୁ ଆଶୀର୍ବାଦ ଦେବା ପାଇଁ କହିଥିଲେ । ସମସ୍ତ ଲାଭାର୍ଥୀମାନେ ମଧ୍ୟ ହୁଳିହୁଳି ଦେଇ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପାଇଁ ମୋଦି ଏବଂ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଦେଇଥିଲେ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ୩୦ଟି ଜିଲ୍ଲାରେ ୬୦ ହଜାରରୁ ଅଧିକ ଭଉଣୀ ବିଗତ ୧ ମାସ ବ୍ୟାପି ଆଜି ପଂଚମ ଉଜ୍ଜଳା ସ୍ୱାଭିମାନ ଦିବସ ସମାପ୍ତ ହେଲା । ଏହା ଭିତରେ ୩ ଲକ୍ଷରୁ ଅଧିକ ଭଉଣୀ ମାନଙ୍କୁ ଦେଶର ବିଭିନ୍ନ ବରିଷ୍ଠ ମହିଳା ନେତ୍ରୀମାନେ ସମ୍ବୋଧିତ କଲେ । ଆଜି ପ୍ରେରଣାର ସ୍ରୋତ, ଆଦରଣୀୟା ସୁଷମା ସ୍ୱରାଜଙ୍କ ଠାରୁ ଓଡିଶାର  ୪ଟି ଜାଗାରେ ସ୍ୱର୍ଣ୍ଣଲତା, ଚମ୍ପାବତୀ, ମୀନାକ୍ଷୀ ଓ ରହିମା ୪ ଜଣ ଭଉଣୀଙ୍କ ସହ ସିଧାସିଧା ସୁଖଦୁଃଖ ହେବାର ସୁଯୋଗ ମିଳିଲା । ସୁଷମା ସ୍ୱରାଜ ସମସ୍ତ ମହିଳାମାନଙ୍କ ସହ କଥା ହୋଇ ନିଜ ନିଜର ଅନୁଭବ ବ୍ୟକ୍ତ କଲେ ବୋଲି ଶ୍ରୀ ପ୍ରଧାନ  କହିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.