ଜାତୀୟ

ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ୧୦ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ

ଆଓରି-ନୂଆଦିଲ୍ଲୀ(୨୬/୧୧) : ନଭେମ୍ବର ୨୬, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୧୦ ବର୍ଷ ପୂରିଛି । ଏହି ଅବସରରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ, ତାଜ ହୋଟେଲ, ଟ୍ରାଇଡେଣ୍ଟ ହୋଟେଲରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ଏହି ଅବସରରେ ନୌସେନା ମୁଖ୍ୟ ସୁନିଲ ଲାମ୍ବା ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ୨୬/୧୧ ଭଳି ସମ୍ଭାବ୍ୟ ଆକ୍ରମଣକୁ ମୁକାବିଲା କରିବା ପାଇଁ ଭାରତ ଏବେ ଏକଦମ୍ ପ୍ରସ୍ତୁତ । ଭାରତର ସମୁଦ୍ରକୁ ସୁରକ୍ଷା ଦେବା ପାଇଁ ନୌସେନାର କ୍ଷମତା ବୃଦ୍ଧି ପାଇଛି । ଏହି ଆକ୍ରମଣ ଘଟଣାର ସ୍ୱତନ୍ତ୍ର ସରକାରୀ ଓକିଲ ଉଜ୍ୱଳ ନିକମ୍ କହିଛନ୍ତି, ପାକିସ୍ତାନ ସରକାର ଏହି ମାମଲାରେ ସମ୍ପୃକ୍ତ ଥିବା ପ୍ରମୁଖ ଷଡଯନ୍ତ୍ରକାରୀମାନଙ୍କର ବିଚାର ପ୍ରକ୍ରିୟାରେ ସହଯୋଗ କରୁନାହାନ୍ତି । ନିକମ କହିଛନ୍ତି, ଇସଲାମାବାଦ ସମ୍ପୃକ୍ତ ଷଡଯନ୍ତ୍ରକାରୀ ତଥା ଆକ୍ରମଣମାନଙ୍କୁ ଆଶ୍ରୟ ଯୋଗାଇ ଦେଇଛନ୍ତି ।

ଏହି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ  ତଥା ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ ସଇଦ ଓ ଜାକିଉର ରେହମାନ ଲକଭୀଙ୍କୁ ପ୍ରଦାନ କରାଯାଇଥିବା ଜାମିନ ଆବେଦନକୁ ରଦ୍ଦ କରିବା ପାଇଁ ପାକିସ୍ତାନ ସରକାର ପ୍ରୟାସ କରିବା ଦରକାର ବୋଲି ନିକମ କହିଛନ୍ତି । ଭଦୋଦରାଠାରେ ଆୟୋଜିତ ଏକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ନିକମ୍ କହିଛନ୍ତି ଘଟଣାର ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ଷଡଯନ୍ତ୍ରକାରୀଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନାହାନ୍ତି । ଉକ୍ତ ଆକ୍ରମଣ ପାଇଁ ପାକିସ୍ତାନର କରାଚି ବନ୍ଦରରୁ ୧୦ ପାକିସ୍ତାନ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ପରେ ସେମାନେ ସହରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ଏଥିରେ ୨୮ଜଣ ବିଦେଶୀଙ୍କ ସମେତ ମୋଟ ୧୬୬ଜଣ ପ୍ରାଣ ହରାଇଥିଲେ । ଏହି ଘଟଣାରେ ପୋଲିସ ଗୁଳିରେ ୯ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଧରାପଡିଥିବା ,ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ଫାଶୀ ଦିଆଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button