କଳା ଓ ସଂସ୍କୃତି

ଆଜି ପାଳିତ ହେବ ହେରାପଞ୍ଚମୀ

ଆଓରି-ଭୁବନେଶ୍ଵର(୧୮/୭) : ବୁଧବାର ପାଳିତ ହେବ ହେରାପଞ୍ଚମୀ ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ (ମା’ ଲକ୍ଷ୍ମୀ ଠାକୁରାଣୀ) ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ହୋଇଛି।

ଭୋର ୪ଟାରେ ଦ୍ୱାର ଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢିବ। ମଇଲମ, ତଡ଼ପଲାଗି ନୀତି ବଢି ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ବଢିବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ବଢିବ। ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢି ଅପରାହ୍ନ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗ ମଣ୍ଡପ ବଢିବ। ଏହାପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟାଧୂପ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ଜଗମୋହନକୁ ବିଜେ କରିବେ। ଏହାପରେ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଲାଗି ହେବା ପରେ ସନ୍ଧ୍ୟାଧୂପ ଟେରା ପଡିବ। ରାତ୍ର ୯ଟା ୫୦ ସୁଦ୍ଧା ସନ୍ଧ୍ୟାଧୂପ ବଢିବ। ପରେ ମଇଲମ, ଚନ୍ଦନଲାଗି ଓ ବଡ଼ସିଂହାର ହୋଇ ରାତ୍ର ୧ଟା ସୁଦ୍ଧା ରାତ୍ର ପହୁଡ ହେବାକୁ ନୀତି ନିର୍ଘଣ୍ଟ ହୋଇଛି।

ଏ ସଂପର୍କରେ ଉଲ୍ଲେଖନୀୟ ଯେ ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀଗୁଣ୍ଡିଚାଯାତ୍ରାରେ ଯାଇଥିଲେ ମଧ୍ୟ, ଶ୍ରୀମନ୍ଦିର ଶୂନ୍ୟ ନଥାଏ। ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ଶ୍ରୀମାଧବ ଏବଂ ତାଙ୍କ ସହିତ ଶ୍ରୀଦେବୀ (ଲକ୍ଷ୍ମୀ) ଓ ଭୂଦେବୀ (ସରସ୍ୱତୀ) ଶ୍ରୀମନ୍ଦିରର ଭିତର ଠାରେ ବିରାଜମାନ ଥାଆନ୍ତି। ହେରାପଞ୍ଚମୀ ଦିନ ସେଠାରୁ (ଭଣ୍ଡାର ଘର ନିକଟରୁ) ଶ୍ରୀଦେବୀଙ୍କୁ ମହାଜନ ସେବକ ବିମାନକୁ ବିଜେ କରାଇ ଆଣନ୍ତି ଏବଂ ବିମାନବଡୁ ସେବକ ତାଙ୍କୁ ଆଡମ୍ବରପୂର୍ଣ୍ଣ ଘଣ୍ଟ, ବାଜା, କାହାଳୀ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥ ନିକଟକୁ ନେଇଯାଆନ୍ତିା ସେଠାରେ ଶ୍ରୀଜଗନ୍ନାଥଙ୍କ ‘ନନ୍ଦିଘୋଷ’ ରଥକୁ ଚିହ୍ନଟ କରିସାରି, ଦେବୀ ବିମାନ ଉପରେ ବସି ରହିଥିବାବେଳେ ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ରୂପେ ପତିମହାପାତ୍ର ସେବକ ତାଙ୍କର ବନ୍ଦାପନା ଓ ପୂଜାର୍ଚ୍ଚନା ଆଦି କରନ୍ତି।

ତା’ପରେ ଦେବୀଙ୍କ ବିମାନ ଶ୍ରୀଗୁଣ୍ଡିଚା ମନ୍ଦିରର ଜୟବିଜୟ ଦ୍ଵାର ନିକଟକୁ ଯାଏ ଏବଂ ବିମାନ ଉପରେ ଥାଇ, ସେହିଠାରୁ ସେ ବିମଳାଦେବୀଙ୍କ ଠାରୁ ଆଣିଥିବା ମୋହଚୂର୍ଣ୍ଣ ଶ୍ରୀଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି। ତାହାର ତୁରନ୍ତ ପ୍ରତିଫଳ ସ୍ୱରୂପ, ପତି ମହାପାତ୍ରଙ୍କ ଦ୍ଵାରା ତାଙ୍କୁ ଆଜ୍ଞାମାଳ ପ୍ରଦାନ କରନ୍ତିି ଶ୍ରୀଜଗନ୍ନାଥ ଏବଂ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି ଯେ ତିନିଦିନ ପରେ ସେ ନିଶ୍ଚୟ ଫେରିବେ। କିନ୍ତୁ ସେହି ସମୟକୁ ସନ୍ଧ୍ୟାଧୂପର ସମୟ ହୋଇଯାଇ ଥିବାରୁ, ଦେବୀଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ଆଉ ଅଧିକ ସମୟ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ। ସେଥିରେ ରୁଷ୍ଟ ହୋଇ ଦେବୀ ନନ୍ଦିଘୋଷ ରଥରୁ ଖଣ୍ଡିଏ କାଠ ଭାଙ୍ଗିଦେଇ ଚାଲିଆସନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button