ଖେଳ

ଭାରତ-ଇଂଲଣ୍ଡ ପ୍ରଥମ ଟ୍ୱେଣ୍ଟି -୨୦ ଆଜି

ଆଅରି-ନୂଆଦିଲୀ(୩-୭) : ଇଂଲଣ୍ଡ ଓ ଭାରତ ମଧ୍ୟରେ ତିନିଟିକିଆ ଟ୍ୱେଣ୍ଟି -୨୦ ସିରିଜର ପ୍ରଥମ ମ୍ୟାଚ ମଙ୍ଗଳବାର ଖେଳାଯିବ। ଅନ୍ୟପକ୍ଷରେ ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ ଭାରତ  ଆଇସିସି ଟି-୨୦ ମାନ୍ୟତାରେ  ଦ୍ୱିତୀୟ ସ୍ଥାନ ଅଧିକାର କରିଛି।  ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରୀୟ ଦଳ ଏହି ଉପଲବ୍ଧି ହାସଲ କରିଛି।  ୧୩୧ ପଏଣ୍ଟ ସହିତ ପାକିସ୍ତାନ ଶାର୍ଷ ସ୍ଥାନ ବଜାୟ ରଖିଛି। ଭାରତ ମାତ୍ର ୮ ପଏଣ୍ଟ ବ୍ୟବଧାନରେ ୧୨୩ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ୧୧୮ ପଏଣ୍ଟ ସହିତ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ରହିଛି। ତେଣୁ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପୂର୍ବରୁ ଭାରତର ଏହ ସଫଳତା ଦଳର ମନୋବଳ ବଢାଇବା ଦିଗରେ ସାହାଯ୍ୟ କରିବ।

ନିକଟରେ ଆୟରଲାଣ୍ଡ ବିପକ୍ଷ ଟ୍ୱେଣ୍ଟି୨୦ ସିରିଜକୁ ୨-୦ରେ ହାତେଇ ନେଇଥିବା ଭାରତୀୟ ଦଳ ଗଭୀର ଆତ୍ମବିଶ୍ୱାସର ସହ ଏହି ଇଂଲଣ୍ଡ ଗସ୍ତ ଆରମ୍ଭ କରିବାକୁ ଯାଉଛି। ଆସନ୍ତାବର୍ଷ ଅର୍ଥାତ ୨୦୧୯ରେ ବିଶ୍ୱକପ ଆୟୋଜିତ ହେଉଥିବାବେଳେ ଭାରତ-ଇଂଲଣ୍ଡ ସିରିଜ ଉଭୟ ଦଳ ପାଇଁ ପ୍ରସ୍ତୁତିରେ ବିଶେଷ ସହାୟକ ହେବ।
ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଏହି ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିବ ବୋଲି କ୍ରିକେଟପ୍ରେମୀ ଆଶା କରୁଛନ୍ତି। ବିରାଟ କୋହଲିଙ୍କ ବ୍ୟତୀତ ଶିଖର ଧାୱନ, ରୋହିତ ଶର୍ମା, ଲୋକେଶ ରାହୁଲ, ମନୀଷ ପାଣ୍ଡେ ଓ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଭାରତୀୟ ବ୍ୟାଟିଂ ଲାଇନଅପ୍‍ ବେଶ ଶକ୍ତିଶାଳୀ। ଅଲରାଉଣ୍ଡର ଭାବେ ସୁରେଶ ରୈନା ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ସଫଳତା ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‍ରା ଓ ୱାଶିଂଟନ ସୁନ୍ଦର ଆହତ ହୋଇ ଏହି ସିରିଜରୁ ବାଦପଡିବା ଘଟଣା କୋହଲିଙ୍କୁ ଚିନ୍ତାରେ ପକାଇଛି। ବୁମ୍‍ରାଙ୍କ ସ୍ଥାନରେ ଦୀପକ ଚହର ଓ ସୁନ୍ଦରଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଛି। ଡେଥ୍‍ ଓଭରରେ ବୁମ୍‍ରାଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂକୁ ଭାରତୀୟ ଦଳ ହରାଇବ ଏଥିରେ ସନ୍ଦେହ ନାହିଁ। ଦୁଇ ଯୁବ ସ୍ପିନର କୁଳଦୀପ ଯାଦବ ଓ ୟୁଜ୍‍ବେନ୍ଦ୍ର ଚହଲଙ୍କ ସାଙ୍ଗକୁ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଓ ଉମେଶ ଯାଦବ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି। ତେବେ ପିଚ୍‍ ଅବସ୍ଥାକୁ ଅନୁଧ୍ୟାନ କରିବାପରେ ଦୁଇ ସ୍ପିନରଙ୍କ ମଧ୍ୟରୁ ଜଣକୁ ବାଦଦେଇ ଚୂଡାନ୍ତ ଏକାଦଶରେ ଫାଷ୍ଟ ବୋଲର ସିଦ୍ଧାର୍ଥ କାଉଲ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଭାରତ ବିଗତ ୨୦ଟି ଟ୍ୱେଣ୍ଟି-୨୦ ମ୍ୟାଚରୁ ୧୫ଟିରେ ବିଜୟୀ ହୋଇସାରିଛି। ଅପରପକ୍ଷରେ ଇଂଲଣ୍ଡ ଦଳ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜକୁ ଜିତି ନିଜର ମନୋବଳକୁ ଊର୍ଦ୍ଧ୍ବଗାମୀ କରିଛି। ଇଂଲଣ୍ଡ ଦଳରେ ମଧ୍ୟ ଏକାଧିକ ପ୍ରତିଭାବାନ ବ୍ୟାଟସମ୍ୟାନ ଓ ବୋଲର ରହିଛନ୍ତି। ଅଧିନାୟକ ଇଓନ ମୋର୍ଗାନଙ୍କ ବ୍ୟତୀତ ଜୋ ରୁଟ୍‍, ଆଲେକ୍ସ ହେଲ୍‍ସ, ଜୋସ୍‍ ବଟ୍‍ଲର ଓ ଜାସନ ରୟଙ୍କ ଭଳି ବ୍ୟାଟସମ୍ୟାନ ଘରୋଇ ବାତାବରଣର ଉଚିତ ଫାଇଦା ଉଠାଇ ଭାରତୀୟ ବୋଲରଙ୍କ ସଠିକ୍‍ ମୁକାବିଲା କରିପାରିବାର ଦକ୍ଷତା ରଖିଛନ୍ତି। ଫାଷ୍ଟ ବୋଲିଂରେ ଲିଆମ ପ୍ଲଙ୍କେଟ୍‍, କ୍ରିସ୍‍ ଜୋର୍ଡନ, ଡେଭିଡ ୱିଲି ଓ ସ୍ପିନରଭାବେ ଆଦିଲ ରସିଦଙ୍କ ଉପସ୍ଥିତି ଇଂଲଣ୍ଡ ଦଳର ଦକ୍ଷତାକୁ ଊର୍ଦ୍ଧ୍ବଗାମୀ କରିବ। ଅଲରାଉଣ୍ଡର ଭାବେ ମୋଇନ ଅଲ୍ଲୀ ଦଳ ପାଇଁ ସବୁବେଳେ ଉପଯୋଗୀ ସାବ୍ୟସ୍ତ ହୋଇଆସୁଛନ୍ତି। ଫାଷ୍ଟ ବୋଲର ଟମ୍‍ କ୍ୟୁରାନ୍‍ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ଡେଭିଡ ମାଲାନଙ୍କୁ ଷ୍ଟାଣ୍ଡବାଏ ତାଲିକାଭୁକ୍ତ କରାଯାଇଛି। ନିକଟରେ ଅଷ୍ଟ୍ରେଲିଆକୁ ସବୁ ଫର୍ମାଟରେ ପରାସ୍ତ କରିଥିବା ଇଂଲଣ୍ଡ ଦଳ ଭାରତ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button