ସଂରକ୍ଷଣକୁ ବିରୋଧ: ଆଜି ଭାରତ ବନ୍ଦ, କଡ଼ା ସୁରକ୍ଷା ପାଇଁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
1 min read
ଆ.ଓ.ରି(ତା୧୦|୪)-ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ କେତେକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ପାଳନ ବେଳେ ହିଂସାକୁ ଏଡାଇବା ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, କେତେକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ପାଇଁ ସୋସିଆଲ ମିଡିଆରେ ଆହ୍ବାନ ଦିଆଯାଇଛି। ବନ୍ଦ ବେଳେ ଧନଜୀବନ ହାନିକୁ ରୋକିବା ପାଇଁ ସମସ୍ତ ସମ୍ବେଦନଶୀଳ ସ୍ଥାନରେ ଅଧିକ ସଂଖ୍ୟକ ପୋଲିସ ମୁତୟନ କରି ପାଟ୍ରୋଲିଂ ବଢ଼ାଯିବା ଜରୁରୀ। ଜିଲାଗୁଡ଼ିକରେ ଆଇନଶୃଙ୍ଖଳା ବଜାୟ ରଖିବା ଦାୟିତ୍ୱ ଜିଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ(ଏସ୍ପି)ଙ୍କୁ ନ୍ୟସ୍ତ କରାଯାଇଛି। ପୋଲିସ ପ୍ରଶାସନ ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିବ। କୌଣସି ସ୍ଥାନରେ ହିଂସା ଘଟିଲେ ସେଥିପାଇଁ ସମ୍ପୃକ୍ତ ଜିଲାପାଳ ଏବଂ ଏସ୍ପି ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି। ତଫସିଲଭୁକ୍ତ ଜାତି (ଏସ୍ସି) ଏବଂ ତଫସିଲଭୁକ୍ତ ଉପଜାତି (ଏସ୍ଟି) (ନିର୍ଯାତନା ନିବାରଣ) ଆଇନ, ୧୯୮୯ର ସଂଶୋଧନ ନେଇ ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହାର ପ୍ରତିବାଦରେ ଗତ ୨ ତାରିଖରେ କେତେକ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଆହ୍ବାନ ଦିଆଯାଇଥିଲା। ବିରୋଧୀ ଦଳଗଡ଼ିକର ସମର୍ଥନ ପରେ ଏହା ରାଜନୈତିକ ରୂପ ନେଇଥିଲା। ବନ୍ଦ ବେଳେ ବ୍ୟାପକ ହିଂସା ଘଟି ୧୨ ଜଣଙ୍କ ଜୀବନ ଯାଇଥିଲା। ଏଭଳି ଅଘଟଣର ପୁନରାବୃତ୍ତି ଯେପରି ନ ଘଟେ ସେଥିପାଇଁ ଆଗୁଆ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି।