ପିକ୍ଅପ୍ ଭ୍ୟାନ୍ ଓଲଟି ୩୦ ଶ୍ରମିକ ଗୁରୁତର
1 min read
ଆଓରି-କେନ୍ଦ୍ରାପଡ଼ା(୧୦/୭) : ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ରାସ୍ତାର ମଙ୍ଗଳପୁର ଛକଠାରେ ମଙ୍ଗଳବାର ସକାଳେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ଓଲଟିପଡ଼ିଛି। ଏଥିରେ ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ଶ୍ରମିକ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁରୁତର ଶ୍ରମିକମାନଙ୍କ ଘର ବ୍ଲକର ୧୨ନମ୍ବର, ପନ୍ଦରମାଇଲ ଓ ପ୍ରଭାକରପୁର ଆଦିବାସୀ ଅଞ୍ଚଳର ବୋଲି ଜଣାପଡ଼ିଛି। ଶ୍ରମିକମାନେ ଉକ୍ତ ପିକ୍ଅପ୍ରେ ଏକ ଢଳେଇକାମ କରିବାକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଖବରପାଇ ମହାକାଳପଡ଼ା ଏବଂ ମାର୍ଶାଘାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ।