May 13, 2024

ଦେଶବାସୀଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି ; ସର୍ବୋଚ୍ଚ ସ୍ଲାବ୍‌ ୨୮%ରୁ ଖସିଲା ଅନେକ ସାମଗ୍ରୀ

1 min read
Arun-Jaitly-Aajira-Odisha

ଆଓରି-ନୂଆଦିଲ୍ଲୀ(୨୩/୧୨) : ନୂତନ ବର୍ଷ ପୂର୍ବରୁ ଦେଶବାସୀଙ୍କୁ କେନ୍ଦ୍ର ସରକାର ବଡ଼ ଭେଟି । ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀ ଉପରୁ କେନ୍ଦ୍ର ସରକାର ଜିଏସ୍‌ଟି ଛାଡ଼ କରିଛନ୍ତି । ଏଥିରୁ ଦେଶବାସୀଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି । ଶନିବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୩୧ତମ ବୈଠକରେ ମୋଟ୍ ୨୩ଟି ବସ୍ତୁ ଓ ସେବା ଉପରୁ ଜିଏସଟି ଦର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବୋଚ୍ଚ ବା ୨୮ ପ୍ରତିଶତ ସ୍ଲାବ୍‌ରୁ ୭ଟି ସାମଗ୍ରୀକୁ ବାଦ୍‌ ଦେବାକୁ ସ୍ଥିର କରାଯାଇଛି । ଫଳରେ ୨୮% ସ୍ଲାବ୍‌ରେ ମାତ୍ର ୨୮ଟି ସାମଗ୍ରୀ ରହିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ଏହି ଜିଏସ୍‌ଟି ହ୍ରାସ କରିବା ପରେ ରାଜକୋଷରୁ ୫,୫୦୦ କୋଟି ଟଙ୍କା ଟିକସ ହ୍ରାସ ହେବ ବୋଲି ଜଣାପଡ଼ିଛି ।

ପରବର୍ତ୍ତି ପର୍ଯ୍ୟାୟରେ ଏହି ସର୍ବୋଚ୍ଚ ସ୍ଲାବ୍‌ ଉପରୁ ଧିରେ ଧିରେ ଅନେକ ସମାଗ୍ରୀ ବାଦ୍‌ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସିମେଣ୍ଟ ଉପରୁ ଟିକସ୍‌ ହ୍ରାସ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ ପହିଲାରୁ ଏହି ନୂଆ ଜିଏସ୍‌ଟି ଫାଇଲିଂ ସିଷ୍ଟମ୍‌ କାର୍ଯ୍ୟକାରୀ ହେବ ବୋଲି ସ୍ଥିର କରାଯାଇଛି ।

୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ ଉପରେ ଜିଏସ୍‌ଟି ୧୮%ରୁ ୧୨କୁ ଖସିଛି । ୧୦୦ ଟଙ୍କାରୁ ଅଧିକ ଦାମ୍‌ ବିଶିଷ୍ଟ ସିନେମା ଟିକଟ ଉପରେ ପୂର୍ବରୁ ଯେଉଁ ୨୮% ଜିଏସ୍‌ଟି ଲାଗୁ ହେଉଥିଲା ତାହା ଏବେ ୧୮ ପ୍ରତିଶତ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିଭଳି ତୃତିୟ ପକ୍ଷ ବୀମା ପ୍ରିମିୟମ ଲାଗି ୧୮% ପରିବର୍ତ୍ତେ ୧୨% ଜିଏସ୍‌ଟି ଲାଗୁ ହେବ ବୋଲି ସ୍ଥିର କରାଯାଇଛି । ନୂଆ ନିଷପତ୍ତି ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର ଆଣି ଦେଇଛି । ଇକୋନୋମି ବିମାନ ଟିକଟ ଉପରେ ୫% ଜିଏସ୍‌ଟି ଲାଗୁ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବିଜନେସ୍‌ କ୍ଲାସ ଲାଗି ୧୨ ପ୍ରତିଶତ ଜିଏସ୍‌ଟି ଲାଗୁ କରାଯିବ ବୋଲି ସ୍ଥିର କରାଯାଇଛି ।

ଏହା ସହ ଟାୟର, ଲିଥିୟମ ଆୟନ ବ୍ୟାଟ୍ରି ବିଶିଷ୍ଟ ପାଓ୍ଵାର ବ୍ୟାଙ୍କ, ଭିସିଆର, ୩୨ ଇଞ୍ଚ ପର୍ଯ୍ୟନ୍ତ ଟିଭି, ବିଲିୟାର୍ଡ୍ସ ଓ ସ୍ନୁକର, ଡିଜିଟାଲ କ୍ୟାମେରା, ଭିଡିଓ କ୍ୟାମେରା, ଭିଡିଓ ଗେମ୍‌, କଂସୋଲ ଓ ଏଚ୍‌ଏସ୍‌ କୋଡ୍ ୯୫୦୪ ଆଧାରରେ ଆସୁଥିବା ଗେମ୍‌ ସମ୍ବନ୍ଧିତ ବସ୍ତୁ ଉପରେ ମଧ୍ୟ ଜିଏସ୍‌ଟି ହ୍ରାସ କରାଯାଇଛି ।

ଅନ୍ୟପକ୍ଷରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଯାତାୟାତ ପାଇଁ ବ୍ୟବହୃତ ମେସିନ ଉପକରଣରେ ମାତ୍ର ୫% ଜିଏସ୍‌ଟି ଲାଗିବ ବୋଲି ସ୍ଥିର କରାଯାଇଛି । ପୂର୍ବରୁ ଏହି ସାମଗ୍ରୀ ଉପରେ ୨୮% ଜିଏସ୍‌ଟି ଲାଗୁ ହେଉଥିଲା ।

ବର୍ତ୍ତମାନ କେବଳ ବିଳାଶ ପୂର୍ଣ୍ଣ ତଥା ଅବଗୁଣକାରୀ ସାମଗ୍ରୀଗୁଡ଼ିକୁ ୨୮ ପ୍ରତିଶତ ସ୍ଲାବ୍‌ରେ ରଖାଯାଇଛି । ଏହା ସହ ଏକ କେନ୍ଦ୍ରୀୟ ଆଡଭାନ୍ସ ରୁଲିଂ ଅଥରିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ବେସିକ୍‌ ସେଭିଂ ଆକାଉଣ୍ଟ ସେବା ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.