ରାଫେଲକୁ ନେଇ ସ୍ୱାର୍ଥ ନୀତି ଏବଂ ରାଜନୀତି କାରଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଲା ; ନରେନ୍ଦ୍ର ମୋଦି
1 min read
ଆଓରି-ନୂଆଦିଲ୍ଲୀ(୦୩/୦୩) : ରାଫେଲ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧିଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଡିଆ ଟୁଡେ କନ୍କ୍ଲେଭ୍ ୨୦୧୯ରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ସହ ଖେଳିବା ବନ୍ଦ କର । ଆଜି ସାରା ଦେଶ ରାଫେଲ୍ର ଅଭାବ ଅନୁଭବ କରିପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମୋଦି କହିଛନ୍ତି ଯେ, “ରାଫେଲ୍ ନେଇ ସ୍ୱାର୍ଥ ନୀତି ଏବଂ ରାଜନୀତି କାରଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଲା । ମୋଦିକୁ ବିରୋଧ କର, ଭୁଲ ବାହାର କର । ଆପଣଙ୍କୁ ସ୍ୱାଗତ କରୁଛି । କିନ୍ତୁ, ଦେଶର ସୁରକ୍ଷା ସାଧନ ଏବଂ ଦେଶର ହିତକୁ ବିରୋଧ କରନାହିଁ । ଏପରି ନ ହେଉ କି, ମୋଦି ବିରୋଧିଙ୍କ ଏହି ଜିଦି ପାଇଁ ମସୁଦ୍ ଅଜହର ଏବଂ ଆତଙ୍କୀଙ୍କୁ ଏନେଇ ଆହୁରି ଲାଭ ମିଳିଯିବ ।“
ମୋଦି ପୁଣି କହିଛନ୍ତି, ଆଜି ସାରା ବିଶ୍ୱ ଆତଙ୍କବାଦ୍ ବିରୁଦ୍ଧରେ ଭାରତକୁ ସମର୍ଥନ କରୁଛି । କିନ୍ତୁ କିଛି ବିରୋଧୀ ଦଳ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି । ପାକିସ୍ତାନ ଆମ ବିରୁଦ୍ଧରେ ଏହି ନେତାଙ୍କ ବୟାନକୁ ବ୍ୟବହାର କରୁଛି । ଏହି ନେତାମାନେ ମୋଦିକୁ ବିରୋଧ କରୁକରୁ ଦେଶକୁ ବିରୋଧ କରିବାରେ ଲାଗିଛନ୍ତି । ଏମାନେ ଦେଶକୁ କ୍ଷତି ପହଞ୍ଚାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେନାଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ମୁଁ ପ୍ରଶ୍ନ ପଚାରିବାକୁ ଚାହେଁ ଯେ, ଆପଣଙ୍କୁ ସେନାଙ୍କ ବୟାନ ଏବଂ ସାମର୍ଥ୍ୟ ଉପରେ ଭରସା ଅଛି କି ନାହିଁ? ବା ଆପଣ ସେମାନଙ୍କ କଥାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ।