ଜାମ୍ମୁ-କାଶ୍ମୀରର ଗାନ୍ଦେରବାଲ୍ରେ ଯବାନଙ୍କ ଗୁଳିରେ ଜଣେ ଅତଙ୍କବାଦୀ ନିହତ
1 min read
ଆଓରି-ନୂଆଦିଲ୍ଲୀ(୧୨/୧୧) : ଜାମ୍ମୁ-କାଶ୍ମୀରର ଗାନ୍ଦେରବାଲ୍ରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ମଙ୍ଗଳବାର ଭୋର ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଯବାନମାନେ ଉକ୍ତ ଅଞ୍ଚଳକୁ ଘେରି ରହିଛନ୍ତି। ସେଠାରେ ୨ରୁ ୩ ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ପୂର୍ବାହ୍ନ ସାଢ଼େ ୯ଟା ସୁଦ୍ଧା ଗାନ୍ଦେରବାଲର ଗୁଣ୍ଡ ଅଞ୍ଚଳରେ ଏହି ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।
ଏହା ପୂର୍ବରୁ ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲାରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ସୋମବାର ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ଯବାନମାନେ ୨ ଆତଙ୍କୀଙ୍କୁ ନିପାତ କରିଥିଲେ। ଜିଲାର ଲାଡୁରା ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ସେଠାରେ ଯବାନମାନେ ଚଢ଼ାଉ କରିଥିଲେ। ଏହି ସମୟରେ ଆତଙ୍କୀଙ୍କ ସହିତ ଯବାନଙ୍କ ଗୁଳିବିନିମୟ ଘଟିଥିଲା।