ଜାତୀୟ

ମାୟାବତୀଙ୍କ ଭାଇ ବିରୋଧରେ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ; ୪୦୦ କୋଟିର ବେନାମୀ ପ୍ଳଟ ଜବତ

ଆଓରି-ନୂଆଦିଲ୍ଲୀ(୧୮/୦୭) : ଉତ୍ତର ପ୍ରଦେଶର ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀଙ୍କ ଭାଇ ତଥା ପାର୍ଟିର ଉପାଧ୍ୟକ୍ଷ ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆୟକର ବିଭାଗ ଆନନ୍ଦଙ୍କ ବିରୋଧରେ ଯାଞ୍ଚ ପ୍ରକ୍ରିୟା ଚଳାଇଥିବାବେଳେ ଗୁରୁବାର ୪୦୦ କୋଟି ଟଙ୍କାର ଏକ ବେନାମୀ ପ୍ଲଟ୍‌କୁ ଜବତ କରିଛି।

ଆୟକର ବିଭାଗ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ସମ୍ପତ୍ତିର ଯାଞ୍ଚ କରୁଛି। ଯାଞ୍ଚ ସମୟରେ ବିଭାଗ ଜାଣିବାକୁ ପାଇଥିଲା ଯେ, ଆନନ୍ଦ କୁମାରଙ୍କ ନିଟକରେ ନୋଏଡ଼ାରେ ୨୮ ହଜାର ୩୨୮ ବର୍ଗ ମିଟରର ଏକ ବେନାମୀ ପ୍ଲଟ ରହିଛି। ୭ ଏକର ବିଶିଷ୍ଟ ଏହି ପ୍ଲଟର ମୂଲ୍ୟ ପାଖାପାଖି ୪୦୦ କୋଟି ଟଙ୍କା ହେବ। ଆନନ୍ଦ କୁମାର ଏବଂ ତାଙ୍କ ପତ୍ନୀ ବିଚିତ୍ର ଲତାଙ୍କର ଏହି ବେନାମୀ ପ୍ଲଟକୁ ଜବତ କରିବା ଲାଗି ଗତ ୧୬ ତାରିଖରେ ଦିଲ୍ଲୀସ୍ଥିତ ଆୟକର ବିଭାଗର ୟୁନିଟ୍‌ ନିର୍ଦେଶ ଦେଇଥିଲା। ଏହା ପରେ ଗୁରୁବାର ଆୟକର ବିଭାଗ ଏହି ପ୍ଲଟକୁ ଜବତ କରିଛି।

ଆୟକର ବିଭାଗ ସୂଚନା ମୁତାବକ, ଆନନ୍ଦ କୁମାରଙ୍କର ଆହୁରି କିଛି ବେନାମୀ ସମ୍ପତ୍ତି ରହିଥିବା ଜଣାପଡ଼ିଛି। ଭବିଷ୍ୟତରେ ଏହାକୁ ଜବତ କରାଯାଇପାରେ। ଆୟକର ବିଭାଗ ବ୍ୟତୀତ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ବି ଏହାର ଯାଞ୍ଚ କରୁଛି।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ୧୩୦୦ କୋଟି ଟଙ୍କାର ସମ୍ପତ୍ତିର ଯାଞ୍ଚ କରାଯାଉଛି। ବିଭାଗ ଅଭିଯୋଗ କରିଛି ଯେ, ୨୦୦୭ରୁ ୨୦୧୪ ମଧ୍ୟରେ ଆନନ୍ଦ କୁମାରଙ୍କ ସମ୍ପତ୍ତିରେ ୧୮ ହଜାର ପ୍ରତିଶତ ବୃଦ୍ଧି ପାଇଁଛି। ୨୦୦୭ରେ ତାଙ୍କର ସମ୍ପତ୍ତି ୭କୋଟି ୧୦ ଲକ୍ଷ ଥିବାବେଳେ ଏହା ବୃଦ୍ଧି ପାଇ ୧୩୦୦ କୋଟିରେ ପହଞ୍ଚିଛି। ଆୟକର ବିଭାଗ ଯାଞ୍ଚ ପରିସରରେ ୧୨ଟି କମ୍ପାନୀ ରହିଛି, ଯେଉଁଥିରେ ଆନନ୍ଦ କୁମାର ନିର୍ଦେଶକ ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button