ଅପରାଧଜିଲ୍ଲା

ଟ୍ୟାଙ୍କର ଡ୍ରାଇଭରଙ୍କୁ ହତ୍ୟା ଅଭିଯୋଗ ନେଇ ଢ଼ାବାରେ ଭଙ୍ଗାରୁଜା

ଆଓରି-ଅନୁଗୁଳ(୨୩/୬): ଆଜି ସକାଳେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ଛକରେ ଏକ ପାଣି ଟ୍ୟାଙ୍କରର କେବିନ ଭିତରେ ଏହାର ଡ୍ରାଇଭର ଜ୍ଞାନେନ୍ଦ୍ର ଦେହୁରୀ ଓରଫ ବାବି(୪୦ବର୍ଷ)ଙ୍କ ମୃତଦେହ ଠାବ କରାଯାଇଛିି। ବାବିଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ ତାଙ୍କୁ ହତ୍ୟା କରିବା ପରେ ଆଣି ଗାଡ଼ିର କେବିନ ଭିତରକୁ ଫିଙ୍ଗି ଦିଆଯାଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଏକ ଢ଼ାବାର କିଛି କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରି ଉତ୍ତ୍ୟେକ୍ତ ଲୋକେ ସମ୍ପୃକ୍ତ ଢ଼ାବାର ଏକ ମୋଟର ସାଇକେଲ ପୋଡ଼ି ଦେଇଥିବା ବେଳେ ଢ଼ାବାରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଲୋକେ  ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି। ଫଳରେ କଟକ- ସମ୍ବଲପୁର ମଧ୍ୟରେ  ଗାଡ଼ି ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ମୋଟର ଅଟକି ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ଶୁଝା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ବାବି ଏକ କନଷ୍ଟ୍ରକ୍ସନ କମ୍ପାନିର ଓଆର୨୧-୭୬୦୮ ନମ୍ବର ପାଣି ଟ୍ୟାଙ୍କର ଚଳାନ୍ତି। ଗତକାଲି ସନ୍ଧ୍ୟା ସାଢ଼େ ୭ଟା ବେଳେ ଏହି ଢ଼ାବାରେ ଖାଇଥିଲେ। ପରେ ଏହାର କିଛି କର୍ମଚାରୀଙ୍କ ସହିତ ତାଙ୍କର କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ତେବେ ଆଜି ସକାଳୁ ତାଙ୍କ ମୃତଦେହ ଟ୍ୟାଙ୍କରର କେବିନ୍‌ରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ  କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button