ଜାତୀୟବାଣିଜ୍ୟ

୬୦୦ ଜଣ କର୍ମଚାରୀଙ୍କୁ କାର୍‌ ଉପହାର ସହିତ ୯୦୦ କର୍ମଚାରୀଙ୍କୁ ଏଫ୍‌ଡି ଦେବେ ସାବ୍‌ଜୀ ଢୋଲକିଆ

ଆଓରି-ବ୍ୟୁରୋ ଗୁଜରାଟ(୨୬/୧୦) : ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁରଟ୍‌ର ହୀରା ବ୍ୟବସାୟୀ ସାବ୍‌ଜୀ ଢୋଲକିଆ ଦୀପାବଳିରେ ନିଜ କମ୍ପାନୀର କର୍ମଚାରୀଙ୍କୁ ଦାମିକା ଉପହାର ଦେବାକୁ ଯାଉଛନ୍ତି। ଚଳିତ ବର୍ଷ ସେ ୬୦୦ ଜଣ କର୍ମଚାରୀଙ୍କୁ କାର୍‌ ଉପହାର ଦେବେ। ଏଥିସହିତ ଅନ୍ୟ ୯୦୦ କର୍ମଚାରୀଙ୍କୁ ଅର୍ଥ ବାବଦରେ ଏଫ୍‌ଡି ଦେବେ।
ହରିକ୍ରିଷ୍ଣା ଏକ୍ସପୋଟର୍‌ସ ଅଧ୍ୟକ୍ଷ ଢୋଲକିଆ ଚଳିତ ବର୍ଷ ଦୀପାବଳି ଅବସରରେ ୧୫୦୦ କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛନ୍ତି। ସୁରଟ୍‌ରେ ଡାଏମଣ୍ଡ କିଙ୍ଗ୍‌ ନାମରେ ପରିଚିତ ସାବ୍‌ଜୀ ପ୍ରତିବର୍ଷ ବୋନସ୍‌ ଆକାରରେ ମହଙ୍ଗା ଉପହାର ଦେଇ ଆସୁଛନ୍ତି। ଗୁରୁବାର ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଢ଼ୋଲକିଆଙ୍କ ୪ ଜଣ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍‌ ଚାବି ହସ୍ତାନ୍ତର କରିଥିଲେ। ସେମାନଙ୍କ ମଧ୍ୟରେ ୨୨ ବର୍ଷୀୟା ଦିବ୍ୟାଙ୍ଗ ମହିଳା ରହିଛନ୍ତି। ଅବଶିଷ୍ଟ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ବୋଧନ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଚଳିତ ବର୍ଷ ଲୟାଲିଟି ପ୍ରୋଗ୍ରାମ ଅଧୀନରେ ୧୫୦୦ କର୍ମଚାରୀଙ୍କୁ ବଛାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦୦ ଜଣ କାର୍‌ ଓ ୯୦୦ ଜଣ ଏଫ୍‌ଡି ନେବାକୁ ଚାହିଁଥିଲେ।
କମ୍ପାନୀ ଚଳିତ ବର୍ଷ ବୋନସ ବାବଦରେ ୫୦ କୋଟି ଟଙ୍କା ବ୍ୟୟ କରିଛି। ସୂଚନାଥାଉ କି, ୨୦୧୧ରେ କମ୍ପାନୀ ଲୟାଲିଟି ପ୍ରୋଗ୍ରାମ ଆରମ୍ଭ କରିଥିଲା। ଏହି ଯୋଜନା ଅଧୀନରେ କର୍ମଚାରୀଙ୍କୁ ପୁରସ୍କୃତ କରାଯାଉଛି।  କିଛି ଦିନ ପୂର୍ବେ ଢ଼ୋଲକିଆ କମ୍ପାନୀର ୨୫ ବର୍ଷ ପୂର୍ତ୍ତି ଅବସରରେ ୩ ଜଣ ମ୍ୟାନେଜରଙ୍କୁ ମର୍ସିଡିଜ ବେଞ୍ଜ ଉପହାର ଦେଇଥିଲେ। ସାବ୍‌ଜୀ ଭାଇଙ୍କ ମତରେ ପରିଶ୍ରମ କରୁଥିବା କର୍ମଚାରୀମାନେ ଏହା ପାଇବାକୁ ହକ୍‌ଦାର।

Related Articles

Leave a Reply

Your email address will not be published. Required fields are marked *

Back to top button