ରାଜନୀତି

ରାଜ୍ୟସଭାରେ ଉପସଭାପତି ପଦ ନେବନାହିଁ ଶିବସେନା, ବିଜେପିକୁ ଝଟକା

ଆ.ଓ.ରି(ତା୧୧|୪)-ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅସନ୍ତୁଷ୍ଟ ଦଳ ଶିବସେନାକୁ ଖୁସି କରିବା ପାଇଁ ବିଜେପିର ପ୍ରୟାସ ବିଫଳ ହୋଇଛି । ରାଜ୍ୟସଭା ଉପସଭାପତି ପଦ ପାଇଁ ବିଜେପିର ପ୍ରସ୍ତାବକୁ ଶିବସେନା ପ୍ରତ୍ୟାଖାନ କରିଦେଇଛି । ଶିବସେନା ପଦ ଗ୍ରହଣ କରିବାକୁ ମନା କରିବା ପରେ ଜୁନ୍‌ରେ ହେବାକୁ ଥିବା ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ବିଜେପିକୁ ନୂଆ ଋଣନୀତି ପ୍ରସ୍ତୁତ କରିବାକୁ ପଡିବ । ବିଜେପି ଏହି ପଦକୁ ବିରୋଧୀଙ୍କ ବଦଳରେ ନିଜର କୌଣସି ସାଥି ଦଳଙ୍କୁ ଦେବାକୁ ଚାହୁଁଛି । ସମ୍ପର୍କରେ ସୃଷ୍ଟି ଫାଟକୁ କମ୍‌ କରିବା ପାଇଁ ବିଜେପି ଶିବସେନା ଆଗରେ ରାଜ୍ୟସଭା ଉପସଭାପତି ପଦର ପ୍ରସ୍ତାବ ରଖିଥିଲା । ମାତ୍ର ଶିବସେନା ଏହି ପଦକୁ ନେବାକୁ ମନା କରିଦେଇଛି । ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଦଳ ଏହି ପଦ ଏନଡିଏର କୌଣସି ସାଥି ଦଳକୁ ଦେବାକୁ ଚାହୁଁଛି । ତେଣୁ ସହଯୋଗୀ ଦଳଙ୍କ ପାଇଁ ବିକଳ୍ପ ଖୋଲା ରହିଛି । ଫଳରେ ଏହି ପଦ ଜେଡୁୟୁ କିମ୍ବା ବାହାରୁ ମୋଦି ସରକାରଙ୍କୁ ସମର୍ଥନ ଦେଇ ଆସୁଥିବା ଏଆଇଏଡିଏମ୍‌କେ ହାତକୁ ଯିବ ବୋଲି ଚର୍ଚ୍ଚା ହେଉଛି । ଉଲ୍ଲେଖ ଯେ ତେଲୁଗ ଦେଶମ ପାର୍ଟି (ଟିଡିପି) ହାତ ଛାଡ଼ି ଚାଲିଯିବା ପରେ ବିଜେପି ଅସନ୍ତୁଷ୍ଟ ଶିବେସନାକୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଏପଟେ ଶିବସେନା ଖୋଲାଖୋଲି ଭାବେ ବିଜେପିକୁ ବିରୋଧ କରିବା ସହ ୨୦୧୯ ସାଧାରଣ ନିର୍ବାଚନରେ ଏକାକୀ ନିର୍ବାଚନ ଲଢିବ ବୋଲି ଘୋଷଣା କରିସାରିଛି। ତେଣୁ ବିଜେପିର ଆମନ୍ତ୍ରଣକୁ ଦଳ ପ୍ରତ୍ୟାଖାନ କରିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ତେବେ ରାଜ୍ୟସଭାକୁ ଦୃଷ୍ଟି ଦେଲେ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟ ସଂଖ୍ୟା (୧୦୮) ସମାନ ରହିଛି । ତେଣୁ ରାଜ୍ୟସଭା ଉପସଭାପତି ନିର୍ବାଚନରେ ଟିଏମ୍‌ସି, ବିଜେଡି ଭଳି ଦଳ ନିର୍ଣ୍ଣାୟକ ଭୂମିକା ନେବେ ବୋଲି କୁହାଯାଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button