କେବିକେର ଅସୁବିଧା ପାଇଁ କେନ୍ଦ୍ର ସରକାର ନୁହେଁ ବରଂ ରାଜ୍ୟସରକାର ଦାୟୀ ; ପଦ୍ମନାଭ ବେହେରା
1 min read
ଆଓରି-ଭୁବନେଶ୍ଵର(୦୧/୦୮) : କେବିକେର ବିକାଶ ପାଇଁ ସରକାରଙ୍କ ସବୁବେଳେ ଚେଷ୍ଠିତ ବୋଲି ଡେଙ୍ଗୁରା ପିଟୁଥିବା ବେଳେ ଆଜି ବିଧାନସଭାରେ ମନ୍ତ୍ରୀଙ୍କ ରିପୋର୍ଟରୁ ସରକାର ଗୁମର ଖୋଲିଛି । କେବିକେ ଅଞ୍ଚଳ ପାଇଁ କେନ୍ଦ୍ର ସରକାର ଟଙ୍କା ଦେଉନଥିବା କଥା ରାଜ୍ୟ ସରକାର ଅଭିଯୋଗ କରୁଥିବା ବେଳେ ତାହା ଆଜି ଭୁଲ ପ୍ରମାଣିତ ହୋଇଛି ।
ମନ୍ତ୍ରୀଙ୍କ ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ୩ ହଜାର ୩୪୩ କୋଟି ୯୫ ଲକ୍ଷ ଟଙ୍କା କେବିକେର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଦେଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ, ସେଥିମଧ୍ୟରୁ ମୋଟ ୩ ହଜାର ୨୮୯ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରିଛନ୍ତି । କେବିକେ ଅଞ୍ଚଳରେ ବିଭିନ୍ନ ଅସୁବିଧା ରହିଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ବିକାଶ ପାଇଁ ଆସୁଥିବା ଟଙ୍କାକୁ ଖର୍ଚ୍ଚ ନକରି ପକାଇ ରଖୁଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।
ତେବେ ସୂଚନା ଅନୁଯାୟୀ, ୨୦୧୭-୨୦୧୮ରୁ କେବିକେ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅନୁଦାନ ଦେବା ବନ୍ଦ କରିଛନ୍ତି । ଏନେଇ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ ୧୯୯୮-୧୯୯୯ରୁ ଆରମ୍ଭ ହୋଇଥିବା କେବିକେ ଯୋଜନାରେ କେନ୍ଦ୍ର ସରକାର ୨୦୧୭-୨୦୧୮ ପର୍ଯ୍ୟନ୍ତ ଯେଉଁ ଟଙ୍କା ଦେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରି ନଥିବା ମନ୍ତ୍ରୀ ନିଜେ ପ୍ରକାଶ କରିଛନ୍ତି । ଏହାର କାରଣ କ’ଣ ହୋଇପାରେ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୪ରୁ ୨୦୧୬-୨୦୧୭ ମଧ୍ୟରେ କେବିକେର ବିକାଶ ପାଇଁ ୭୫୦ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିବା ମଧ୍ୟ ସ୍ୱୀକାର କରିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ।