ରାଜ୍ୟ

ଝିଅ ମାନଙ୍କୁ ସୁରକ୍ଷା ଓ ସମ୍ମାନ ପାଇଁ ରାଜ୍ୟ ସରକାର ଓ ପୋଲିସ ପାଖରେ ଟିକେ ବି ଦରଦ ନାହିଁ ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୧୪/୦୨) : କଟକରେ ଦୁଇ ଭଉଣୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଏବଂ ଜଣେ ଭଉଣୀର ଆତ୍ମହତ୍ୟା ମାମଲା ଏବେ ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସର ସମ୍ବେଦନହୀନତା ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ଆଣି ଏହି ମାମଲାରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭଉଣୀ ଦୁଇଜଣ ଦୁଷ୍କର୍ମର ଶିକାର ହୋଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଜଣେ ଭଉଣୀ ତ ଦୁର୍ଭାଗ୍ୟଜନକ ଭାବେ ଆତ୍ମହତ୍ୟା କରିଛି । ଆଉ ଜଣେ ଭଉଣୀ ଅପହରଣକାରୀଙ୍କ କବଳରେ କେଉଁ ଅବସ୍ଥାରେ ଓ କେମିତି ଅଛି ସେଥିପାଇଁ ବ୍ୟତିବ୍ୟସ୍ତ ଲାଗୁଛି । ପିଲାମାନଙ୍କର ମା,ବାପାଙ୍କର ମାନସିକ ସ୍ଥିତି କେମିତି ଥିବ ଭାବିଲେ ଲୋମଟାଙ୍କୁରି ଉଠୁଛି ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଅପହରଣକାରୀ କିଏ ଏନେଇ ପୋଲିସ ପାଖରେ ସୂଚନା ଥିବା ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି  । କଥା ଟା ସତ ହୋଇଥିଲେ ସାଙ୍ଘାତିକ  । ଆମର ଝିଅ ମାନଙ୍କୁ ସୁରକ୍ଷା ଓ ସମ୍ମାନ ପାଇଁ ସରକାର ଓ ପୋଲିସ ପାଖରେ ଟିକେ ବି ଦରଦ ନଥିବା ଭଳି ଲାଗୁଛି  ବୋଲି ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ ଲେଖିଛନ୍ତି, ଘଟଣାରେ ୭ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅନ୍ୟ ଜଣେ ନାବାଳିକାକୁ ଉଦ୍ଧାର କରିପାରିଲା ନାହିଁ । ପୋଲିସ କିଛି କରୁନାହିଁ । ଜଣେ ଝିଅ ଅପହୃତାଙ୍କ କବଳରୁ ଖସି ଆସି ମର୍କତନଗର ଥାନାରେ ବୟାନ ଦେଇଥିଲେ । ଏହାପରେ ସେ ଆତ୍ମହତ୍ୟା କରିଛି । ଓଡିଶା ପୋଲିସ ଏବଂ ପ୍ରଶାସନ, ସରକାର ଉପରେ ଝିଅଟି ଭରସା କରିପାରିଲା ନାହିଁ  । ଆଉ ଜଣେ ଝିଅ ଏବେ ବି ନିଖୋଜ ରହିଛି । ଏହାସହ ଓଡିଶାରେ ମହିଳା ଏବଂ ଯୁବତୀଙ୍କ ଇଜ୍ଜତ ସହ ସାଲିସ କରାଯିବ ନାହିଁ । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ । ଅନ୍ୟ ଝିଅକୁ ଯଥାଶୀଘ୍ର ଉଦ୍ଧାର କରନ୍ତୁ । ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, କଟକ ସିଡିଏ ଅଂଚଳରେ ରହୁଥିବା ଦୁଇ ଭଉଣୀ ସପ୍ତାହକ ତଳେ ନିଖୋଜ ହୋଇଯାଇଥିଲେ । ବଡ ଭଉଣୀ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ସାନ ଭଉଣୀ ଷଷ୍ଠ ଶ୍ରେଣୀରେ ପଢୁଥିଲେ । । ସେମାନଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା । ମଙ୍ଗଳବାର ଦିନ ଜଣେ ଭଉଣୀ କୌଣସିମତେ ଅପହରଣକାରୀଙ୍କ କବଜାରୁ ଖସି ଆସିଥିବା ବେଳେ ଅନ୍ୟଜଣେ ଏବେ ମଧ୍ୟ ନିଖୋଜ ରହିଛି  ।

ସବୁଠାରୁ ବଡ କଥା ହେଉଛି କି ଖସି ଆସିଥିବା ଝିଅଜଣଙ୍କ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିବା ପୂର୍ବରୁ ଝିଅଜଣଙ୍କ ଏନେଇ ପୋଲିସକୁ ବୟାନ ଦେଇଥିଲେ । ପରେ ସେ ଥାନାରୁ ଫେରି ଆସିଥିଲେ । କିନ୍ତୁ ଘରକୁ ଫେରିବା ପରେ ସେ ଚୁପଚାପ ରହିଥିଲେ । ଏହାପରେ ସକାଳେ ସେ ବେକରେ ରଶି ବାନ୍ଧି ଆତ୍ମହତ୍ୟା କରିଦେଇଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button