March 31, 2023

 ରାଜ୍ୟର ବିକାଶକୁ ବାଟବଣା କରୁଛନ୍ତି ରାଜ୍ୟ ସରକାର ; ଧର୍ମେନ୍ଦ୍ର ପ୍ରଧାନ

1 min read
Union-Minister-Dharmendra-Pradhan-Target-CM-Naveen-Patnaik

ଆଓରି-ଭୁବନେଶ୍ଵର(୨୩/୦୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ଡରି ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ବାଧକ ସାଜୁଛନ୍ତି ।  ଓଡିଆ ଲୋକ ପଛେ ଲାଭ ନପାଆନ୍ତୁ ମାତ୍ର ମୋଦିଙ୍କ ଲୋକପ୍ରିୟତା ନବଢୁ ନୀତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଚାଳିତ ହେଉଛନ୍ତି । ଓଡିଶାର ଦ୍ରୁତ ବିକାଶ ପାଇଁ ୨୦୧୪ ମସିହାରୁ ମୋଦି ସରକାରଙ୍କର ନିଷ୍ଠାପର ଉଦ୍ୟମ ସତ୍ୱେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଫାଇଲ ଉପରେ ମୁଖ୍ୟମନ୍ତ୍ରୀ ବସି ରହି  ରାଜ୍ୟର ବିକାଶକୁ ବାଟବଣା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତଥ୍ୟ, ପ୍ରମାଣ  ଓ ଦସ୍ତାବିଜ ଉପସ୍ଥାପିତ କରି ୧ ଲକ୍ଷ  ୩୬ ହଜାର ୪୧୭ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପ କ୍ରିୟାନ୍ୱୟନରେ ରାଜ୍ୟ ସରକାର ବାଧକ ହେବାର ପ୍ରମାଣ ଉପସ୍ଥାପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସ୍ୱାମୀ ପଛେ ମରୁ ସଉତୁଣି ବିଧବା ହେଉ ଏହି ଓଡିଆ ଢଗକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଲୋକଙ୍କ ପାଖରେ ପଛେ ବିକାଶ ନପହଁଚୁ ମାତ୍ର ମୋଦିଙ୍କ ଲୋକପ୍ରିୟତାକୁ ରୋକିବାକୁ ଷଡଯନ୍ତ୍ର କରି ଓଡିଆ ଲୋକଙ୍କ ସହ ବିଶ୍ୱାସଘାତକ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।  ଏହାସହ  ତାମିଲ୍ କମ୍ପାନୀ ଠାରୁ ଆରମ୍ଭ କରି ଘରୋଇ କମ୍ପାନୀ ମାନଙ୍କୁ ବିନା ଅସୁବିଧାରେ ଏନଓସି ଦିଆଯାଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି । ରାଜ୍ୟର ବିକାଶରେ ବାଧକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକଳ୍ପର ସହାୟତା ପାଇଁ କେବେ ସହଯୋଗ କରୁନାହାନ୍ତି । ଓଡିଆ ମାନଙ୍କ ଜୀବନଶୈଳୀ ଅଣଓଡିଆ ଅଫିସରଙ୍କୁ ଜଣାନାହିଁ । ଓଡିଆ ଚାଷୀଙ୍କ ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ କଣ୍ଟା ସାଜୁଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ତାଲିକା କଣ ପାଇଁ ପଠାଉନାହାନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ତାଲିକା ଦେବେ ସେହି ଅନୁସାରେ କେନ୍ଦ୍ର ସରକାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ କଥା ନବୁଝି ନିଜ ଉଦ୍ଦେଶ୍ୟରେ ଚାଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୪ରୁ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ହେବାର ଦାୟିତ୍ୱ ମିଳିଲା । ୨୦୧୬ରେ ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନାରୀ ଉଦଘାଟନ୍ କରିବା ଗସ୍ତ ସମୟରେ ଓଡିଶା ପୂର୍ବ ଭାରତର ବିକାଶର ଦ୍ୱାର ହେବ ବୋଲି କହିଥିଲେ । ପୁରୀର ବିକାଶ ପାଇଁ ଭିତ୍ତିଭୂମି ନିମନ୍ତେ ଭାରତ ସରକାର ତରଫରୁ ଆଉ ୫୦ କୋଟି ଟଙ୍କା ଦିଆଯାଇଥିଲା ।  ରାଜ୍ୟ ସରକାର ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି ବୋଲି ଦାବି  କରୁଛନ୍ତି । କିନ୍ତୁ ସ୍ଥିତିକୁ ଦେଖିଲେ ତା ବିପରୀତ ଅବସ୍ଥା ଭଳି ଲାଗୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ରାଜ୍ୟରେ ଭାରତ ସରକାରଙ୍କ ୧ କୋଟି  ୩୬ ଲକ୍ଷ ୪୧୭ କୋଟି ଟଙ୍କା ପ୍ରକଳ୍ପ ମଧ୍ୟରୁ ପେଟ୍ରୋଲିୟମ  ଓ ନ୍ୟାଚୁରାଲ ଗ୍ୟାସ ବିଭାଗରେ ୫୧ ହଜାର ୩୯୫ କୋଟି, ସଡକ, ପରିବହନ ଓ ରାଜପଥରେ ୫୬ ହଜାର ୫୬୩ କୋଟି, ରେଳବାଇରେ ୧୨ ହଜାର ୨୮୬ କୋଟି, ଅଣପେଟ୍ରୋଲିୟମ ନିବେଶରେ  ୧୫ ହଜାର ୪୧୩ କୋଟି , ସ୍ୱାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଏବଂ ପାଇକ ବିଦ୍ରୋହ ପାଇଁ ୨୦୦ କୋଟି ଟଙ୍କାର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି । ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମୋଟ  ୬୨ଟି ଓ ସେଥିରୁ ୨୦୧୭ ପରେ ୪୪ଟି ଚିଠି ଲେଖିଛନ୍ତି । ଏହି ଚିଠି ମଧ୍ୟରୁ ୨୪.୦୪.୨୦୧୭ ମସିହାରେ ଲିଖିତ ଗୋଟିଏ ଚିଠି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଠାରୁ ପତ୍ରପ୍ରାପ୍ତି ମିଳିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହାସହ ପାରାଦ୍ଵୀପ ବିଶୋଧନାଗାର ସମ୍ପ୍ରସାରଣ ଯୋଜନା କରାଯାଇଛି । ପାରାଦ୍ଵୀପ ବିଶୋଧନାଗାରର ବାର୍ଷିକ ୧୫ ମିଲିୟନ ମେଟ୍ରିକ ଟନ୍ କ୍ଷମତା ଥିବାବେଳେ ତାଙ୍କୁ ସମ୍ପ୍ରସାରଣ କରିବା ପାଇଁ ତଥା ପେଟ୍ରୋଲ, ଡିଜେଲ ଗୁଡିକୁ ଉତ୍ପାଦନ କରିବା ପାଇଁ ୧୫ ରୁ ୨୫ ମିଲିୟନ ମେଟ୍ରିକ୍ ଟନ୍ କରିବା ପାଇଁ ପ୍ରସ୍ତାବ ଅଛି । ଫଳରେ ଏଥିପାଇଁ ୨୨ ହଜାର କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ । ମାତ୍ର ଏଥିପାଇଁ ଆବଶ୍ୟକ ଥିବା ୨୨୯୦ ଏକର ଜମି ଓଡିଶା ସରକାର ଯୋଗାଇ ଦେଇନାହାନ୍ତି । ପାରାଦ୍ଵୀପ ବିଶୋଧନାଗାରର ସମ୍ପ୍ରସାରଣ ପରେ ପିସିସି ତାଇଓ୍ୱାନ ୪୩ ହଜାର କୋଟି ଟଙ୍କା ପେଟ୍ରୋକେମିକାଲ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ମାତ୍ର ଆବଶ୍ୟକ ହେଉଥିବା ଜମି,ପାଣି, ବିଜୁଳି ଓ ପରିବହନର ସୁବିଧା ପାଇଁ ଓଡିଶା ସରକାର କୌଣସି ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର । ଭଦ୍ରକର ଜାତୀୟ ରାଜପଥ କଡରେ ୧୯୭୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଟେକ୍ସଟାଇଲ ପାର୍କ ଆବଶ୍ୟକ ହେଉଥିବା ୭୫ ଏକର ଜମି ଓଡିଶା ସରକାର ଯୋଗାଇ ଦେଇନାହାନ୍ତି । ସେହିପରି ଭାରତବର୍ଷର ସୁରତ ଓ ତିରୁପୁର ୨ଟି ସ୍ଥାନରେ ଟେକ୍ସଟାଇଲ୍ ଶିଳ୍ପାୟନ ଅଛି । ଓଡିଶାର ଅନେକ ଲୋକ ସେଠାକୁ ଯାଇ କାମ କରୁଛନ୍ତି କିନ୍ତୁ ଏଠାରେ ଶିଳ୍ପାୟନ ସ୍ଥାପନ କରି ରୋଜଗାର ସୃଷ୍ଟି କରିବାକୁ ଚାହିଁଲେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ସେ କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.