କଳା ଓ ସଂସ୍କୃତିରାଜ୍ୟ

୪୦ ବର୍ଷ ତଳେ ଶ୍ରୀଜଗନ୍ନାଥ ମନ୍ଦିରରେ ଥିଲା ୧୨୮ କିଲୋରୁ ଅଧିକ ସୁନା ଓ ୨୨୧ କିଲୋରୁ ଅଧିକ ରୁପା ସାମଗ୍ରୀ

ଆଓରି(ତା୨୭|୪)-ଚାଳିଶି ବର୍ଷ ତଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ପ୍ରସ୍ତୁତ କରାଯାଇଥିବା ତାଲିକା ମୁତାବକ ଏଠାରେ ୧୨, ୮୩୧ ଭରିରୁ ଅଧିକ ସୁନା ଓ ୨୨, ୧୫୩ ଭରିରୁ ଅଧିକ ରୁପା ସାମଗ୍ରୀ ଥିଲା। ତେବେ ଏହି ପୁରୁଣା ତାଲିକା ମୁତାବକ କେତେ ମୂଲ୍ୟର ରତ୍ନ ଅଳଙ୍କାର ରହିଛି ତାହାର ରେକର୍ଡ ସରକାରଙ୍କ ନିକଟରେ ନାହିଁ। ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପୂର୍ବରୁ କେବେ ଖୋଲାଯାଇ ସେଥିରେ ଗଚ୍ଛିତ ଥିବା ସମ୍ପତ୍ତିର ଆକଳନ କରାଯାଇଥିଲା, ସେ ସମୟରେ ରତ୍ନ ଭଣ୍ଡାରରେ କେଉଁ କିସମର କେତେ ପରିମାଣର ଓ କେତେ ମୂଲ୍ୟର ସମ୍ପତ୍ତି ଥିଲା ଏବଂ ଏବେ ଏହାର ପରିମାଣ କେତେ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରଶ୍ନରେ ଉଲ୍ଲେଖ କରିଥିଲେ।

ଏହାର ଉତ୍ତରରେ ଆଇନ୍ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ରତ୍ନଭଣ୍ଡାରର ଭିତର ଓ ବାହାର ପାଖରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେ ସମୟରେ ରତ୍ନ ଭଣ୍ଡାରରେ ମୂଲ୍ୟବାନ ପଥର ସହିତ ୧୨, ୮୩୧ ଭରି ଏକ ଅଣା ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା। ସେହିପରି ମୂଲ୍ୟବାନ ପଥର ସହିତ ୨୨, ୧୫୩ ଭରି ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଥିବା ସେତେବେଳେ ଆକଳନ କରାଯାଇଥିଲା।

ଏହାଛଡ଼ା ୧୪ଟି ସୁନା ଓ ରୁପା ଜିନିଷ ସେତେବେଳେ ବିଭିନ୍ନ କାରଣରୁ ଓଜନ କରାଯାଇପାରିନଥିଲା। ତେଣୁ ଏହି ୧୪ଟି ସୁନା ଓ ରୁପା ଜିନିଷର ଓଜନ ଏହି ହିସାବରେ ଅନ୍ତର୍ଭୁକ୍ତ ନୁହେଁ। ମନ୍ତ୍ରୀ ପୁଣି କହିଛନ୍ତି ଯେ ଏହି ତାଲିକା ପ୍ରସ୍ତୁତ କରାଯିବା ବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନାହିଁ, ଏବେ ଏହାର ପରିମାଣ କେତେ ହେବ ତାହା ଆକଳନ କରାଗଲେ ଜଣାପଡ଼ିବ।

ତେବେ ୧୯୭୮ରୁ ୨୦୧୮ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଆଉ କେତେ ପରିମାଣର ସୁନା, ରୁପା ଓ ଅନ୍ୟାନ୍ୟ ରତ୍ନ ଅଳଙ୍କାର ଜମା ହୋଇଛି ସେ ସଂକ୍ରାନ୍ତରେ ସରକାରଙ୍କ ଉତ୍ତରରେ କିଛି ନିର୍ଦ୍ଦିଷ୍ଟ ସୂଚନା ନ ଥିବାରୁ ଭକ୍ତମାନଙ୍କ ଦାନ ଓ ପ୍ରଣାମୀ ଦୃଷ୍ଟିରୁ ଏହାର ପରିମାଣ ଢେର୍ ଅଧିକ ହୋଇପାରେ ବୋଲି ବେସରକାରୀ ଭାବେ କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button