ଖେଳ

ସନ୍‌ରାଇଜର୍ସର ବିଜୟ

ଆ.ଓ.ରି(ତା୧୦|୪)-୨ ବର୍ଷ ପରେ ଆଇପିଏଲ୍‌କୁ ଫେରିଥିବା ରାଜସ୍ଥାନ ରୟାଲ୍‌ସ ଏକତରଫା ପରାଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି। ସୋମବାର ଆଇପିଏଲ୍‌-୧୧ର ୪ର୍ଥ ମ୍ୟାଚ୍‌ରେ ରାଜସ୍ଥାନକୁ ସହଜରେ ୯ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦରାବାଦ ପରାସ୍ତ କରିଛି। ସନ୍‌ରାଇଜର୍ସ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ରାଜସ୍ଥାନ ରୟାଲ୍‌ସ ପ୍ରଥମେ ବ୍ୟାଟିଂକରି ୯ ୱିକେଟରେ ମାତ୍ର ୧୨୫ ରନ୍‌ କରି ପାରିଥିଲା। ପରେ ଶିଖର ଧାୱନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୫.୫ ଓଭରରେ ୧ ୱିକେଟ ହରାଇ ସନ୍‌ରାଇଜର୍ସ ବିଜୟୀ ହୋଇଥିଲା।
୧୨୬ ରନ୍‌ର ସହଜ ଲକ୍ଷ୍ୟ ନେଇ ସନ୍‌ରାଇଜର୍ସ ହାଇଦରାବାଦ ଇନିଂସ ଆରମ୍ଭ କରିଥିବା ବେଳେ ଓପ୍‌ନର ଋଦ୍ଧିମାନ ଶାହା ୫ ରନ୍‌କରି ବିଦାୟ ନେଇଥିଲେ। ପରେ ଓପ୍‌ନର ଶିଖର ଧାୱନ୍‌ ଓ କେନ୍‌ ୱିଲିୟମ୍‌ସନ୍‌ ଦ୍ରୁତଗତିରେ ସ୍କୋର୍‌ କରି ଚାଲିଥିଲେ। ବିଶେଷକରି ବାମହାତି ଧାୱନ୍‌ ବାଉଣ୍ଡରୀ ପରେ ବାଉଣ୍ଡରୀ ମାରିଥିଲେ। ଧାୱନ୍‌-ୱିଲିୟମ୍‌ସନ୍‌ ଅବିଭାଜିତ ୨ୟ ୱିକେଟ ପାଇଁ ୧୨୧ ରନ୍‌ ଯୋଡ଼ିଥିଲେ। ୱିଲିୟମ୍‌ସନ ୩୫ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୬ ଏବଂ ଧାୱନ ୫୭ ବଲ୍‌ରୁ ଗୋଟିଏ ଛକା ଓ ୧୩ଟି ଚୌକା ସହ ୭୭ ରନ୍‌କରି ଅପରାଜିତ ରହିଥିଲେ।
ଟସ୍‌ ଜିତି ଘରୋଇ ସନ୍‌ରାଇଜର୍ସ ହାଇଦରାବାଦ ଫିଲ୍‌ଡିଂ ନେଇଥିଲା। ଏହାର ବୋଲର ଅଧିନାୟକ କେନ୍‌ ୱିଲିୟମ୍‌ସନଙ୍କ ଏହି ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରି ଗୋଟିଏ ପରେ ଗୋଟିଏ ୱିକେଟ ନେଇ ରାଜସ୍ଥାନକୁ ଚାପରେ ପକାଇଥିଲେ। ରାଜସ୍ଥାନ ରୟାଲ୍‌ସ ପାଇଁ ସବୁଠାରୁ ଘାତକ ସିଦ୍ଧ ହୋଇଥିଲା ଶେଷ ୧୧ ଓଭର। ରାଜସ୍ଥାନ ଏହି ୧୧ ଓଭରରେ ମାତ୍ର ୬୧ ରନ୍‌ ଯୋଡ଼ି ୬ଟି ୱିକେଟ ହରାଇଥିଲା। ଫଳରେ ଚଳିତ ଆଇପିଏଲ୍‌ରେ ଅଦ୍ୟାବଧି ସବୁଠାରୁ କମ୍‌ ସ୍କୋର୍‌ ୧୨୫ ରନ୍‌ କରିଥିଲା ପ୍ରଥମ ଆଇପିଏଲ୍‌ର ଚମ୍ପିଆନ୍‌ ଦଳ ରାଜସ୍ଥାନ। ଅଷ୍ଟ୍ରେଲୀୟ ଓପ୍‌ନର ଡି’ଆର୍ସି ସର୍ଟ ୪ ରନ୍‌କରି ଆଉଟ ହେବା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୩ ରନ୍‌କରି ବିଦାୟ ନେଇଥିଲେ। ଇଂଲଣ୍ଡର ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍‌ସ ୫ ରନ୍‌କରି ଆଉଟ୍‌ହେବା ରାଜସ୍ଥାନକୁ ବହୁତ ବାଧିଥିଲା। ତେବେ କେରଳୀ ବ୍ୟାଟ୍‌ସମ୍ୟାନ୍‌ ସଞ୍ଜୁ ସାମ୍‌ସନ ୪୯ ରନ୍‌ କରିବାରୁ ରାଜସ୍ଥାନ ରୟାଲ୍‌ସ ଶହେ ରନ୍‌ ଅତିକ୍ରମ କରି ପାରିଥିଲା। ସାମ୍‌ସନ ୪୨ ବଲ୍‌ରୁ ୫ଟି ଚୌକା ସହ ୪୯ ରନ୍‌ କରିଥିଲେ। ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍‌ ଜୋସ୍‌ ବଟ୍‌ଲର ମଧ୍ୟ ରାଜସ୍ଥାନକୁ ନିରାଶକରି ୬ ରନ୍‌ କରିଥିଲେ। ମହାରାଷ୍ଟ୍ର ଓପ୍‌ନର ରାହୁଲ ତ୍ରିପାଠୀ ୧୫ ବଲ୍‌ରୁ ୧୭ ରନ୍‌ କରିଥିଲେ। ଗୌତମ ବିନା ସ୍କୋର୍‌ରେ ଆଉଟ ହୋଇଥିବା ବେଳେ ଶ୍ରେୟାସ ଗୋପାଳ ୧୮ ବଲ୍‌ରୁ ୧୮ ରନ୍‌ କରିଥିଲେ। ସାକିବ୍‌ ଅଲ୍‌ ହାସନ୍‌ ୨୩ ରନ୍‌ ଓ ସିଦ୍ଧାର୍ଥ କୌଲ ୧୭ ରନ୍‌ ଦେଇ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଶିଖର ଧାୱନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷିତ ହୋଇଥିଷଲ।

Related Articles

Leave a Reply

Your email address will not be published. Required fields are marked *

Back to top button