ଆସନ୍ତା ୩୧ତାରିଖଠାରୁ ଝାରସୁଗୁଡାରୁ ଉଡିବ ସ୍ପାଇସ୍ ଜେଟ ବିମାନ ; ଧର୍ମେନ୍ଦ୍ର ପ୍ରଧାନ
1 min read
ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ମାର୍ଚ୍ଚ ୩୧ ତାରିଖରେ ଆରମ୍ଭ ହେବ ବୋଲି ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ ଠାରେ ସ୍ପାଇସ୍ ଜେଟର ସହ-ସଂସ୍ଥାପକ ଶ୍ରୀ ଅଜୟ ସିଂହ ଓ ନାଗରିକ ଉଡ୍ଡୟନ ରାଜ୍ୟ ମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନାଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦ୍ଧିବଦ୍ଧ ଭାବେ ଘୋଷଣା କଲେ । ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ସ୍ପାଇସ୍ ଜେଟ୍ ଝାରସୁଗୁଡ଼ାରୁ ଦେଶର ୪ଟି ବଡ଼ ସହର ମଧ୍ୟରେ ଚଳାଚଳ କରିବ। ଏହି ସହର ମଧ୍ୟରେ ନୂଆଦିଲ୍ଲୀ, ହାଇଦ୍ରାବାଦ, କୋଲକୋତା ଓ ରାୟପୁର ରହିଛି।
ଉଡାଣ-୩ ଯୋଜନା ଆଧାରରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏହି ସ୍ପାଇସ୍ ଜେଟ ବିମାନ ଚଳାଚଳ କରିବା ଦ୍ଵାରା ଓଡିଶାର ଲୋକମାନଙ୍କ ସ୍ଵପ୍ନ ଓ ଆକାଂକ୍ଷା ପୂରଣରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଣିଜ୍ୟ, ଉଦ୍ୟୋଗ ଉଡ୍ଡୟନ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁଙ୍କ ‘ଉଡାଣ-୩’ ଦୂରଦୃଷ୍ଟି ମୂଳକ ଯୋଜନା ଓ ନେତୃତ୍ତ୍ଵ ମାଧ୍ୟମରେ ଏହା ସମ୍ଭବ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।
ଝାରସୁଗୁଡାକୁ ଦେଶର ଅନ୍ୟ ପ୍ରାନ୍ତ ସହିତ ବିମାନ ସମ୍ପର୍କ ହେବା ଦ୍ଵାରା ପଶ୍ଚିମ ଓଡିଶାର ଲୋକମାନେ ବହୁ ଉପକୃତ ହେବେ ଏବଂ ଏହା ରାଜ୍ୟ ବିକାଶର ମଧ୍ୟ ଏକ କେନ୍ଦ୍ର ହେବ । ଏହାଦ୍ୱାରା ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡଖଣ୍ଡ ଆଦିବାସୀ ଏବଂ ବନବାସୀମାନେ ମଧ୍ୟ ଲାଭବାନ ହୋଇପାରିବେ। ଏହି ବିମାନ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ବନ ସମ୍ପଦରେ ସମୃଦ୍ଧ ଥିବାରୁ ଏଠାରେ ଏକ ବିରାଟ ଜୈବ ଇନ୍ଧନ ପ୍ରଜନନ କ୍ଷେତ୍ର କରାଯାଉ ବୋଲି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପାଇସ୍ ଜେଟ ଅଧିକାରୀଙ୍କୁ ଆଗ୍ରହ କରି କହିଥିଲେ।
ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଥିଲେ। ସଂସ୍ଥାର ଏକ ଆଠଜଣିଆ ପ୍ରତିନିଧ ଦଳ ଝାରସୁଗୁଡ଼ାରେ ପହଞ୍ଚି ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ। ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚେହାନ ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବିମାନ ବନ୍ଦରର ସମସ୍ତ ବ୍ୟବସ୍ଥା ସଂପର୍କରେ ଅବଗତ କରିଥିଲେ। ପରିଦର୍ଶନ ପରେ ଟିମ୍ ପଦାଧିକାରୀମାନେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିମାନ ସେବା ପ୍ରଦାନ କରିବେ ଏବଂ ଆଜିଠାରୁ ଅର୍ଥାତ୍ ଫେବ୍ରୁଆରି ୨୭ ଅପରାହ୍ନରୁ ସ୍ପାଇସ୍ ଜେଟରେ ଯାତ୍ରା ପାଇଁ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି ବୋଲି ସ୍ପାଇସ୍ ଜେଟ୍ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଥିଲେ।