ଜାତୀୟ

ହସ ଫୁଟିଲା ୩୫୦ ପୀଡ଼ିତାଙ୍କ ମୁହଁ ରେ

ଆଓରି(ତା୨୪|୪)-ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ତେବେ ସଂଶୋଧିତ ଆଇନ ଆସିଯିବା ପରେ କଟକ ଜିଲାରେ ୩୫୦ ପୀଡିତାଙ୍କ ମୁହଁରେ ଭରିଉଠିଛି ହସ। ଅଭିଯୁକ୍ତ ପାଇବେ କଠୋର ଦଣ୍ଡ; ଫଳରେ ସେମାନଙ୍କ ପରିବାର ଲୋକେ ଆଶା ବାନ୍ଧିଛନ୍ତି ଖୁବ ଶୀଘ୍ର ମିଳିବ ନ୍ୟାୟ।
ସଂପ୍ରତି କଟକ ଜିଲାରେ ନାବାଳିକାଙ୍କ ପ୍ରତି ଦୁଷ୍କର୍ମ ମାମଲା ଏବେ ବଢିବାରେ ଲାଗିଛି। ଏହି ମାମଲାରେ ଅଭିଯୁକ୍ତ କୋର୍ଟରେ ଦଣ୍ଡିତ ହେଉଥିବାବେଳେ ଏହାର କୌଣସି ପ୍ରଭାବ ପଡୁନଥିବା ଲକ୍ଷ୍ୟକରାଯାଉଛି। ଏବେ ଖୁବ୍‌ଶୀଘ୍ର ଆହୁରି ୫ଟି ମାମଲାର ରାୟ ପ୍ରକାଶ ପାଇବ। କଟକ ସଦର ଅଞ୍ଚଳର ୨ଟି ମାମଲା, ଆଠଗଡ଼, ଚୌଦ୍ୱାର ଓ ଚାଉଳିଆଗଞ୍ଜ ଥାନା କୈବଲ୍ୟ ନଗର ଅଞ୍ଚଳରେ ଘଟିଥିବା ମାମଲାରେ ତୃତୀୟ ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ଶୁଣାଣି ଓ ସାକ୍ଷ୍ୟ ଗ୍ରହଣ ଚୂଡାନ୍ତ ପର୍ଯ୍ୟାନ୍ତରେ ପହଞ୍ଚିଥିବାବେଳେ ଅଭିଯୁକ୍ତ ଦଣ୍ଡାଦେଶ ପାଇବା ଧାର୍ଯ୍ୟ। ତେବେ ମିଳିଥିବା ସୂଚନା ଅନୁସାରେ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) ଅନୁସାରେ ଜିଲାରେ ଅଦ୍ୟାବଧି ୩୫୦ ମାମଲା ବିଚାରାଧୀନ ଥିବାବେଳେ ଗତବର୍ଷ ୧୪୪ଟି ମାମଲା ଦାୟର ହୋଇଥିଲା। ଏହି ସମୟରେ ୩୫ଟି ମାମଲାର ବିଚାରରେ ଅନ୍ତ ଘଟିଥିବାବେଳେ ଅଭିଯୁକ୍ତଙ୍କୁ ମିଳିଥିଲା ଦଣ୍ଡାଦେଶ ଓ ଆର୍ଥିକ ଜରିମାନା ଆଦେଶ।
ତେବେ ଚଳିତ ବର୍ଷ ଜାନୁୟାରୀ ଠାରୁ ଏଯାବତ ୨ଟି ମାମଲାରେ ବିଚାର ଶେଷ ହୋଇ ଅଭିଯୁକ୍ତଙ୍କୁ ମିଳିସାରିଛି ଦଣ୍ଡ। ଗତ ୧୮ତାରିଖରେ ଜଣେ ନାବାଳିକାକୁ ବଳାତ୍କାର କରିବା ମାମଲାରେ ତୃତୀୟ ଅତିରିକ୍ତ ଜିଲାଦୌରା ଜଜ ଆନନ୍ଦ
ନାରାୟଣ ମହାରଣା ଶୁଣାଣି କରି ଅଭିଯୁକ୍ତ ପ୍ରଦୀପ ବେହେରା ଓରଫ ପିଣ୍ଟୁକୁ ୧୦ବର୍ଷ ଜେଲ୍‌ ଦଣ୍ଡ ପ୍ରଦାନ କରିବା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ। ଆଇପିସି ୩୭୬(୨)(୧), ୫୦୬ ଓ ପୋକ୍ସୋ ଆଇନ ୪ ଅନୁସାରେ କୋର୍ଟ ବିଚାର କରି ୧୫ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ସହ ମେଡ଼ିକାଲ ରିପୋର୍ଟକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୪ ମଇ ୧୩ତାରିଖରେ ବିଡ଼ାନାସୀ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା।
ସେହିପରି ଜାନୁୟାରୀ ୧୮ତାରିଖରେ କୋର୍ଟ ନାବାଳିକା ବଳାତ୍କାର ମାମଲାର ବିଚାର କରି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୂରସିଂହ ଗ୍ରାମର ଅଭିଯୁକ୍ତ ବିଜୁ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଥିଲେ। ୨୦୧୪ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ତେବେ ଏବେ ଏପରି ମାମଲାର ଶୁଣାଣିରେ ଆଉ ବିଳମ୍ବ ହେବ ନାହିଁ। ୬ମାସ ମଧ୍ୟରେ ବିଚାର ଶେଷ ହୋଇ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବ। ଏହି ଅଧ୍ୟାଦେଶରେ ମୋହର ଲଗାଇଛନ୍ତି ରାଷ୍ଟ୍ରପତି। ଅବଶ୍ୟ କଟକ ଜିଲାରେ ଏପରି ମାମଲାରେ ତ୍ୱରିତ ବିଚାର ପାଇଁ ଚେଷ୍ଟା ହେଉଛି; କିନ୍ତୁ ସାକ୍ଷ୍ୟମାନେ ଧାର୍ଯ୍ୟ ସମୟରେ ହାଜର ହେଉ ନ ଥିବାରୁ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଛି।
ମାମଲାର ଶୁଣାଣି ପାଇଁ ଥାନା ଅଧିକାରୀଙ୍କ ପାଖକୁ ସମନ ଯାଉଛି। ସାକ୍ଷୀମାନଙ୍କୁ ହାଜର କରିବା ପାଇଁ କୁହାଯାଉଛି; ହେଲେ ଥାନା ଅଧିକାରୀମାନେ ଏହି କାର୍ଯ୍ୟ କରୁନାହାନ୍ତି। ବିଚାରପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଅନ୍ୟପକ୍ଷରେ ଏହି ଜିଲାରେ ଆହୁରି ୪ଟି ସ୍ଥାନରେ ସର୍କିଟ ବେଞ୍ଚ ବସୁଛି। ନରସିଂହପୁର, ବଡ଼ମ୍ବା, ଆଠଗଡ଼ ଓ ସାଲେପୁର ଅଞ୍ଚଳରେ ଘଟୁଥିବା ଏପରି ମାମଲାର ତ୍ୱରିତ ବିଚାର ପାଇଁ ଖୋଦ ଜଜ ସେହି ସ୍ଥାନକୁ ପ୍ରତି ମାସରେ ଦୁଇ ଥର ଗସ୍ତ କରି ଶୁଣାଣି କରୁଛନ୍ତି। ତେବେ କିଛି କ୍ଷେତ୍ରରେ ସାକ୍ଷୀମାନେ ବୟାନ ବଦଳାଇଦେଉଛନ୍ତି ଓ ଆଉ କିଛି କ୍ଷେତ୍ରରେ ଏପରି ମାମଲାରେ ଗାଁରେ ଆପୋଷ ବୁଝାମଣା କରିଦେଉଛନ୍ତି; ଫଳରେ ନ୍ୟାୟ ପାଇପାରୁନି ପୀଡିତା। ଏବେ ରାଜ୍ୟରେ ଏପରି ଅମାନୁଷିକ କାଣ୍ଡ ବଢିଚାଲିଥିବାବେଳେ ସରକାର ଏଭଳି କ୍ଷେତ୍ରରେ ବିଚାରକୁ ତ୍ୱରାନ୍ୱିତ କରିବା ପାଇଁ ଆହୁରି ପଦକ୍ଷେପ ନେବା ଉଚିତ। ଅଧିକ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦେବା ଉପରେ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button