ସିରିଆ ସମସ୍ୟା: ୭ବର୍ଷରେ ୫ ଲକ୍ଷଙ୍କ ମୃତ୍ୟୁ
1 min read
ଆଓରି(ତା୧୬|୪)- ସିରିଆରେ ଜାରି ରହିଥିବା ଗୃହଯୁଦ୍ଧରେ ଗତ ୭ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ଲକ୍ଷ ଲକ୍ଷ ଲୋକ ଜୀବନ ବିକଳରେ ପଡ଼ୋଶୀ ରାଷ୍ଟ୍ରରେ ଶରଣ ନେଇଛନ୍ତି। ରାଷ୍ଟ୍ରପତି ବଶର ଅଲ୍ ଅସଦ୍ଙ୍କ ସେନା ଓ ବିଦ୍ରୋହୀଙ୍କ ମଧ୍ୟରେ ଲାଗିଥିବା ଏହି ଲଢ଼େଇରେ ସାଧାରଣ ଜନତାଙ୍କ ଅଶେଷ କ୍ଷତି ହେବାରେ ଲାଗିଛି। ଇତିମଧ୍ୟରେ ସିରିଆର ଘରୋଇ ସମସ୍ୟାରେ ରୁଷିଆ, ଆମେରିକା ଭଳି କ୍ଷମତାଶାଳୀ ରାଷ୍ଟ୍ର ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରରେ ଶାନ୍ତି ବ୍ୟାହତ ହେବା ଭଳି ଅବସ୍ଥା ସୃଷ୍ଟି ହୋଇଛି। ୨୦୧୧ରେ ଏକ ସାଧାରଣ ଘଟଣାରୁ ଆରମ୍ଭ ହୋଇଥିବା ଏହି ସମସ୍ୟା ଏବେ ତୃତୀୟ ବିଶ୍ୱଯୁଦ୍ଧର କାରଣ ସାଜିବାକୁ ଯାଉଛି। ଏଥିରେ ଗୋଟିଏ ପଟେ ଫ୍ରାନ୍ସ, ବ୍ରିଟେନ୍, ଆମେରିକା ରହିଥିବାବେଳେ ସେମାନଙ୍କୁ ତୁର୍କୀ ଓ ସୌଦୀ ସମର୍ଥନ କରୁଥିବା ଦେଖାଯାଉଛି। ଅନ୍ୟପକ୍ଷରେ ଇରାନ ଓ ଚାଇନା ଆମେରିକାର ଏଭଳି କାର୍ଯ୍ୟକୁ ବେଆଇନ କହିଛନ୍ତି। ସିରିଆ ସମସ୍ୟା ନେଇ ଜାତିସଂଘ ପକ୍ଷରୁ ବିଶ୍ୱଶାନ୍ତି ଅବ୍ୟାହତ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି।