May 4, 2024

ବିଜେପିରେ ମିଶିବେ ଦାମ ରାଉତ

1 min read

ଆଓରି-ଭୁବନେଶ୍ଵର(୧୦/୦୩) : ବରିଷ୍ଠ ନେତା ଦାମୋଦର ରାଉତ ବିଜେପିରେ ମିଶିବା ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ବିଜେଡିରୁ ବହିଷ୍କୃତ ହେବା ପୂର୍ବରୁ ଏବଂ ପରେ ଦାମ ବାବୁ ନବୀନ ସରକାରଙ୍କ ଅନେକ ଦୁର୍ନୀତି ଓ ଭ୍ରଷ୍ଟାଚାର ପଦାକୁ ଆଣିଥିଲେ । ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ମୁଦ୍ଦା ଧରି ଜନତାଙ୍କୁ ଆକୃଷ୍ଟ କରିବାର ଚେଷ୍ଟା ଆରମ୍ଭ କଲେଣି । ଏହିକ୍ରମରେ ବରିଷ୍ଠ ନେତା ଦାମ ମଧ୍ୟ ମୁଖ୍ୟ ମୁଦ୍ଦା ଦୁର୍ନୀତି ଓ ଭ୍ରଷ୍ଠାଚାରକୁ ଧରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।

ଦାମ ବାବୁ କହିଛନ୍ତି ଯେ ବିଜେପିରେ ମିଶିବା ନେଇ ନିଷ୍ପତ୍ତି ଅମୀମାଂସିତ । କିଛିଦିନ ତଳେ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ ଦାମ ବାବୁ ମଧ୍ୟ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏନେଇ ଦାମ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି “ଯିଏ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଲଢିବ, ମୁଁ ତାକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି । ବିଜେପି ଯଦି ବିକାଶ ସହ ଦୁର୍ନୀତି ଓ ଭ୍ରଷ୍ଟାଚାର ହଟାଇବାକୁ ଆଗେଇ ଆସିବ, ବିଜେପିରେ ମିଶିବାରେ କୌଣସି ଆପତ୍ତି ନାହିଁ । ସେହିପରି କଂଗ୍ରେସ ଯଦି ଦୁର୍ନୀତି ବିରୁଦ୍ଧରେ ଲଢେ, ମୁଁ ପୂର୍ଣ୍ଣ ସହଯୋଗ କରିବି । “

ଦାମ ପୁଣି କହିଛନ୍ତି ଯେ, ତାଙ୍କର ଏକମାତ୍ର ଲକ୍ଷ୍ୟ ବିଜେଡି ଓ ନବୀନ ସରକାରର ଅବସାନ । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ହୋଇଛି, ଆଉ ଏକ ପର୍ଯ୍ୟାୟ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ଦାମ ସ୍ପଷ୍ଟ କରିଛନ୍ତି । ଦାମ କହିଛନ୍ତି “ମୋ ପାଖରେ ଜ୍ଞାନ, ବିଜ୍ଞାନ ସବୁ ରହିଛି । ମୁଁ ଚାହିଁଲେ ପାରାଦୀପରେ ପଦ୍ମ ଫୁଟିବା ଅସମ୍ଭବ ନୁହେଁ ।”

ସେହିପରି ବରିଷ୍ଠ ନେତା ତଥାଗତ ଶତପଥୀଙ୍କ ମନ୍ତବ୍ୟ ନେଇ ସମର୍ଥନ ଜଣାଇଛନ୍ତି ଦାମ ବାବୁ । ସୂଚନା ଯେ, ରାଜନୀତିରୁ ଅବସର ନେବା ପରେ ତଥାଗତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅବସର ନେବାର ସମୟ ଆସିଯାଇଛି ବୋଲି ମନ୍ତବ୍ୟ ଦେଇଥିଲେ । ତେବେ ଏଥିରେ ସହମତି ଜଣାଇଛନ୍ତି ଦାମ ରାଉତ ।

ଅନ୍ୟପଟେ ଦାମ ବାବୁଙ୍କ ଘରେ ବରିଷ୍ଠ ନେତା ତଥା ନବୀନ  ନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ସେ କହିଛନ୍ତି ଯେ, ସେ ଦାମଙ୍କ ନିଷ୍ପତ୍ତିରେ ସହମତ  । ତେବେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଏକାଠି ହୋଇ ଲଢିବେ ବୋଲି ନବୀନ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.