ରାଜ୍ୟ

କାଳିଆ ଯୋଜନାରେ ତୃଟି ପରିଲିକ୍ଷିତ

ଆଓରି-ଭୁବନେଶ୍ଵର(୦୯/୦୩) : ରାଜ୍ୟ ସରକାର କାଳିଆ ଯୋଜନା କରି ଚାଷୀ ଓ ଚାଷର ଉନ୍ନତି ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହି ଯୋଜନାର ସୁଫଳ ଅନେକ ଚାଷୀଙ୍କ ପାଖରେ ପହଞ୍ଚତ୍ ପାରୁନି। କେବଳ ଏତିକି ନୁହେଁ, ଚାଷୀଙ୍କୁ ଭୂମିହୀନ ଓ ଭୂମିହୀନଙ୍କୁ ଚାଷୀ ଦର୍ଶାଯାଇ ସେମାନଙ୍କ ଅଧିକାରରୁ ବଞ୍ଚତ୍ତ କରାଯାଉଛି। ବଡ଼ କଥା ହେଲା ଚାଷୀଙ୍କୁ ଭୂମିହୀନ ଦର୍ଶାଯିବା ଦ୍ୱାରା ସେମାନେ କାଳିଆ ଯୋଜନାରେ ପାଇବାକୁ ଥିବା ସହାୟତା ରାଶି ଓ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଥିସହ ଅନେକ ଯୋଗ୍ୟ ଚାଷୀଙ୍କ ନାମ ତାଲିକାରୁ ବାଦ୍‌ ପଡ଼ିଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ପରିସ୍ଥିତିରେ ଚାଷୀ କଣ କରିବେ ଚିନ୍ତାରେ ପଡିଥିବାବେଳେ ସମାଧାନର ସୂତ୍ର ବାହାର କରି ନ ପାରି ଜିଲା କୃଷି ବିଭାଗ ହାତ ଟେକି ଦେଇଛି।

ସୂଚନା ଅନୁଯାୟୀ, କାଳିଆ ଯୋଜନାରେ ଇତିମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନଙ୍କୁ ପର୍ଯ୍ୟାୟକ୍ରମେ ୩ଟି କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। କିନ୍ତୁ ଏଥିରେ ସ୍ଵଚ୍ଛତା ପରିଲକ୍ଷିତ ହେଉନାହିଁ। କାରଣ ଅନେକ ଚାଷୀଙ୍କୁ ଭୂମିହୀନ ଦର୍ଶାଯାଇଛି। ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ରଘୁନାଥପୁର ବ୍ଲକ ଶାଳିଜଙ୍ଗା ଗ୍ରାମର କେତେଜଣଙ୍କ କଥା ଏଠାରେ ଆଲୋଚନା କରାଯାଇପାରେ। ଏହି ଗ୍ରାମର ସୋମନାଥ ଦ୍ୱିବେଦୀଙ୍କ ପୁଅ ହେଉଛନ୍ତି ତ୍ରିଲୋଚନ। ସୋମନାଥଙ୍କ ଦେହାନ୍ତ ପରେ ଓଆର୍‌ଏସ୍‌ ସଂଶୋଧନ ହୋଇ ନ ଥିବାରୁ ଉତ୍ତରାଧିକାରୀ ହିସାବରେ  ତ୍ରିଲୋଚନଙ୍କ ନାମରେ ଜମି ପଟା ହୋଇନାହିଁ। କିନ୍ତୁ ତାଙ୍କ ନାମରେ କୃଷକ ପରିଚୟ ପତ୍ର ରହିଛି। ବ୍ୟାଙ୍କ ଖାତା ସହ କିଶାନ କ୍ରେଡିଟ୍‌ କାର୍ଡ ଆଦି ଥିବାରୁ ସେ କାଳିଆ ଯୋଜନାରେ ୫ କିସ୍ତିରେ ୨୫ ହଜାର ଟଙ୍କା ପାଇବେ ବୋଲି ଆଶା ବାନ୍ଧିଥିଲେ। ଆବେଦନ କଲାବେଳେ ବାପାଙ୍କ ନାଁରେ ଥିବା ପଟା, କୃଷକ ପରିଚୟ ପତ୍ର, ଭୋଟ ପରିଚୟ ପତ୍ର, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ ବୁକ୍‌, ଜମି ଖଜଣା ଆଦିର ନକଲ ଦେଇଥିଲେ। କିନ୍ତୁ ତାଙ୍କ ନାଁ ଭୂମିହୀନ ତାଲିକାରେ ପ୍ରକାଶ ପାଇଛି। ଏହା ଦେଖି ସେ ବିସ୍ମିତ ହେବା ସହ ସଂଶୋଧନ ପାଇଁ ଦାବି କରିଥିଲେ। କିନ୍ତୁ ସଂଶୋଧନ ହୋଇପାରିବ ନାହିଁ ବୋଲି ପଞ୍ଚାୟତ ଓ କୃଷି ଅଧିକାରୀମାନଙ୍କ ପକ୍ଷରୁ କୁହାଯିବା ସହ ଯାହା ମିଳୁଛି ଗ୍ରହଣ କରିନେବାକୁ ପରାମର୍ଶ ଦିଆଯାଇଥିଲା।

କୁହାଯାଇଥିଲା ଯେ, ଏହି ତ୍ରୁଟି ସଂଶୋଧନ ହୋଇପାରବ ନାହିଁ। କାରଣ କମ୍ପ୍ୟୁଟର ମାଧ୍ୟମରେ ସମସ୍ତ ତଥ୍ୟ ଅପଡେଟ୍‌ କରାଯାଉଛି। ଯାହା ସଂଶୋଧନ ହେବ ଉପର ମୁଣ୍ଡରେ। ଏଥିସହ କିପରି ସଂଶୋଧନ କରାଯିବ ସେ ସମ୍ପର୍କରେ କୌଣସି ସରକାରୀ ନିର୍ଦ୍ଦେଶ ଆସିନାହିଁ। ଏ ସମ୍ପର୍କରେ ତ୍ରିଲୋଚନ କହିଛନ୍ତି, ତାଙ୍କୁ ଭୂମିହୀନ ଦର୍ଶାଯାଇଥିବାରୁ ସେ ୧୨,୫୦୦ ଟଙ୍କା ପାଇବେ। ଚାଷୀ ତାଲିକାରେ ଥିଲେ ୨୫,୦୦୦ ଟଙ୍କା ପାଇଥାନ୍ତେ। ଏଥିସହ କେନ୍ଦ୍ର ସରକାରଙ୍କ ପିଏମ୍‌ କିଶାନ ସମ୍ମାନ ନିଧି ଯୋଜନାରୁ ବାର୍ଷିକ ୬,୦୦୦ ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତେ। ଏବେ ସେ କଣ କରିବେ କିଛି ଜାଣିପାରୁନାହାନ୍ତି। କିନ୍ତୁ ତାଙ୍କ ଗାଁ ହରିଜନ ସାହିର ଜଣେ ମହିଳା ଓ ଅନ୍ୟ ୩ ଜଣ ପୁରୁଷ ଯେଉଁମାନଙ୍କ ଜମି ଗୁଣ୍ଠେ ବୋଲି ନାହିଁ ସେମାନଙ୍କୁ ଚାଷୀ ଦର୍ଶାଯାଇଛି। କେବଳ ତ୍ରିଲୋଚନ ନୁହନ୍ତି,  ଜିଲାର ଅଧିକାଂଶ ଗାଁରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଛି। ସେହିପରି ସମସ୍ତ କାଗଜପତ୍ର ଦାଖଲ କରି ମଧ୍ୟ ବହୁ ଚାଷୀଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ, ବାସ୍ତବରେ ଏଭଳି ହୋଇଥିଲେ ସୁଦ୍ଧା ସଂଶୋଧନ ପାଇଁ ବିଭାଗରୁ କୌଣସି ନିର୍ଦ୍ଦେଶ ନ ଥିବାରୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି ସେ ଏହା ଉପରେ କଣ କରିହେବ ସେନେଇ ନିର୍ଦ୍ଦେଶାଳୟ ସହ ଯୋଗାଯୋଗ କରିବେ ବୋଲି କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button