ଜାତୀୟ

ଜଷ୍ଟିସ୍‍ ଲୋୟା ମୃତ୍ୟୁ ଘଟଣା: ସ୍ୱତନ୍ତ୍ର ତଦନ୍ତ ଆବେଦନ ଖାରଜ

ଆଓରି(ତା୧୯|୪)-  ସ୍ୱତନ୍ତ ବିଚାରପତି ଜଷ୍ଟିସ୍‍ ବି ଏଚ୍‍ ଲୋୟା ମୃତ୍ୟୁ ଘଟଣାର ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସୋହରାବୁଦ୍ଦିନ ଏନ୍‍କାଉଣ୍ଟର ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍‍ ଲୋୟାଙ୍କ ୨୦୧୪ ଡିସେମ୍ବର ୧ ତାରିଖରେ ନାଗପୁରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦ୍‍ଘାତରେ ମୃତ୍ୟୁ ଘଟିଥିଲା। ଏନ୍‍କାଉଣ୍ଟର ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସମ୍ପୃକ୍ତି ଅଭିଯୋଗ ଥିବାରୁ ଜଷ୍ଟିସ୍‍ ଲୋୟାଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ନଭେମ୍ବର ମାସରେ ଲୋୟାଙ୍କ ମୃତ୍ୟୁକୁ ନେଇ ତାଙ୍କ ଭଉଣୀ ସନ୍ଦେହ ପ୍ରକଟ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି କାରଣରୁ ଜଷ୍ଟିସ୍‍ ଲୋୟାଙ୍କ ମୃତ୍ୟୁ ଘଟଣାର ଏସ୍‍ଆଇଟି ତଦନ୍ତ କରିବାକୁ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଦୀପକ ମିଶ୍ର, ଏ ଏମ୍‍ ଖାନ୍‍ୱଲ୍‍କର ଓ ଡି ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଜନସ୍ୱାର୍ଥ ମାମଲାକୁ ‘ଗାମ୍ଭୀର୍ଯ୍ୟହୀନ ଓ ସତ୍ୟ ରହିତ’ ବୋଲି କହିଛନ୍ତି। ଏଥିସହିତ ମାମଲାରେ ଜଡ଼ିତ ୪ ଜଣ ବିଚାରପତିଙ୍କୁ ମଧ୍ୟ ସୁପ୍ରିମକୋର୍ଟ ଦୋଷମୁକ୍ତ କରିଛନ୍ତି। ମାର୍ଚ୍ଚ ୧୫ରେ ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଥିଲା। ଅପରପକ୍ଷରେ ଲୋୟାଙ୍କ ସ୍ୱାଭାବିକ ମୃତ୍ୟୁ ଘଟିଥିବା ତାଙ୍କ ପୁଅ ଗତ ଜାନୁଆରୀ ୧୪ ତାରିଖରେ କହିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଦୁଷ୍ମନ୍ତ ଡାଭେ, ଇନ୍ଦିରା ଜୟସିଂହ ଓ ପ୍ରଶାନ୍ତ ଭୂଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button