April 19, 2024

ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଚାମ୍ପିୟନଶିପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସହଜ ବିଜୟ ହାସଲ କରିଛନ୍ତି ସାଇନା

1 min read

ଆଓରି-ନୂଆଦିଲ୍ଲୀ(୩୧/୭) : ଭାରତୀୟ ସଟ୍‌ଲର ସାଇନା ନେହ୍ଵାଲ ଓ କିଡାମ୍ବୀ ଶ୍ରୀକାନ୍ତ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ୱାର୍ଲ୍ଡ ଚାମ୍ପିୟନଶିପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସହଜ ବିଜୟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୨୮ ବର୍ଷୀୟା ସାଇନା ୨୧-୧୭, ୨୧-୮ ସିଧାସଳଖ ଗେମ୍‌ରେ ତୁର୍କୀର ଆଲିୟେ ଡେଭିରବାଗ୍‌ଙ୍କୁ ପରାସ୍ତ କରିଛନ୍ତି। ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ସାଇନାଙ୍କ ମୁକାବିଲା ୨୦୧୩ ଚାମ୍ପିୟନ ଥାଇଲାଣ୍ଡର ରାଚନୋକ ଇନଥାନୋନଙ୍କ ସହ ହେବ। ପ୍ରଥମ ରାଉଣ୍ଡ ମୁକାବିଲାରେ ସାଇନାଙ୍କୁ ବାଇ ମିଳିଥିଲା। ହାଇଦ୍ରାବାଦୀ ଲଳନା ସାଇନା ପୂର୍ବରୁ ଏଡି ସମ୍ମାନଜନକ ପ୍ରତିଯୋଗିତାରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିବାର ସୌଭାଗ୍ୟ ଲାଭ କରିଥିଲେ।
ପୁରୁଷ ସିଙ୍ଗଲ୍ସରେ ୫ମ ସିଡ୍‌ ଶ୍ରୀକାନ୍ତ ୨୧-୧୫, ୨୧-୧୬ ସିଧାସଳଖ ଗେମ୍‌ରେ ଆୟାର୍ଲାଣ୍ଡର ନହଟ୍‌ ଗୁଏନ୍‌ଙ୍କୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତଙ୍କୁ ଓ୍ବାକ୍‌-ଓଭର ମିଳିଛି। ଶ୍ରୀକାନ୍ତଙ୍କ ପ୍ରତିପକ୍ଷ କୋରିଆର ସନ୍‌ ଓ୍ବାନ୍‌ ହୋ ଆହତ କାରଣରୁ ୨ୟ ରାଉଣ୍ଡରୁ ଓହରି ଯାଇଛନ୍ତି। ଗତ ସିଜନରେ ୪ଟି ଟାଇଟଲ୍‌ ଜିତିଥିବା ଶ୍ରୀକାନ୍ତ ପ୍ରି-କ୍ୱାର୍ଟରରେ ସ୍ପେନର ପାବଲୋ ଏବିଅନଙ୍କୁ ଭେଟିବେ। ପୂର୍ବରୁ ବି. ସାଇ ପ୍ରଣୀଥ୍‌, ଏଚ୍‌.ଏସ୍‌. ପ୍ରଣୟ ଓ ସମୀର ବର୍ମାଙ୍କୁ ଗୋଟିଏ ଲେଖାଏ ଓ୍ବାକ୍‌ଓଭର ମିଳିସାରିଛି। ପ୍ରଣୀଥ୍‌ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନର ଲୁଇସ୍‌ ଏନ୍‌ରିକ ପେନାଲେଭରଙ୍କ ସହ ଖେଳିବେ। ମିକ୍ସଡ ଡବଲ୍‌ସ ସାତ୍ତ୍ୱିକରାଜ ରାନ୍‌କିରେଡ୍ଡୀ ଓ ଅଶ୍ୱିନି ପୋନାପ୍ପା ଯୋଡ଼ି ୧୦-୨୧, ୨୧-୧୭, ୨୧-୧୮ ଗେମ୍‌ରେ ଜମର୍ମାନୀ ଯୋଡ଼ି ମାର୍କ ଲାମ୍ସଫସ୍‌ ଓ ଇସାବେଲ ହେଟ୍ରିଚ୍‌ଙ୍କୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ପରବର୍ତ୍ତୀ ମୁକାବିଲାରେ ସାତ୍ତ୍ୱିକ-ଅଶ୍ୱିନ ଯୋଡ଼ି ମାଲେସିଆର ଗୋ ସୁନ୍‌ ହୁଆତ୍‌ ଓ ସେଭନ ଜେମିଏ ଲାଇଙ୍କୁ ଭେଟିବେ। ତେବେ ରୁଷିଆନ ଓପନ୍‌ ରୌପ୍ୟ ପଦକ ବିଜେତା ରୋହନ କପୁର ଓ କୁହୋ ଗର୍ଗଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ମିକ୍ସଡ୍‌ ଡବଲ୍ସ ଦ୍ୱିତୀୟ ରାଉଣ୍ଡରେ ଇଂଲଣ୍ଡର ସ୍ବାମୀ-ସ୍ତ୍ରୀ ଯୋଡ଼ି କ୍ରିସ୍‌ ଆଡ୍‌କକ୍‌ ଓ ଗ୍ରାବିଏଲା ଆଡ୍‌କକ୍‌ ୨୧-୧୨, ୨୧-୧୨ ସିଧାସଳଖ ଗେମ୍‌ରେ ରୋହନ-ଗର୍ଗଙ୍କୁ ହରାଇଥିଲେ। ପୁରୁଷ ଡବଲ୍ସରେ ଅର୍ଜୁନ ଏମ୍‌ଆର୍‌ ଓ ରୋମଚନ୍ଦ୍ର ଶ୍ଲୋକ ୧୪-୨୧, ୧୫-୨୧ରେ ମାଲେସିଆ ଯୋଡ଼ିଦାରଙ୍କଠାରୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.