March 23, 2023

ଚୀନ ବିଦେଶ ମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର

1 min read
S Jaishankar-met-China-Foreign-minister-aajira-odisha

ଆଓରି-ନୂଆଦିଲ୍ଲୀ(୧୨/୦୮) : ତ୍ରିଦିବସୀୟ ଚିନ ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍ ଜୟଶଙ୍କର ସୋମବାର ବେଜିଂଠାରେ ଚୀନର ଉପରାଷ୍ଟ୍ରପତି ୱାଙ୍ଗ କ୍ୟୁସାନ ଏବଂ ବିଦେଶ ମନ୍ତ୍ରୀ ୱାଙ୍ଗ ୟି’ଙ୍କ ସହ ବୈଠକ କରିଛନ୍ତି। ବୈଠକ ଅବସରରେ ଜୟଶଙ୍କର କହିଥିଲେ ଯେ ଆପୋଷ ମତଭେଦ ବିବାଦର କାରଣ ନହେଉ। ବର୍ତ୍ତମାନ ସମୟରେ ସାରା ବିଶ୍ୱ ଅନିଶ୍ଚିତତା ପରିସ୍ଥିତିର ସାମ୍ନା କରୁଥିବାବେଳେ ଭାରତ ଏବଂ ଚୀନ ସମ୍ପର୍କ ସ୍ଥିରତାର ପରିଚୟ ହେବା ଦରକାର।

ପରେ ଏକ ପ୍ରତିନିଧିମଣ୍ଡଳସ୍ତରୀୟ ବୈଠକ ହୋଇଥିଲା। ବୈଠକରେ ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଶିଖର ବୈଠକ ସମ୍ପର୍କରେ ଉଲ୍ଲେଖ କରିଥିଲେ ଓ ବେଜିଂ ଗସ୍ତରେ ଆସିଥିବାରୁ ନିଜ ଖୁସି ବ୍ୟକ୍ତ କରିଥିଲେ। ଶିଖର ବୈଠକରେ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗରେ ଆମ ନେତାଙ୍କ ସହମତି ବ୍ୟାପକ ହୋଇଥିଲା ବୋଲି ସେ ପ୍ରକାଶ କରିଥିଲେ।

ଜୟଶଙ୍କରଙ୍କ ସ୍ୱାଗତ କରି ଚୀନ ଉପରାଷ୍ଟ୍ରପତି ୱାଙ୍ଗ କହିଥିଲେ ଯେ ଆପଣ ଭାରତୀୟ ରାଷ୍ଟ୍ରଦୂତ ଭାବେ ଚୀନରେ ଦୀର୍ଘ ବର୍ଷ କାର୍ଯ୍ୟ କରିଛନ୍ତି ଓ ଏହି ଦୁଇ ଦେଶର ସମ୍ପର୍କକୁ ମଜଭୁତ କରିବାରେ ଆପଣଙ୍କ ମହତ୍ୱପୂର୍ଣ୍ଣ ଯାଗଦାନ ରହିଛି। ଆପଣଙ୍କ ଏହି ଯାତ୍ରା ଭାରତ-ଚୀନ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବ।

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଭାରତ ଓ ପାକିସ୍ତାନ ସମ୍ପର୍କ ତିକ୍ତ ହେବାରେ ଲାଗିଥିବାବେଳେ ଚୀନ ସହ ସମ୍ପର୍କକୁ ଭାରତ ଗୁରୁତ୍ୱ ଦେଉଛି। ନିକଟରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସି ଚୀନ ଗସ୍ତରେ ଯାଇ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ମାତ୍ର ଚୀନ ପାକିସ୍ତାନକୁ ଏଥିରେ କୌଣସି ପ୍ରକାର ସହଯୋଗ ଦେବାକୁ ମନା କରିଦେଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.