ଖେଳ

ରୋନାଲ୍‍ଡୋଙ୍କ ହ୍ୟାଟ୍ରିକ୍‍

ଆଓରି- ନୂଆଦିଲ୍ଲୀ(୧୬/୬) :  ଚଳିତ ଫୁଟ୍‍ବଲ ବିଶ୍ୱକପ୍‍ରେ ପ୍ରଥମ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ପର୍ତ୍ତୁଗାଲ୍‍ର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‍ଡୋ। ତାଙ୍କର ଏହି ହ୍ୟାଟ୍ରିକ୍‍ ବଳରେ ଶୁକ୍ରବାର ଗ୍ରୁପ୍‍ ‘ବି’ ମ୍ୟାଚ୍‍ରେ ସ୍ପେନ୍‍ ସହ ୩-୩ ଗୋଲ୍‍ରେ ମୁକାବିଲା ଡ୍ର ରଖିଛି ପର୍ତ୍ତୁଗାଲ। ୮୮ ମିନିଟ ସୁଦ୍ଧା ସ୍ପେନ୍‍ ୩-୨ ଗୋଲ୍‍ରେ ଆଗୁଆ ଥିଲେ ହେଁ ରୋନାଲ୍‍ଡୋ ଏକ ଫ୍ରିକିକ୍‍ରୁ ଦର୍ଶନୀୟ ଗୋଲ୍‍ଦେଇ ଦଳକୁ ପରାଜୟରୁ ବଞ୍ଚାଇ ପାରିଛନ୍ତି।
ମ୍ୟାଚ୍‍ ଆରମ୍ଭରୁ ପର୍ତ୍ତୁଗାଲ ଆକ୍ରମଣ କରିଥିଲା। ୪ର୍ଥ ମିନିଟରେ ପର୍ତ୍ତୁଗାଲ୍‍ର ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‍ଡୋଙ୍କୁ ପେନାଲ୍‍ଟି ଏରିଆ ମଧ୍ୟରେ ସ୍ପେନ୍‍ ଡିଫେଣ୍ଡର ନାଚୋ ଫାଉଲ ମାରି ପକାଇ ଦେବାରୁ ପର୍ତ୍ତୁଗାଲ୍‍କୁ ପେନାଲ୍‍ଟି ମିଳିଥିଲା। ଏଥିରୁ ଗୋଲ୍‍ଦେବାର ଆଦୌ ତ୍ରୁଟି କରିନଥିଲେ ରୋନାଲ୍‍ଡୋ। ପ୍ରଥମ ପର୍ତ୍ତୁଗିଜ୍‍ ଖେଳାଳି ଭାବେ ୪ଟି ବିଶ୍ୱକପ୍‍ ଖେଳିଥିବା ରୋନାଲ୍‍ଡୋ ବିଶ୍ୱର ୪ର୍ଥ ଖେଳାଳି ଭାବେ ୪ଟି ବିଶ୍ୱକପ୍‍ରେ ଗୋଲ୍‍ ଦେଇଥିଲେ। ପୂର୍ବରୁ ବ୍ରାଜିଲ୍‍ର ପେଲେ ଏବଂ ଜର୍ମାନୀର ୟୁୱେ ସିଲର ଓ ମିରୋସ୍ଲାଭ୍‍ କ୍ଲୋଜେ ଏହି କୃତିତ୍ୱ ହାସଲ କରିଛନ୍ତି। ପରେ ସ୍ପେନ୍‍ ଆକ୍ରମଣ କରିଥିଲା। ଏହାର ସୁଫଳ ସ୍ପେନ୍‍କୁ ମିଳିଥିଲା। ୨୪ ମିନିଟରେ ସ୍ପେନ୍‍ର ଫରୱାର୍ଡ ଡିଏଗୋ କୋଷ୍ଟା ଗୋଲ୍‍ଦେଇ ସ୍କୋର୍‍କୁ ୧-୧ କରିଥିଲେ। ଏକାଧିକ ପର୍ତ୍ତୁଗିଜ୍‍ ଡିଫେଣ୍ଡରଙ୍କୁ ଚକ୍‍ମାଦେଇ କୋଷ୍ଟା ଏହି ଦର୍ଶନୀୟ ଗୋଲ୍‍ ଦେଇଥିଲେ। ୨ ମିନିଟ ପରେ ସ୍ପେନ୍‍ର ମିଡ୍‍ଫିଲ୍‍ଡର ଇସ୍କୋଙ୍କ ସଟ୍‍ ଗୋଲ୍‍ପୋଷ୍ଟରେ ବାଜିଥିଲା। ପରେ ସ୍ପେନ୍‍ ଅଧିକ ଆକ୍ରମଣ କରିଥିଲେ ହେଁ ୪୪ ମିନିଟ୍‍ରେ ପର୍ତ୍ତୁଗାଲ୍‍ ଆଗୁଆ ହୋଇ ଯାଇଥିଲା। ଏକ ଉଚ୍ଚା ପାସ୍‍କୁ ଛାତିରେ ନିୟନ୍ତ୍ରଣ କରି କ୍ରିଷ୍ଟିଆନୋ ରୋନାଲ୍‍ଡୋ ସ୍ପେନ୍‍ ଗୋଲ୍‍ରକ୍ଷକ ଡେଭିଡ୍‍ ଡି ଜିଆଙ୍କୁ ପରାସ୍ତ କରିଥିଲେ। ତେବେ ଜିଆ ଏହି ବଲ୍‍କୁ ସହଜରେ ରୋକି ପାରିଥାଆନ୍ତେ। ରୋନାଲ୍‍ଡୋଙ୍କ ୨ୟ ଗୋଲ୍‍ ବଳରେ ପ୍ରଥମାର୍ଦ୍ଧରେ ପର୍ତ୍ତୁଗାଲ ୨-୧ ଗୋଲ୍‍ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ସ୍ପେନ୍‍ର ଚମକ ଦେଖିବାକୁ ମିଳିଥିଲା। ୫୫ ମିନିଟରେ ସ୍ପେନ୍‍ ୨ୟ ଗୋଲ୍‍ ଦେଇଥିଲେ। ଦଳ ପକ୍ଷରୁ ଏବଂ ବ୍ୟକ୍ତିଗତ ୨ୟ ଗୋଲ୍‍ ଦେଇଥିଲେ ଡିଏଗୋ କୋଷ୍ଟା। ବୁସ୍କେଟ୍‍ସଙ୍କଠାରୁ ପାସ୍‍ ପାଇ କୋଷ୍ଟା ଏହି ଗୋଲ୍‍ଟି ଦେଇଥିଲେ। ସ୍କୋର୍‍ ୨-୨ ହେବା ପରେ ପର୍ତ୍ତୁଗାଲ୍‍ ଆକ୍ରମଣ କରିଥିଲା। ତେବେ ପର୍ତ୍ତୁଗାଲ ଖେଳାଳିଙ୍କ ତ୍ରୁଟିରୁ ଫାଇଦା ଉଠାଇ ସ୍ପେନ୍‍ର ନାଚୋ ୨୦ ଗଜ ଦୂରରୁ ଏକ ରକେଟ୍‍ମାର୍କା କିକ୍‍ମାରି ଦଳ ପାଇଁ ୩ୟ ଗୋଲ୍‍ ଦେଇଥିଲେ ଏବଂ ମ୍ୟାଚ୍‍ରେ ପ୍ରଥମଥର ପାଇଁ ସ୍ପେନ୍‍ ଆଗୁଆ ହୋଇ ଯାଇଥିଲା। ୮୮ ମିନିଟରେ ପର୍ତ୍ତୁଗାଲ୍‍କୁ ଏକ ଫ୍ରିକିକ୍‍ ମିଳିଥିଲା। ଏଥିରୁ ଦର୍ଶନୀୟ ସଟ୍‍ମାରି ରୋନାଲ୍‍ଡୋ ଦଳ ପାଇଁ ୩ୟ ଗୋଲ୍‍ ସ୍କୋର୍‍କରିବା ସହ ଚଳିତ ବିଶ୍ୱକପ୍‍ର ପ୍ରଥମ ହ୍ୟାଟ୍ରିକ୍‍ ଅର୍ଜନ କରିଥିଲେ। ରୋନାଲ୍‍ଡୋଙ୍କର ଏହା ୫୧ତମ ହ୍ୟାଟ୍ରିକ୍‍ ଏବଂ ବିଶ୍ୱକପ୍‍ ଇତିହାସରେ ଏହା ୫୧ତମ ହ୍ୟାଟ୍ରିକ୍‍।

Related Articles

Leave a Reply

Your email address will not be published. Required fields are marked *

Back to top button