ବିଏସ୍ଏଲ୍ସିରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ନୂଆଦିଲ୍ଲୀ(୨୩/୦୭) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ବିର୍ସା ଷ୍ଟୋନ୍ ଲାଇମ୍ କମ୍ପାନୀ ଲିମିଟେଡ(ବିଏସ୍ଏଲ୍ସି)ରେ ଖନନ ପ୍ରକ୍ରିୟା କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡିଛି। ଏଥିପାଇଁ ଭବିଷ୍ୟତରେ ଶ୍ରମିକ ଏବଂ ସଂଶ୍ଲିଷ୍ଟ ସଂସ୍ଥାଗୁଡିକ ପ୍ରଭାବିତ ହେବେ ନାହିଁ ବୋଲି ସୋମବାର ଇସ୍ପାତ୍ ମନ୍ତ୍ରଣାଳୟରେ ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ସୂଚନା ଦିଆଯାଇଛି। ବୈଠକରେ ପରିଚାଳନା ସମ୍ବନ୍ଧିତ ବିଷୟର ସମାଧାନ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ସେଲ୍ ଏବଂ ଆରଆଇଏନଏଲ ବିଏସ୍ଏଲ୍ସିରୁ ଅଗ୍ରୀମ ଭାବରେ ଡୋଲାମାଇଟ୍ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଏକ ଦୀର୍ଘମିଆଦୀ ଯୋଜନା ଖୁବ୍ଶୀଘ୍ର ପ୍ରସ୍ତୁତ ହେବ। ଏହି କାର୍ଯ୍ୟ ଚଳିତ ସପ୍ତାହ ମଧ୍ୟରେ ପୁଣି ଆରମ୍ଭ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି।
ବୈଠକରେ ଇସ୍ପାତ୍ ରାଷ୍ଟ୍ରମନ୍ତ୍ରୀ ଫଗନ୍ ସିଂହ କୁଲସ୍ତେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡ୍ର ସହାୟକ କମ୍ପାନୀ ବିଏସ୍ଏଲ୍ସି ୧୯୧୦ରୁ ଓଡିଶାର ସୁନ୍ଦରଗଡ ଜିଲାରେ ଖନନ ଏବଂ ବିପଣନ ଚୂନ ପଥର ଓ ଡୋଲାମାଇଟର କାରବାର କରୁଛି। ବିଗତ କିଛିଦିନ ଧରି ବିଏସ୍ଏଲ୍ସିକୁ ପରିଚାଳନା ବନ୍ଦ କରିବାକୁ ପଡିଥିଲା। ଏହି ମାମଲାକୁ ଜୁଏଲ ଓରାମ ଏବଂ ବୀରମିତ୍ରପୁରର ବିଧାୟକ ଶଙ୍କର ଓରାମ ଏବଂ ପ୍ରଭାବିତ ଶ୍ରମିକ ଓ କର୍ମଚାରୀ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।