ରାଜ୍ୟ

କୋଣାର୍କ ଅସୁରକ୍ଷିତ ଥିବା ନେଇ ବାହାରିଥିବା ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ; ଧର୍ମେନ୍ଦ୍ର ପ୍ରଧାନ

ଆଓରି-ଭୁବନେଶ୍ଵର(୦୧/୧୨) : କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣା ସମ୍ପର୍କରେ ଆଲୋଚନା କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆସନ୍ତା ଡିସେମ୍ବର ୧୦ରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ଏହି ବୈଠକରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ସହ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେବେ। ଏ ନେଇ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ସ୍ଥିର ହୋଇଛି। ଓଡ଼ିଶା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଏମ୍‌ପି ପ୍ରସନ୍ନ ପାଟଶାଣୀ, ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାସ ପ୍ରମୁଖ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ଶର୍ମା, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏଏସ୍‌ଆଇ ଡିଜିଙ୍କୁ ଭେଟି କୋଣାର୍କ ସୂର୍ଯ୍ୟମନ୍ଦିର ସହ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀର ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ କେନ୍ଦ୍ରମନ୍ତ୍ରୀ ଡ. ଶର୍ମା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି।Aajira-Odisha

ଏ ସମ୍ପର୍କରେ ଡ. ଶର୍ମା କହିଛନ୍ତି, ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିଙ୍କ ସହ ଏଏସ୍‌ଆଇ ଅଧିକାରୀମାନେ କୋଣାର୍କର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣା ସମ୍ପର୍କରେ ଆଲୋଚନା କରିବେ। ଏହି ବୈଠକ ପାଇଁ କେତେଜଣ ବିଶେଷଜ୍ଞ ଏବଂ ଅଧିକାରୀଙ୍କୁ ପଠାଇବାକୁ ଆମେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିବୁ। କେତେକ ଗଣମାଧ୍ୟମରେ କୋଣାର୍କ ଅସୁରକ୍ଷିତ ଥିବା ନେଇ ଯେଉଁ ରିପୋର୍ଟ ବାହାରିଥିଲା, ତାହା ସମ୍ପୂର୍ଣ୍ଣ ମିଥ୍ୟା। କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତି କୌଣସି ବିପଦ ନ ଥିବା ରୁଡ୍‌କୀର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ସ୍ପଷ୍ଟ କରିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ପ୍ରଧାନମନ୍ତ୍ରୀ କୋଣାର୍କର ସୁରକ୍ଷା ଲାଗି ସଂସ୍କୃତି ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ସେ କହିଥିଲେ। ଏହି ବୈଠକରେ ପାଇକ ବିଦ୍ରୋହ ମେମୋରିଆଲ୍‌ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button