ଖେଳ

ରାଜପୁତଙ୍କୁ ୫ ୱିକେଟ ତଥାପି ପଞ୍ଜାବ ପରାସ୍ତ -ଆଇପିଏଲ୍‍-୧୧

ଆଓରି(୨୭|୪)-ଆଇପିଏଲ୍‍-୧୧ରେ ପ୍ରଥମ ବୋଲର ଭାବେ ଅଙ୍କିତ ରାଜପୁତ ୫ ୱିକେଟ ଦଖଲ କରିଥିଲେ ହେଁ ଏହା ସନ୍‍ରାଇଜର୍ସ ହାଇଦରାବାଦକୁ ଜିତାଇ ପାରିନାହିଁ। ଗୁରୁବାର ଏକ କମ୍‍ ସ୍କୋର୍‍ର ମ୍ୟାଚ୍‍ରେ ସନ୍‍ରାଇଜର୍ସ ୧୩ ରନ୍‍ରେ କିଙ୍ଗ୍‍ସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଅଙ୍କିତ ରାଜପୁତ ୨୫ ୱିକେଟ ନେବାରୁ ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସନ୍‍ରାଇଜର୍ସ ହାଇଦରାବାଦ ୬ ୱିକେଟରେ ୧୩୨ ରନ୍‍ କରିଥିଲେ। ପରେ ୫୫ ରନ୍‍ର ଓପ୍‍ନିଂ ଭାଗିଦାରୀ ସତ୍ତ୍ବେ ପଞ୍ଜାବ ୪ଟି ବଲ୍‍ ବାକିଥାଇ ୧୧୯ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ୭ମ ମ୍ୟାଚ୍‍ରେ ସନ୍‍ରାଇଜର୍ସର ଏହା ୫ମ ବିଜୟ। ଅନ୍ୟପକ୍ଷରେ ୭ମ ମ୍ୟାଚ୍‍ରେ ପଞ୍ଜାବ ୨ୟ ପରାଜୟ ବରଣ କରିଛି।
ସମ୍ମୁଖରେ ୧୩୩ ରନ୍‍ର ବିଜୟଲକ୍ଷ୍ୟ ଥିବା ବେଳେ ୮ମ ଓଭର ପୂର୍ବରୁ କିଙ୍ଗ୍‍ସ ଏକାଦଶ ପଞ୍ଜାବ ୫୫ ରନ୍‍କରିବା ପରେ ଏହାର ସହଜ ବିଜୟ ହେବ ବୋଲି ମନେ ହୋଇଥିଲା। ତେବେ ସନ୍‍ରାଇଜର୍ସର ବୋଲର ଚମତ୍କାର ବୋଲିଂ କରିବାରୁ ପରବର୍ତ୍ତୀ ୪୧ ରନ୍‍ରେ ପଞ୍ଜାବର ୭ଟି ୱିକେଟ ପଡ଼ି ଯାଇଥିଲା। କେ.ଏଲ୍‍. ରାହୁଲ ୨୬ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୨ ରନ୍‍କରି ପ୍ରଥମେ ଆଉଟ ହୋଇଥିଲେ। ସନ୍‍ରାଇଜର୍ସର ବୋଲର କ୍ରିସ୍‍ ଗେଲ୍‍ଙ୍କୁ ବାନ୍ଧି ରଖିଥିଲେ। ୯ମ ଓଭର ପର୍ୟ୍ୟନ୍ତ କ୍ରିଜ୍‍ରେ ଥିବା ଗେଲ୍‍ ୨୨ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୩ ରନ୍‍କରି ଆଉଟ ହୋଇଥିଲେ। ପରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‍ସମ୍ୟାନ୍‍ ମୟଙ୍କ ଅଗ୍ରୱାଲ ୧୨ ଓ କରୁଣ ନାୟାର ୧୩ ରନ୍‍କରି ଆଉଟ ହୋଇଥିଲେ। ଆରୋନ୍‍ ଫିଞ୍ଚ୍‍ ବିଫଳତା ଧାରା ଜାରିରଖି ୮ ଓ ଚଳିତ ଆଇପିଏଲ୍‍ରେ ପ୍ରଥମ ମ୍ୟାଚ୍‍ ଖେଳିଥିବା ମନୋଜ ତିୱାରୀ ୧ ରନ୍‍କରି ବିଦାୟ ନେଇଥିଲେ। ଅଧିନାୟକ ଆର୍‍. ଅଶ୍ୱିନ ୪ ରନ୍‍କରି ଆଉଟ ହେବା ସହ ପଞ୍ଜାବର ପରାଜୟ ନିଶ୍ଚିତ ହୋଇଥିଲା। ରସିଦ୍‍ ଖାଁ ୩ଟି ଏବଂ ସଞ୍ଜୀବ ଶର୍ମା, ବାସିଲ ଥାମ୍ପି ଓ ସାକିବ୍‍ ଅଲ୍‍ ହାସନ୍‍ ୨ଟି ଲେଖାଏଁ ୱିକେଟ ପାଇଥିଲେ।
କିଙ୍ଗ୍‍ସ ଏକାଦଶ ପଞ୍ଜାବ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ୫ମ ଓଭରରେ ୩ଟି ୱିକେଟ ହରାଇଥିଲା। ଉତ୍ତର ପ୍ରଦେଶର ଯୁବ ପେସ୍‍ ବୋଲର ଅଙ୍କିତ ରାଜପୁତ ଚମତ୍କାର ବୋଲିଂକରି ସନ୍‍ରାଇଜର୍ସ ହାଇଦରାବାଦର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଅଧିନାୟକ କେନ୍‍ ୱିଲିୟମ୍‍ସନ ବିନା ସ୍କୋର୍‍ରେ ଆଉଟ ହୋଇଥିବା ବେଳେ ଋଦ୍ଧିମାନ ଶାହା ୬ ଓ ଓପ୍‍ନର ଶିଖର ଧାୱନ ୧୧ ରନ୍‍ କରି ଆଉଟ ହୋଇ ଯାଇଥିଲେ। ପରେ ମନୀଷ ପାଣ୍ଡେ ଓ ବାଂଲାଦେଶୀ ଅଲ୍‍ରାଉଣ୍ଡର ସାକିବ୍‍ ଅଲ୍‍ ହାସନ୍‍ ୪ର୍ଥ ୱିକେଟ ୪୨ ରନ୍‍ ଯୋଡ଼ିବା ପରେ ବାମହାତି ସାକିବ୍‍ ୨୯ ବଲ୍‍ରୁ ୩ଟି ଚୌକା ସହ ୨୮ ରନ୍‍କରି ଆଉଟ ହୋଇଥିଲେ। ପାଣ୍ଡେ ଓ ୟୁସୁଫ୍‍ ପଠାନ୍‍ଙ୍କ ମଧ୍ୟରେ ୫ମ ୱିକେଟ୍‍ର ଭାଗିଦାରୀ ଫଳପ୍ରସୂ ହୋଇଥିଲା। ଦୁହେଁ ୬ ଓଭରରେ ୪୯ ରନ୍‍ ଯୋଡ଼ିବାରୁ ଦଳର ସମ୍ମାନ ରକ୍ଷା ହୋଇ ଯାଇଥିଲା। ମନୀଷ ପାଣ୍ଡେ ୫୧ ବଲ୍‍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୫୪ ରନ୍‍ କରିଥିଲେ। ୟୁସୁଫ୍‍ ପଠାନ୍‍ ୧୯ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‍କରି ଅପରାଜିତ ରହିଥିଲେ। ଅଙ୍କିତ ରାଜପୁତ ୪ ଓଭରରୁ ମାତ୍ର ୧୪ ରନ୍‍ଦେଇ ୫ଟି ୱିକେଟ ନେଇଥିଲେ। ସେ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button