May 11, 2024

କଂଗ୍ରେସକୁ ଓଲଟା ପ୍ରଶ୍ନ କଲେ ରାଜନାଥ ସିଂହ ; ୩୦୦ ମୋବାଇଲ କଣ ଗଛ ବ୍ୟବହାର କରୁଥିଲେ

1 min read

ଆଓରି-ନୂଆଦିଲ୍ଲୀ(୦୬/୦୩) : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ବାଲାକୋଟରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣକୁ ନେଇ ଦେଶରେ ରାଜନୀତି ଜୋର ଧରିଛି । ଆକ୍ରମଣରେ ୨୫୦ ରୁ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯିବା ପରେ ଏହାର ପ୍ରମାଣ ମାଗିଛି କଂଗ୍ରେସ । କେତେକ କଂଗ୍ରେସ ନେତା ସରକାରଙ୍କୁ ସମାଲୋଚନା କରିବା ସହିତ ବାଲାକୋଟରେ ବିମାନ ଆକ୍ରମଣ କରି କଣ ଗଛ ଓପାଡୁଥିଲକି ବୋଲି ପ୍ରଶ୍ନ କରିଛନ୍ତି । ଏହାର ଜବାବ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଯେ ବାଲାକୋଟରେ ଆକ୍ରମଣ ସମୟରେ ୩୦୦ ମୋବାଇଲ କାର୍ଯ୍ୟକ୍ଷମ ଥିବା ଜାତୀୟ ବୈଷୟିକ ଗବେଷଣା ପ୍ରତିଷ୍ଠାନ (ଏନଟିଆରଓ) ତଥ୍ୟ ଦେଇଛି । ତେଣୁ ସେଠାରେ ଥିବା ଗଛ ଗୁଡିକ କଣ ୩୦୦ ମୋବାଇଲ ବ୍ୟବହାର କରୁଥିଲେ କି ବୋଲି ଓଲଟା କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ରାଜନାଥ ସିଂହ ।

ରାଜନାଥ ଭାରତ-ବାଂଲାଦେଶ ସୀମାନ୍ତରେ ସ୍ମାର୍ଟ ଫେନ୍ସିଂ ପ୍ରକଳ୍ପର ଉଦଘାଟନ କରିବା ଅବସରରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଯେତେବେଳେ ଆକ୍ରମଣ ହେଲା ସେତେବେଳେ ୩୦୦ ମୋବାଇଲ ସକ୍ରିୟ ଥିଲା ବୋଲି ଏନଟିଆରଓ ପକ୍ଷରୁ କୁହାଯାଇଛି । ଏନଟିଆରଓ ତଥ୍ୟକୁ ଅଧାରକରି ସରକାର ମୃତକଙ୍କ ସଂଖ୍ୟା ଆକଳନ କରି କହିଛନ୍ତି । ଆକ୍ରମଣ ପରେ ଭାରତୀୟ ବାୟୁସେନା କଣ ସେହି ସ୍ଥାନକୁ ଯାଇ ମୃତ ଦେହ ଗଣନା କରିବା ଉଚିତ ଥିଲା ? ବିରୋଧୀ ମାନେ ଏହାକୁ ନାଟକବାଜି କହୁଛନ୍ତି । ଯଦି କଂଗ୍ରେସ ମୃତ ଆତଙ୍କୀଙ୍କ ସଂଖ୍ୟା ଜାଣିବାକୁ ଚାହୁଛନ୍ତି  ତାହେଲେ ସେମାନେ ବାଲାକୋଟ ଯାଇ ଗଣି ଆସନ୍ତୁ ବୋଲି କହିଛନ୍ତି ରାଜନାଥ ସିଂହ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.