ଖେଳ

ଦିଲ୍ଲୀକୁ ହରାଇଲା ରାଜସ୍ଥାନ ରୟାଲ୍‍ସ

ଆଓରି(ତା୧୨|୪)-ବୁଧବାର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‍ରେ ରାଜସ୍ଥାନ ରୟାଲ୍‍ସ ଡକ୍‍ୱର୍ଥ-ଲୁଇସ୍‍ ନିୟମରେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ୧୦ ରନ୍‍ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂକରିଥିବା ଘରୋଇ ରାଜସ୍ଥାନ ରୟାଲ୍‍ସ ୧୭.୫ ଓଭରରେ ୫ ୱିକେଟ ହରାଇ ୧୫୩ ରନ୍‍ କରଥିବା ବେଳେ ବର୍ଷାହେବାରୁ ଖେଳ ପାଖାପାଖି ଦେଢ଼ଘଣ୍ଟା ବନ୍ଦ ରହିଥିଲା। ରାତି ୧୨ରେ ଖେଳ ଆରମ୍ଭହେବା ପରେ ଡକ୍‍ୱର୍ଥ-ଲୁଇସ୍‍ ନିୟମରେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ୬ ଓଭରରେ ୭୧ ରନ୍‍ର ବିଜୟଲକ୍ଷ୍ୟ ମିଳିଥିଲା। ଏହି କଷ୍ଟସାଧ୍ୟ ଲକ୍ଷ୍ୟର ପିଛାକରି ଦିଲ୍ଲୀ ୬ ଓଭରରେ ୪ ୱିକେଟ ହରାଇ ୬୦ ରନ୍‍ କରି ପାରିଥିଲା। ଏହା ରାଜସ୍ଥାନ ରୟାଲ୍‍ସର ପ୍ରଥମ ବିଜୟ।
୬ ଓଭରରେ ୭୧ ରନ୍‍ ଲକ୍ଷ୍ୟରେ ଦିଲ୍ଲୀ ଡେୟାରଡେଭିଲ୍‍ସ ବ୍ୟାଟିଂ ଆରମ୍ଭ କରିବା ପରେ ପ୍ରଥମ ବଲ୍‍ରେ କଲିନ୍‍ ମନ୍‍ରୋ ରନ୍‍ଆଉଟ ହୋଇଥିଲେ। ୪ର୍ଥ ଓଭରରେ ୧୨ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‍କରି ଗ୍ଲେନ୍‍ ମ୍ୟାକ୍ସୱେଲ ଆଉଟ ହୋଇ ଯାଇଥିଲେ। ୭ ବଲ୍‍ରେ ୨୫ ରନ୍‍ ଆବଶ୍ୟକ ଥିବା ବେଳେ ଋଷଭ ପନ୍ତ୍‍ ଆଉଟ ହୋଇ ଯାଇଥିଲେ। ଏହି ବାମହାତି ୧୪ ବଲ୍‍ରୁ ୩ଟି ଚୌକା ସହ ୨୦ ରନ୍‍ କରିଥିଲେ। ଶେଷ ଓଭରରେ ୨୫ ରନ୍‍ ଆବଶ୍ୟକ ଥିବା ବେଳେ ମାତ୍ର ୧୪ ରନ୍‍ ହୋଇଥିଲା। କ୍ରିସ୍‍ ମରିସ୍‍ ୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‍କରି ଅପରାଜିତ ଥିଲେ। ବେନ୍‍ ଲାଘ୍‍ଲିନ୍‍ ୨ଟି ୱିକେଟ ପାଇଥିଲେ।
ଟସ୍‍ ଜିତି ଦିଲ୍ଲୀ ଡେୟାରଡେଭିଲ୍‍ସ ଫିଲ୍‍ଡିଂ ନେବା ପରେ ରାଜସ୍ଥାନ ରୟାଲ୍‍ସ ସହଳ ଓପ୍‍ନର ଡି’ଆର୍ସି ସର୍ଟ (୬)ଙ୍କ ୱିକେଟ ହରାଇଥିଲା। ବେନ୍‍ ଷ୍ଟୋକ୍‍ସ ୧୨ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୬ ରନ୍‍ କରିଥିଲେ। ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ସଞ୍ଜୁ ସାମ୍‍ସନଙ୍କ ମଧ୍ୟରେ ୭ ଓଭରରେ ୬୨ ରନ୍‍ର ଭାଗିଦାରୀ ହୋଇଥିଲା। ସାମ୍‍ସନ ୨୨ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୭ ରନ୍‍ କରିଥିଲେ। ୧୪ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ  ରହିଥିବା ରାହାଣେ ୪୦ ବଲ୍‍ରୁ ୫ଟି ଚୌକା ସହ ୪୫ ରନ୍‍ କରିଥିଲେ। ଜୋସ୍‍ ବଟ୍‍ଲର ଦ୍ରୁତଗତିରେ ସ୍କୋର୍‍କୁ ବଢ଼ାଇଥିଲେ। ଇଂଲଣ୍ଡର ଏହି ୱିକେଟ ରକ୍ଷକ ବ୍ୟାଟ୍‍ସମ୍ୟାନ୍‍ ୧୮ ବଲ୍‍ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍‍କରି ଆଉଟ ହୋଇ ଯାଇଥିଲେ। ବର୍ଷା ଯୋଗୁଁ ଖେଳ ବନ୍ଦହେବା ବେଳକୁ ରାହୁଲ ତ୍ରିପାଠୀ ୧୫ ରନ୍‍କରି କ୍ରିଜ୍‍ରେ ଥିଲେ। ବାମହାତି ସ୍ପିନର ଶାହ୍‍ବାଜ ନଦ୍ଦିମ୍‍ ୨ଟି ୱିକେଟ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button