ଜାତୀୟବାଣିଜ୍ୟ

ଆର୍‌ବିଆଇରୁ ବିଦାୟ ନେଲେ ରଘୁରାମ୍‌ ରାଜନ୍‌

ଅ‍ାଜିର ଓଡ଼ିଶା ବ୍ୟୁରୋ, ମୁମ୍ବାଇ:


ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ରଘୁରାମ୍‌ ରାଜନ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଫଳରେ ଏବେ ଦେଶର ମୁଦ୍ରାନୀତି ନୂଆ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ହାତକୁ ଯାଇଛି। ୪ ତାରିଖରୁ ଯଦିଓ ପଟେଲ୍‌ଙ୍କ କାର୍ଯ୍ୟକାଳ ଆରମ୍ଭ ହେଉଛି ତଥାପି ରବିବାର ଏବଂ ଆଜି ଗଣେଶ ଚତୁର୍ଥୀ ଯୋଗୁଁ ଛୁଟି ଅଛି। ତେଣୁ ପଟେଲ୍‌ ସମ୍ଭବତଃ ଆସନ୍ତା ୬ ତାରିଖରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଦାୟିତ୍ୱ ଗ୍ରହଣ କରିବେ।

ରାଜନ୍‌ ଅତ୍ୟନ୍ତ ସ୍ପଷ୍ଟବାଦୀ ଥିବା ବେଳେ ପଟେଲ ଲୋ ଫ୍ରୋଫାଇଲ୍‌ର ବ୍ୟକ୍ତି ଭାବେ ଜଣାଶୁଣା। ପଟେଲ୍‌ଙ୍କ ପାଇଁ ଏବେ ମୁଖ୍ୟ କାର୍ଯ୍ୟ ହେବ ରାଜନ୍‌ ଯେଉଁ କାର୍ଯ୍ୟ ଅଧା ଛାଡ଼ି ଯାଇଛନ୍ତି ତାହାକୁ ସମ୍ପୂର୍ଣ୍ଣ କରିବା। ବିଶେଷକରି ବ୍ୟାଙ୍କ ଗୁଡ଼ିକର ଆର୍ଥକ ସ୍ଥିତିରେ ସୁଧାର ଆଣିବା ଏବଂ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ପଟେଲ୍‌ଙ୍କ ପାଇଁ ବଡ଼ ଚାଲେଞ୍ଜ ଭାବେ ଉଭା ହୋଇଛି। କାରଣ ବ୍ୟାଙ୍କ ଗୁଡ଼ିକର ଆୟବ୍ୟୟ ଖାତାରେ ସୁଧାର ଆଣିବା ଲାଗି ରାଜନ୍‌ ଯେଉଁ ତତ୍ପରତା ଦେଖାଇଥିଲେ ତାହାକୁ କର୍ପୋରେଟ୍‌ ଜଗତର ଅନେକ ବ୍ୟକ୍ତି ଏବଂ ବ୍ୟାଙ୍କ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏପରିକି ରାଜନ୍‌ଙ୍କ ଏହି ତତ୍ପରତା ପାଇଁ ଦେଶର ନିବେଶ ପରିବେଶ ପ୍ରତି ବାଧା ପହଞ୍ଚିଥିବା ସେମାନେ ଅଭିଯୋଗ କରି ଆସିଛନ୍ତି।

ତେବେ ୫୨ ବର୍ଷୀୟ ପଟେଲ୍‌ ପୂର୍ବରୁ ବିଭିନ୍ନ କର୍ପୋରେଟ ସଂସ୍ଥାରେ, ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଏବଂ ରିଜର୍ଭ ବ୍ୟାଙ୍କରେ ଡେପୁଟି ଗଭର୍ଣ୍ଣର ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରିଛନ୍ତି। ତେଣୁ ପଟେଲଙ୍କ ସହ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କ କହିବାନୁଯାୟୀ, ପଟେଲ ମଧ୍ୟ କମ୍ପାନି, ବ୍ୟାଙ୍କ ଏବଂ ଅର୍ଥନୀତିର ବିଭିନ୍ନ ସମସ୍ୟା ବୁଝି ସେଗୁଡ଼ିକୁ ସମାଧାନ କରିବାରେ ତାଙ୍କ ଅଭିଜ୍ଞତାର ପ୍ରୟୋଗ କରିବେ।  ତେବେ ଅନ୍ୟ କେତେକଙ୍କ କହିବା ଅନୁଯାୟୀ  ପଟେଲଙ୍କର ଯେହେତୁ ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି ସେ ଘରୋଇ କ୍ଷେତ୍ର ସମ୍ମୁଖୀନ ହେଉଥିବା ସମସ୍ୟାକୁ ଭଲଭାବେ ବୁଝିପାରିବେ। ତେଣୁ ରାଜନ୍‌ ଯେଭଳି ମୁଦ୍ରାସ୍ଫୀତିକୁ ରୋକିବା ଲାଗି ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିଲେ ପଟେଲ ତାହା ନ କରି ଉଭୟ ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ମଧ୍ୟରେ ସମନ୍ଵୟ ଆଣିବା ଲାଗି ଉଦ୍ୟମ କରିବେ। ଏସବୁ ସତ୍ତ୍ୱେ ଡ. ପଟେଲଙ୍କ ପାଇଁ ଶିଳ୍ପ ଏବଂ କପୋରେଟ୍‌ ଜଗତର ସମସ୍ତ ଆଶା ପୂରଣ କରିବା ଯଥା ରେପୋ ରେଟ୍‌କୁ ନିମ୍ନ ସ୍ତରରେ ରଖିବା, ବ୍ୟାଙ୍କର ଆୟବ୍ୟୟ ହିସାବ ଖାତାରେ ସୁଧାର ଆଣିବା ପାଇଁ ନରମ ଆଭିମୁଖ୍ୟ ପୋଷଣ କରିବା, ବ୍ୟାଙ୍କିଂ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ଉଦାର ମନୋଭାବ ରଖିବା ଆଦି କାର୍ଯ୍ୟ ସମ୍ପାଦନ ସେତେଟା ସହଜ ହେବ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button