May 19, 2024

ରେଳ ଡ୍ୟାସ୍‌ ବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟେଲ

1 min read

ଆଓରି-ନୂଆଦିଲ୍ଲୀ(୨୫/୦୨) : କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ କେନ୍ଦ୍ରୀୟ ରାଜଧାନୀରେ ‘ରେଳ ଦୃଷ୍ଟି ଡ୍ୟାସ୍‌ ବୋର୍ଡ’ର ଶୁଭାରମ୍ଭ କରିଛନ୍ତି । ଏହି ଡ୍ୟାସ୍‌ବେର୍ଡକୁ ମୋବାଇଲ୍‌, ଲ୍ୟାପ୍‌ଟପ୍‌, କମ୍ପ୍ୟୁଟର ଭଳି କୌଣସି ବି ଗ୍ୟାଜେଟ୍‌ରେ କୌଣସି ବି ସ୍ଥାନରେ ଆକ୍ସେସ୍‌ କରାଯାଇ ପାରିବ ବୋଲି କହିଛନ୍ତି ପୀଉଷ ।

ଏହି ହ୍ୟାସ୍‌ବୋର୍ଡ ଦ୍ୱାରା ଭାରତୀୟ ରେଳର ଅନେକ ବିଭାଗର କାର୍ଯ୍ୟ ସ୍ଥିତି ଓ ରିୟଲ ଟାଇମ୍‌ ବିଷୟରେ ଜାଣିପାରିବେ ଯାତ୍ରୀ । ଏହା ସହ ଯାତ୍ରୀଙ୍କ ଅଭିଯୋଗ ଓ ସେମାନଙ୍କର ସମସ୍ୟା ମଧ୍ୟ ଏହି ଡ୍ୟାସ୍‌ବୋର୍ଡ ଜରିଆରେ ଜଣାଇପାରିବେ । ଯାତ୍ରୀଙ୍କ ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରାଯିବ ।

ରେଲ୍‌ଓ୍ୱେ ଡ୍ୟାସ୍‌ବୋର୍ଡ ଜରିଆରେ ଟ୍ରେନ୍‌ର ଗତିବିଧିର ରିୟଲ ଟାଇମ୍‌ ସୂଚନା ମିଳିପାରିବ । କେଉଁ କେଉଁ ନୂଆ ଟ୍ରେନ୍‌ର ଆରମ୍ଭ ହୋଇଛି ସେନେଇ ମଧ୍ୟ ସୂଚନା ମିଳିପାରିବ । କେଉଁ ଷ୍ଟେସନ୍‌ରେ କେଉଁ ପ୍ରକାର ସୁବିଧା ଉପଲବ୍ଧ ରହିଛି ତାହା ମଧ୍ୟ ଏହି ଡ୍ୟାସ୍‌ବୋର୍ଡ ଜରିଆରେ ଯାତ୍ରୀମାନେ ଜାଣିପାରିବେ । ପୀୟୁଷ ଗୋଏଲ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ଇଭେଷ୍ଟମେଣ୍ଟ ରୂପରେ ଦେଶରେ ୧ ଲକ୍ଷ ୫୮ ହଜାର କୋଟି ଟଙ୍କା ନିବେଶ କରାଯାଇଛି ।

ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ପ୍ୟାକେଟ୍‌ ଉପରେ ବାର୍‌କୋଡ୍‌ ଏବଂ ଫୋନ୍‌ ନମ୍ବର ରହିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ବାର୍‌କୋଡ୍‌ ଜରିଆରେ ଯାତ୍ରୀମାନେ ସିଧାସଳଖ ଦେଖିପାରିବେ ଯେ, କେଉଁଭଳି କିଚେନ୍‌ରେ ରୋଷେଇ କରାଯାଉଛି ଏବଂ ସେଠାରେ ସଫା ସୁତୁରା କିଭଳି ରହିଛି । ଯଦି କୌଣସି ଯାତ୍ରୀ ଏହି କିଚେନ୍‌ରେ ସନ୍ତୁଷ୍ଟ ନୁହଁନ୍ତି ତେବେ raildrishti.org.in ରେ ଅଭିଯୋଗ ମଧ୍ୟ କରିପାରିବେ ।

ଏହି କାର୍ଯ୍ୟକ୍ରମରେ କୁହାଯାଇଛି ଯେ, ରେଳ ଲ୍ୟାଣ୍ଡ ଡଭଲପ୍‌ମେଣ୍ଟ ଅଥରିଟି ଓ ଧାରାବୀ ଡେଭଲପ୍‌ମେଣ୍ଟ ଅଥରିଟି ମଧ୍ୟରେ ବୁଝାମଣା କରାଯାଇଛି । ବୁଝାମଣାରେ କୁହାଯାଇଛି ଯେ, ରେଳ ବିଭାଗର ଅତିରିକ୍ତ ୪୫ ଏକର ଜମିକୁ ଧରାବୀ ଡେଭଲପ୍‌ମେଣ୍ଟ ଅଥରିଟିକୁ ଦିଆଯିବ । ଧାରାବୀ ଡେଭଲପ୍‌ମେଣ୍ଟ ଅଥରିଟି ଏହି ଜମିରେ ରି-ଡଭ୍‌ଲପ୍‌ମେଣ୍ଟର କାମ କରିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.