ରାଜନୀତି

ରାହୁଲ କହିଲେ ବିଜେପି ୨୦୧୯ ନିର୍ବାଚନ କଥା ମନରୁ କାଢି ନେବା ଉଚିତ

ଆଜିର ଓଡିଶା (ତା୯|୪)-ଆସନ୍ତା ନିର୍ବାଚନରେ ବିଜୟ ହାସଲ କରିବା ବିଜେପି ଭୁଲିଯାଉ; ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବାରାଣସୀ ଆସନରୁ ଜିତିବା ଭୁଲିଯାଆନ୍ତୁ। ତିନି ବିରୋଧୀ ଦଳ ଏକାଠି ହେଲେ ଏଠାରେ ମୋଦି ବିଜୟ ଲାଭ କରିପାରିବେ ନାହିଁ ବୋଲି ବାହୁସ୍ଫୋଟ ମାରିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ‘୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଜିତିବାର କୌଣସି ସମ୍ଭାବନା ମୁଁ ଦେଖୁ ନାହିଁ’ ବୋଲି ରବିବାର ଏଠାରେ ନିର୍ବାଚନ ପ୍ରଚାର ଅବସରରେ ସେ କହିଛନ୍ତି। ଏହାର କାରଣ ସ୍ୱରୂପ ସେ ବିରୋଧୀଙ୍କ ମଧ୍ୟରେ ଏକତାକୁ ଦର୍ଶାଇଛନ୍ତି। ସମସ୍ତ ବିରୋଧୀ ଦଳ ଏକାଠି ହେଲେ ଶାସକ ଦଳକୁ ହରାଇବା କଷ୍ଟକର ନୁହେଁ; ତା’ଛଡ଼ା ଏନ୍‌ଡିଏ ଏବେ ଖସିବାରେ ଲାଗିଥିବାରୁ ଆଉ ସରକାରକୁ ଫେରିବା ଭଳି ଦେଖାଯାଉ ନାହିଁ ବୋଲି ସେ କହିଛନ୍ତି।

ମେ ୧୨ ନିର୍ବାଚନ ପରିପ୍ରେକ୍ଷୀରେ କର୍ଣ୍ଣାଟକରେ କଂଗ୍ରେସ ଚଳାଇଥିବା ‘ଜନାଶୀର୍ବାଦ ଯାତ୍ରା’ରେ ଯୋଗଦେଇ ରାହୁଲ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ, ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ଏକାଠି ହେଲେ ବିଜେପିକୁ ମାତ୍ର ଦୁଇଟି ଆସନ ମିଳିପାରେ ଏବଂ ତାହା ପୁଣି ସୌଭାଗ୍ୟବଶତଃ ବୋଲି ସେ କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ମୋଦି ଓ ଆରଏସ୍‌ଏସ୍‌ ଦେଶରେ ଯେଉଁ ସମସ୍ୟା ସୃଷ୍ଟି କରିଛନ୍ତି ତାହାର ସମାଧାନ ଉପରେ ପ୍ରାଥମିକତା ଦେବ। ଏହାଛଡ଼ା ଚୀନ୍‌ ସହିତ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବେ ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଚୀନ୍‌ ଆଗାମୀ ୩୦ବର୍ଷ ଯାଏଁ ଭାରତର ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିବ। ପୁନଶ୍ଚ କଂଗ୍ରେସ ସରକାର ବର୍ତ୍ତମାନର ବିଭ୍ରାନ୍ତିକର ଜିଏସ୍‌ଟିକୁ ହଟାଇ ଏକସ୍ତରୀୟ ଓ ସରଳ ଜିଏସ୍‌ଟି ଲାଗୁ କରିବ ବୋଲି ରାହୁଲ କହିଛନ୍ତି।
ନିର୍ବାଚନ ପ୍ରଚାର ଅବସରରେ କଂଗ୍ରେସ ସଭାପତି ‘ଆମ୍‌ ଆଦ୍‌ମୀ’ ଶୈଳୀରେ ସାଧାରଣ ଲୋକଙ୍କ ସହ କୁଲ୍‌ଫି ଖାଇଥିଲେ ଓ ମେଟ୍ରୋ ଟ୍ରେନ୍‌ରେ ବିଧାନସୌଧଠାରୁ ଏମ୍‌ଜି ରୋଡ୍‌ ପର୍ଯ୍ୟନ୍ତ ଯାଇଥିଲେ। ଏହାଛଡ଼ା ଲୋକଙ୍କ ସହିତ ସେଲ୍‌ଫି ମଧ୍ୟ ଉଠାଇଥିଲେ। ପ୍ରସିଦ୍ଧ ‘କୋଶି’ରୁ ସେ ସ୍ନାକ୍ସ କିଣି ଖାଇଥିଲେ। ରାହୁଲ ପ୍ରସିଦ୍ଧ ବହି ଦୋକାନ ‘ବୁକ୍‌ ୱର୍ମ’କୁ ଯାଇ କିଛି ବହି ମଧ୍ୟ କିଣିଥିଲେ। ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା ୬ଟି ବହି କିଣି ରାହୁଲଙ୍କୁ ଉପହାର ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button