ରାଜନୀତିରାଜ୍ୟ

ପିସିସି କାର୍ଯ୍ୟକାରୀ ସଭାପତି ଦୌଡ଼ ଜୋରସୋର ଆରମ୍ଭ

ନୂଆଦିଲ୍ଲୀ  : ରାଜ୍ୟ କଂଗ୍ରେସ ସଂଗଠନକୁ ସଜାଡ଼ିବା ପାଇଁ ଦିଲ୍ଲୀରେ ଆଜି ଦିନତମାମ ମାରାଥନ ବୈଠକ ହୋଇଛି। ତିନିଟି ସ୍ଥାନରେ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ବୈଠକରେ ବିଜେପୁର ଉପନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସର ସବୁ ଗୋଷ୍ଠୀର ନେତାଙ୍କୁ ନେଇ ଏକ ସମନ୍ୱୟକାରୀ କମିଟି ଗଠନ କରି ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଏଆଇସିସି ପ୍ରସ୍ତାବ ଦେଇଛି। ପିସିସି କାର୍ଯ୍ୟକାରୀ ସଭାପତି ପଦରେ ପ୍ରଦୀପ ମାଝି, ନବ ଦାସ ଏବଂ ଚିରଞ୍ଜୀବୀ ବିଶ୍ୱାଳଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇଛି। କଂଗ୍ରେସ ପ୍ରଚାର କମିଟି ଗଠନ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ।

କଂଗ୍ରେସ ହାଇକମାଣ୍ଡଙ୍କ ଡକରା ପାଇ ରାଜ୍ୟ କଂଗ୍ରେସର ନିରଞ୍ଜନ ପଟ୍ଟନାୟକ, ପ୍ରଦୀପ ମାଝି, ନବ ଦାସ ଓ ଚିରଞ୍ଜୀବୀ ବିଶ୍ୱାଳ ଦିଲ୍ଲୀରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରୁ ନିରଞ୍ଜନ ପଟ୍ଟନାୟକ ରାଞ୍ଚିରୁ  ସିଧାସଳଖ ଦିଲ୍ଲୀରେ ପହଞ୍ଚିଥିଲେ। ସକାଳ ୧୦ଟା ୪୫ରେ ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ତୋଗଲକ ରୋଡ୍‌ ସ୍ଥିତ ବାସଭବନରେ ରୁଦ୍ଧଦ୍ୱାର ବୈଠକ ଆରମ୍ଭ ହୋଇଥିଲା।

କଂଗ୍ରେସ ଅଧ୍ୟକ୍ଷଙ୍କ ସହ ଅଧଘଣ୍ଟା ଆଲୋଚନା ପରେ ରାଜ୍ୟ କଂଗ୍ରେସ ନେତୃବୃନ୍ଦ ପୁନର୍ବାର କମଲନାଥଙ୍କ ଘରେ ଏକାଠି ହୋଇ ଅପରାହ୍ନରେ ପ୍ରଦୀପ ମାଝୀ, ନବ ଦାସ ଓ ଚିରଞ୍ଜୀବୀ ବିଶ୍ୱାଳ ଏଆଇସିସି କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦଙ୍କୁ ସାକ୍ଷାତ କରି ଅଧଘଣ୍ଟା ଆଲୋଚନା କରିଥିଲେ। ଓଡ଼ିଶା କଂଗ୍ରେସ ସଂଗଠନ ପ୍ରସଙ୍ଗରେ ଦୁଇ ତିନି ଦିନ ମଧ୍ୟରେ ପୁଣି ବୈଠକ ବସିବ ଏବଂ ସହମତି ଭିତ୍ତିରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କମଲନାଥଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button