ଖେଳ

ପୂଜାରାଙ୍କ ଅପରାଜିତ ଶତକ ଭାରତ ପ୍ରଥମ ଇନିଂସରେ ଆଗୁଆ

ଆଓରି-ନୂଆଦିଲ୍ଲୀ(୦୧/୯) : ଚେତେଶ୍ୱର ପୂଜାରାଙ୍କ ଅପରାଜିତ ଲଢୁଆ ଶତକ ବଳରେ ଭାରତ ଏଠାରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ କ୍ରିକେଟ ଟେଷ୍ଟର ପ୍ରଥମ ଇନିଂସରେ ୨୭୩ ରନରେ ଅଲଆଉଟ ହୋଇଥିଲା। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ୍‍ ନ ହରାଇ ୬ ରନ୍‍ ସଂଗ୍ରହ କରିଛି। ଇଂଲଣ୍ଡ ତରଫରୁ କୁକ୍‍ ୨ ଓ ଜେନିଙ୍ଗ୍‍ସ ୪ ରନ୍‍ କରି ଅପରାଜିତ ରହିଛନ୍ତି। ଭାରତ ୨୧ ରନ୍‌ରେ ଆଗୁଆ ରହିଛି। ଦ୍ୱିତୀୟ ଦିନରେ ପୂଜାରାଙ୍କ ଅପରାଜିତ ଶତକ ଓ ଇଂଲଣ୍ଡ ସ୍ପିନର ମୋଇନ ଅଲ୍ଲୀଙ୍କ ୫ ୱିକେଟ ସବୁଠାରୁ ଉଲ୍ଲେଖନୀୟ ଘଟଣା।

ଭାରତ ପୂର୍ବଦିନ ସ୍କୋର ୦/୧୯ ରନରୁ ଦ୍ୱିତୀୟ ଦିନର ଖେଳ ଆରମ୍ଭ କରିଥିଲା। ଦୁଇ ଓପନର ଶିଖର ଧାୱନ ଓ ଲୋକେଶ ରାହୁଲ ପ୍ରଥମ ୱିକେଟ ପାଇଁ ୩୭ ରନ ଯୋଗକରିଥିଲେ। ଅଷ୍ଟମ ଓଭରରେ ରାହୁଲଙ୍କୁ (୧୯) ଆଉଟ କରି ଷ୍ଟୁଆର୍ଟ ବ୍ରଡ ଇଂଲଣ୍ଡ ପାଇଁ ପ୍ରଥମ ସଫଳତା ଆଣିଥିଲେ। ଦଳୀୟ ସ୍କୋର ୫୦ ରନରେ ଧାୱନ (୨୩) ବ୍ରଡଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ। ଏହାପରେ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବା ସହ ଇଂଲଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦଳୀୟ ସ୍କୋରକୁ ୨/୧୦୦ ରନରେ ପହଞ୍ଚାଇଥିଲେ। ତେବେ ବିରତି ପରେ ଭାରତ ସହଳ ଆଉ ଦୁଇଟି ୱିକେଟ ହରାଇଥିଲା। କୋହଲିଙ୍କୁ (୪୬) ଆଉଟ କରି ସାମ୍‍ କରନ୍‍ ଇଂଲଣ୍ଡ ପାଇଁ ତୃତୀୟ ସଫଳତା ଅର୍ଜନ କରିଥିଲେ। ପୂଜାରା ଓ କୋହଲି ୩ୟ ୱିକେଟ ପାଇଁ ୯୨ ରନ ଯୋଗକରିଥିଲେ। ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ବ୍ୟକ୍ତିଗତ ୧୧ ରନ କରି ବେନ୍‍ ଷ୍ଟୋକ୍‍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ୱିକେଟରକ୍ଷକ ଋଷଭ ପନ୍ତ୍‍ ୨୯ଟି ବଲ ଖେଳିଥିଲେ ସୁଦ୍ଧା ଖାତା ଖୋଲିବା ପୂର୍ବରୁ ମୋଇନ ଅଲ୍ଲୀଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଯାଇଥିଲେ।

ପୂଜାରା ଗୋଟିଏ ପଟେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିଚାଲିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା (୪), ରବିଚନ୍ଦ୍ରନ ଅଶ୍ୱିନ (୧), ମହମ୍ମଦ ସାମି (୦)ଙ୍କୁ ଆଉଟ କରି ମୋଇନ ଭାରତର ଶେଷଭାଗ ବ୍ୟାଟିଂ ଲାଇନଅପ୍‍କୁ ଧ୍ୱସ୍ତ କରିଥିଲେ। ପୂଜାରା ଓ ଈଶାନ୍ତ ୯ମ ୱିକେଟ ପାଇଁ ୩୨ ରନ ଯୋଗକରିବାପରେ ଈଶାନ୍ତ ୧୪ ରନ କରି ଆଉଟ ହୋଇଥିଲେ। ସେତେବେଳେ ଶତକ ହାସଲ ପାଇଁ ପୂଜାରା ଆଉ ୪ ରନ ଆବଶ୍ୟକ କରୁଥିଲେ। ଯଶପ୍ରୀତ ବୁମ୍‍ରାଙ୍କଠାରୁ ଆବଶ୍ୟକ ସହଯୋଗ ପାଇ ପୂଜାରା ତାଙ୍କର ୧୫ଶ ଟେଷ୍ଟ ଶତକ ହାସଲ କରିଥିଲେ। ଈଶାନ୍ତଙ୍କ ସହ ନବମ ୱିକେଟ ପାଇଁ ୩୨ ଓ ବୁମ୍‍ରାଙ୍କ ସହ ଶେଷ ୱିକେଟ ପାଇଁ ୪୬ ରନ ଯୋଗକରି ପୂଜାରା ଶତକ ଅର୍ଜନ କରିବା ସହ ଭାରତକୁ ପ୍ରଥମ ଇନିଂସରେ ଆଗୁଆ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପୂଜାରା ୧୩୨ ରନରେ ଅପରାଜିତ ଥିବାବେଳେ ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ୫୮ ରନରେ ସର୍ବାଧିକ ୫ଟିୱିକେଟ ହାସଲ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button