ରାଜ୍ୟ

କେରଳ ବନ୍ୟା ବିଧ୍ୱସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସର୍ବେକ୍ଷଣ କରେ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୮/୮) : କେରଳ ବନ୍ୟା ବିଧ୍ୱସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସର୍ବେକ୍ଷଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବଳ ବର୍ଷା ଯୋଗୁଁ ପ୍ରଥମେ କାର୍ଯ୍ୟକ୍ରମକୁ ବାତିଲ୍‍ କରାଯାଇଥିଲା। କିନ୍ତୁ ପରେ ବର୍ଷା କମିବାରୁ ସର୍ବେକ୍ଷଣ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଥିଲା। ଗତ କାଲି ଭିଡିଓ କନ୍‍ଫେରେନ୍ସିଂ ଜରିଆରେ କେରଳ ରାଜ୍ୟପାଳ, ମୁଖମନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀ ବନ୍ୟା ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଆକାଶମାର୍ଗରୁ ସ୍ଥିତି ଦେଖିବା ପରେ ପ୍ରଧାନମନ୍ତ୍ରୀ ୫୦୦ କୋଟି ଟଙ୍କାର ଅତିରିକ୍ତ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବା ସହିତ ୧୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ଇତିମଧ୍ୟରେ କେରଳରେ ବନ୍ୟା ଓ ଭୂସ୍ଫଳନ ଜନିତ ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଥିବା ସରକାରୀ ଭାବେ କୁହାଯାଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‍ଙ୍କ ସୂଚନା ଅନୁଯାୟୀ, ଗତ ୯ଦିନରେ ୩୨୪ ଜଣଙ୍କ ମୃତ୍ୟୁ ଘଟିଛି। ୩ ଲକ୍ଷ ୧୦ହଜାର ବିପନ୍ନ ଲୋକଙ୍କୁ ୨ ହଜାର ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ନୌସେନାର ୪୨ଟି ଟିମ୍‍, ସ୍ଥଳ ସେନାର ୧୬ଟିମ୍‍, ତଟ ସୁରକ୍ଷା ବାହିନୀର ୨୮ଟି ଟିମ୍‍ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ୩୯ଟି ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏନ୍‍ଡିଆରଏଫ୍‍ର ଆଉ ୧୪ଟି ଟିମ୍‍କୁ ଖୁବ୍‍ ଶୀଘ୍ର ନିୟୋଜିତ କରାଯିବ। ୩୦ଟି ସେନା ହେଲିକପ୍ଟର ଓ ୩୨୦ଟି ମୋଟର ବୋଟ୍‍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଆଲାପୁଝା, ଏନ୍ନାକୁଲମ୍‍, ଥ୍ରିସୁର ଓ ପାଥାନମଥିଟ୍ଟା ଜିଲାରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ଲୋକମାନେ ଗଛ ଓ ଛାତ ଘର ଉପରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ଜିଓ ପକ୍ଷରୁ ସ୍ୱତନ୍ତ୍ର ଡାଟା ଅଫର ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button