July 7, 2022

ତିନି ତଲାକ୍ ବିଲକୁ ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

1 min read
President-Ramnath-Kovind-approved-triple-talaq-bill-aajira-odisha

ଆଓରି-ନୂଆଦିଲ୍ଲୀ(୦୧/୦୮) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାତିରେ ମୁସଲିମ ମହିଳା ବିବାହ ଅଧିକାର ସୁରକ୍ଷା (ତିନି ତଲାକ) ବିଧେୟକ ୨୦୧୯କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାସହ ଏକା ଥରକେ ତିନି ତିନି ତଲାକକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରୁଥିବା ବିଲ ଆଇନରେ ପରିଣତ ହୋଇଛି। ତିନି ତଲାକ ବିଲ ଆଇନରେ ପରିଣତ ହେବା ପରେ ଏବେ ମୌଖିକ, ଲିଖିତ ବା ଅନ୍ୟ କୌଣସି ମାଧ୍ୟମରେ ତିନି ତଲାକ ଦେବା ଆଇନରେ ଦଣ୍ଡନୀୟ ଅପରାଧ ହେବ। ଏହି ଅପରାଧ ଲାଗି ତିନି ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି।

ଏହା ପୂର୍ବରୁ ଜୁନ ୨୫ରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଭିଭାଷଣରେ କଂଗ୍ରେସକୁ ଭୁଲ ସୁଧାରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ପାଇଁ କଂଗ୍ରେସକୁ କେତେଥର ବଡ଼ ସୁଯୋଗ ମିଳିଛି, ହେଲେ କଂଗ୍ରେସ ସବୁଥର ସୁଯୋଗ ହାତଛଡ଼ା କରିଛି। ୧୯୫୦ରେ ଦେଶରେ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ) ଉପରେ ବିତର୍କ ବେଳେ କଂଗ୍ରେସ ପ୍ରଥମ ସୁଯୋଗ ହାତଛଡ଼ା କରିଥିଲା। ଏହାର ୩୫ ବର୍ଷ ପରେ ଶାହବାନୋ ମାମଲାବେଳେ ଆଉ ଏକ ସୁଯୋଗ ହାତଛଡ଼ା କରିଥିଲା। ଏବେ ତିନି ତଲାକ ବିଲ ଭାବରେ କଂଗ୍ରେସ ପାଖରେ ଆଉ ଏକ ସୁଯୋଗ ରହିଛି।

ପ୍ରକାଶ ଯେ ଗତ ସପ୍ତାହରେ ଲୋକସଭାରେ ବହୁମତ ସହ ଏହି ବିଲ ପାରିତ ହେବା ପରେ ରାଜ୍ୟସଭାରେ ଚତୁର୍ଥ ଥର ଏହି ବିଲକୁ ନେଇ ସଂଶୟ ରହିଥିଲା। କାରଣ ରାଜ୍ୟସଭାରେ ସରକାରଙ୍କ ପାଖରେ ହବୁମତ ନଥିଲା। ଏହାପରେ ବି ଅଣଏନଡିଏ ଏବଂ ଅଣୟୁପିଏ ଦଳଙ୍କ ସହାୟତାରେ ଏହି ବିଲ୍‍ ପାରିତ ହୋଇଛି। ତିନି ତଲାକ ବିଲ୍‍ ତିନି ଥର ଲୋକସଭାରେ ପାରିତ ହୋଇଥିଲା। ମାତ୍ର ରାଜ୍ୟସଭାରେ ସମର୍ଥନ ଅଭାବରୁ ବିଲ୍‍ ପାରିତ ହୋଇପାରୁନଥିଲା। ଶେଷରେ ମଙ୍ଗଳବାର ଏହି ବିଲ୍‍ ରାଜ୍ୟସଭାରେ ଗୃହୀତ ହୋଇଥିଲା। ବିଲ୍‍ ସପକ୍ଷରେ ୯୯ ଏବଂ ବିରୋଧରେ ୮୪ଟି ଭୋଟ ପଡିଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.