ଜାତୀୟ

ଅଲିଭ୍‌ ରିଡଲେ କଇଁଛ ପାଇଁ କାଳ ସାଜିଛି ପଲିଥିନ୍‌ ଓ ଜରି ଅଖା

ବ୍ରହ୍ମପୁର, ପଲିଥିନ୍‌ ଓ ଜରି ଅଖା ଯେ କେବଳ ପରିବେଶକୁ ପ୍ରଭାବିତ କରୁଛି ତାହା ନୁହେଁ, ବର୍ତ୍ତମାନ ଏହା ସମୁଦ୍ରରେ ରହୁଥିବା ଜୀବଙ୍କ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ବହୁ ପରିମାଣରେ ପଲିଥିନ ଓ ଜରି ଅଖା ଭାସୁଥିବାର ଦେଖାଇବାକୁ ମିଳିଛି। ଏଥିରେ ଅଲିଭ୍‌ ରିଡଲେ କଇଁଛ ଫସୁଥିବା ବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବିଦେଶୀ ଅତିଥି ଅଲିଭ୍‌ ରିଡ଼ଲେ କଇଁଛ ପ୍ରେମୀମାନେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି (ଆର୍‌ଟିପିସି) ତରଫରୁ ସମୁଦ୍ରରେ କଇଁଛଙ୍କ ସୁରକ୍ଷା ପାଇଁ କାମ କରାଯାଇଥାଏ। ବୁଧବାର ସମିତିର ସଦସ୍ୟ ତଥା ପରିବେଶବିତ୍‌ ରବୀନ୍ଦ୍ରନାଥ ସାହୁ ଏବଂ ଅନ୍ୟ କେତେକ ସ୍ଥାନୀୟ କଇଁଛ ପ୍ରେମୀ ସମୁଦ୍ର ଭିତରକୁ ଯାଇଥିଲେ। ଏହି ସମୟରେ ଜରି ଅଖା ଭିତରେ ଏକ କଇଁଛ ଫସିରହିଥିବା ଦେଖିବାକୁ ପାଇଥିଲେ। ସେମାନେ ଅଖାରୁ କଇଁଛକୁ ବାହାର କରିବା ପରେ ସମୁଦ୍ରରେ ଛାଡ଼ିଦେଇଥିଲେ। ପରିବେଶବିତ୍‌ ସାହୁଙ୍କ କହିବାନୁଯାୟୀ, ନଭେମ୍ବରରୁ ଜାନୁୟାରୀ ଭିତରେ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ମିଳନ ଚାଲିଥାଏ। ସାଧାରଣତଃ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ରହିଥାନ୍ତି। ସମୁଦ୍ର ଭିତରେ ଖାଇବା ପାଇଁ ସାଙ୍ଗରେ ଖାଦ୍ୟ ପଦାର୍ଥ ଜରି ଅଖା ଓ ପଲିଥିନ୍‌ରେ ନେଇଥାନ୍ତି। ଖାଇ ସାରିବା ପରେ ସେଗୁଡିକୁ ସମୁଦ୍ର ଭିତରେ ଫିଙ୍ଗି ଦିଅନ୍ତି। ଛୋଟଛୋଟ ମାଛଗୁଡ଼ିକ ସେଥିରେ ଲାଗୁଥିବା ଖାଦ୍ୟ ପଦାର୍ଥକୁ ଖାଇବାକୁ ଜରି ଅଖା ଭିତରେ ପଶିଥାନ୍ତି। ଆଉ ସେହି ଛୋଟ ମାଛକୁ ଖାଇବା ପାଇଁ ଅଲିଭ୍‌ ରିଡ଼ଲେ କଇଁଛ ମଧ୍ୟ ଅଖା ଭିତରକୁ ଚାଲିଯାଉଛନ୍ତି। ପରେ ସେଥିରୁ ବାହାରକୁ ଆସି ନ ପାରି ଛନ୍ଦି ହୋଇଯାଉଛନ୍ତି। ଯାହାକି ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ପରିବେଶବିତ୍‌ ସାହୁ ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button